ସମ୍ବଲପୁର : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସର୍ବଦା ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା କରାଯାଉଥିବା ବେଳେ ଜୀବନ ରକ୍ଷାକାରୀ ଏକ୍ମୋ ମେସିନ ସ୍ଥାପନ କ୍ଷେତ୍ରରେ ବି ସେଭଳି ଅଭିଯୋଗ ଆସିଲାଣି। ଶୀଘ୍ର ଏକ୍ମୋ ମେସିନ ସ୍ଥାପନ ପାଇଁ ବିଭିନ୍ନ ମହଲରେ ଦାବି ହେଉଥିବା ବେଳେ ଆଜି ପୂର୍ବତନ ସାଂସଦ ଭବାନୀଶଙ୍କର ହୋତା ମୁଖ୍ୟମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ପତ୍ର ଲେଖି ଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
କୋଭିଡ୍ ମହାମାରୀ ମୁକାବିଲା କରିବା ପାଇଁ ଶ୍ରୀରାମଭଂଜ ମେଡିକାଲ କଲେଜରେ ଏକ୍ମୋ ମେସିନ୍ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ, କିନ୍ତୁ ଏହି ଜୀବନ ରକ୍ଷାକାରୀ ମେସିନର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ପ୍ରଶିକ୍ଷିତ ଡାକ୍ତର ଓ ଟେକ୍ନିସିଆନ ନିଯୁକ୍ତି ନକଲେ ଏହା କୌଣସି ଉପକାରରେ ଲାଗିବ ନାହିଁ। କୋଭିଡ୍ ସଂକ୍ରମିତ ରୋଗୀଙ୍କ କେତେକ କ୍ଷେତ୍ରରେ ଫୁସ୍ଫୁସ୍ଜନିତ ଜଟିଳ ସମସ୍ୟା ଏକ୍ମୋ ମେସିନ ଦ୍ବାରା କମ୍ ଖର୍ଚ୍ଚରେ ହୋଇଥାଏ। ଏହା ସ୍ଥାପନ ହେଲେ ଅଯଥାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଓଡ଼ିଶା ବାହାରକୁ ଚିକିତ୍ସା ପାଇଁ ଯିବାକୁ ପଡ଼ିବ ନାହିଁ।
ପଶ୍ଚିମ ଓଡ଼ିଶାର ବଞ୍ଚିତ ଓ ଗରିବ ଲୋକଙ୍କ ସୁବଧା ପାଇଁ ଅତିଶୀଘ୍ର ବୁର୍ଲା ଭିମ୍ସାର ଏବଂ ବଲାଂଗୀର ଭୀମଭୋଇ ମେଡିକାଲ କଲେଜରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ଥାପନ କରିବାକୁ ଶ୍ରୀ ହୋତା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଭବାନୀପାଟଣା ଏବଂ ରାଉରକେଲାରେ ମଧ୍ୟ ଏକ୍ମୋ ସ୍ଥାପନ ପାଇଁ ବିଚାର କରିବାକୁ ସେ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜସ୍ବ ପାଣ୍ଠି କିମ୍ବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠି ବିନିଯୋଗ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଅନେକାଂଶରେ ପ୍ରଶାସନିକ ଦାୟିତ୍ବହୀନତା ସହିତ ପ୍ରଶିକ୍ଷିତ ଡାକ୍ତର ଓ କର୍ମଚାରୀ ଅଭାବରୁ ଅତୀତରେ ଅନେକ ମୂଲ୍ୟବାନ ଯନ୍ତ୍ରପାତି ନଷ୍ଟ ହେବାର ନଜିର ରହିଛି। ସେହି ଦୃଷ୍ଟିରୁ ପ୍ରତ୍ୟେକ ମେଡିକାଲ କଲେଜରୁ ଦୁଇ ଜଣ ସ୍ନାତକୋତ୍ତର ପାସ୍ କରିଥିବା ଛାତ୍ର ଓ ଦୁଇ ଜଣ ଟେକ୍ନିସିଆନଙ୍କୁ ସ୍ବଳ୍ପକାଳୀନ ପ୍ରଶିକ୍ଷଣ ବନ୍ଦୋବସ୍ତ କରିବାକୁ ଶ୍ରୀ ହୋତା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।