ପୂର୍ବତନ ସାଂସଦ ଉପେନ୍ଦ୍ର ନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସାଂସଦ ଉପେନ୍ଦ୍ର ନାୟକ ଗୁରୁତର ଅସୁସ୍ଥ ହୋଇଛନ୍ତି। ମଧୁମେହ‌ ଓ କିଡ୍‌ନିଜନିତ ରୋଗରେ ଆକ୍ରାନ୍ତ ହୋଇ ସେ କେନ୍ଦୁଝର ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶନିବାର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଚିକିତ୍ସା ପାଇଁ ଜମିବାଡ଼ି ବନ୍ଧା ପକାଇବା ସହ ବାଡ଼ିରେ ଥିବା ଗଛ ବିକ୍ରି କରିବାକୁ ପଡ଼ିଛି ବୋଲି ପୁତୁରା ଯୋଗେନ୍ଦ୍ର ନାୟକ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କରୋନା ମହାମାରୀ ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ଶ୍ରୀ ନାୟକ। ସେତେବେଳେ ସେ କଟକ ବଡ଼ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇଥିଲେ। ୮ ଦିନ ତଳେ ହଠାତ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି କଟକ ନେଇଥିଲେ ସମ୍ପର୍କୀୟ। ସେଠାରେ ସେ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସାପାଇଁ ଅଧିକ ଅର୍ଥ ଆବଶ୍ୟକ ହେବାରୁ ସଂପର୍କୀୟମାନେ ତାଙ୍କୁ କେନ୍ଦୁଝର ଆଣି ଏକ ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ଆଜି ପୁଣି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଉଲ୍ଲେଖଯୋଗ୍ୟ, ୧୯୯୮ ମସିହାରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୩ ମାସିଆ ସରକାରରେ ଶ୍ରୀ ନାୟକ କେନ୍ଦୁଝର ଲୋକସଭା ଆସନରୁ ପ୍ରଥମ ବିଜେପି ସାଂସଦ ଥିଲେ। ଘଟଗାଁ ବ୍ଲକ୍‌ ମୁକ୍ତାପୁର ପଞ୍ଚାୟତ ଡଳଙ୍ଗପାଣି ଗାଁରେ ଜନ୍ମିତ ଶ୍ରୀ ନାୟକ ଶିକ୍ଷକତା କରୁଥିଲେ ହେଁ ଲୋକଙ୍କ ସେବା କରିବାକୁ ମନ ବଳାଇଥିଲେ। ଶିକ୍ଷକତା ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ। ଏବେ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ସେହିପରି ତାଙ୍କ ପତ୍ନୀ ମଧ୍ୟ ଅସୁସ୍ଥ ଥିବା ଜଣାପଡ଼ିଛି। ତାଙ୍କର କୌଣସି ପିଲାଛୁଆ ନଥିବାରୁ ବଡ଼ଭାଇଙ୍କ ପିଲାମାନେ ସେବାଯତ୍ନ କରୁଛନ୍ତି। ପରିବାରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନଥିବାରୁ ତାଙ୍କ ଚିକିତ୍ସା‌ରେ ବାଧକ ସାଜିଛି ବୋଲି ପୁତୁରା ଯୋଗେନ୍ଦ୍ର କହିଛନ୍ତି। ତାଙ୍କ ଚିକିତ୍ସା ପାଇଁ ପ୍ରଶାସନ ସହାୟତା କରିବାକୁ ବିଜେପି ଉପସଭାପତି ଗୋପୀନାଥ ରାମ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର