ହରିଚନ୍ଦନପୁର : ଡାକ୍ତର, ଇଞ୍ଜିନିୟର, ବ୍ୟାଙ୍କ ଅଧିକାରୀଙ୍କ ପରି ବହୁ ଉଚ୍ଚଶିକ୍ଷିତ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି କ୍ରୀଡ଼ାବିତ୍‌। ହରିଚନ୍ଦନପୁର ବ୍ଲକ୍‌ ୩୨ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ପାଇଁ ବିଜେପି‌ ଟିକଟରୁ ନାମାଙ୍କନ ଦାଖଲ କରି ଅନ୍ତର୍ଜାତିକ ଫୁଟ୍‌ବଲ୍‌ ଖେଳାଳି ଜଗବନ୍ଧୁ ମୋଦୀ। ଶ୍ରୀ ମ‌ୋଦୀ ୨୦୦୬ ମସିହାରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ଜୁନିଅର ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଶ୍ରୀ ମୋଦୀଙ୍କ ଘର ହରିଚନ୍ଦନପୁର ବ୍ଲକ୍‌ ଜଂଘିରା ଗ୍ରାମରେ।

Advertisment

ଶ୍ରୀ ମୋଦୀଙ୍କ ଫୁଟ୍‌ବଲ୍‌ ପ୍ରତି ଯଥେଷ୍ଟ ଦୁର୍ବଳତା ଥିଲା। ଗାଁ ସ୍କୁଲ୍‌ରେ ସପ୍ତମ ଶ୍ରେଣୀରେ ପାଠ ପଢ଼ିବାବେଳେ ଚମତ୍କାର ପ୍ରଦର୍ଶନ ଯୋଗୁଁ ସେ ଜିଲ୍ଲା କ୍ରୀଡ଼ା ଛାତ୍ରାବାସ ପାଇଁ ମନୋନୀତ ହୋଇଥିଲେ। ୨୦୦୩ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ ଢେଙ୍କାନାଳ ସାଇ ହଷ୍ଟେଲରେ ରହିଥିଲେ। ୨୦୦୨ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ଜୁନିଅର ଫୁଟ୍‌ବଲ୍‌ ଦଳର ସଦସ୍ୟ ଥିଲେ। ସେ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ପରେ ବିଳାସପୁର, ନୂଆଦିଲ୍ଲୀ ଓ ମୁମ୍ବାଇର ବଡ଼ବଡ଼ କ୍ଲବ୍‌ ପାଇଁ ଫୁଟ୍‌ବଲ୍‌ ଖେଳିଥିଲେ। ୨୦୧୩ ମସିହାରେ ଆଣ୍ଠୁରେ ଆଘାତ ଯୋଗୁଁ ସେ ଫୁଟ୍‌ବଲ୍‌ଠାରୁ ଦୂରେଇ ଯାଇଥିଲେ।

ତେବେ ଭୁବନେଶ୍ବର ରେଫରି ତାଲିମ ନେଇ ଏବେ ସେ ଗ୍ରାମାଞ୍ଚଳ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଗୁଡ଼ିକରେ ମ୍ୟାଚ୍‌ ପରିଚାଳନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଜଣେ ଚମତ୍କାର ଡିଫେଣ୍ଡର ଭାବେ ସୁନାମ ଅର୍ଜନ କରିଥିବା ଶ୍ରୀ ‌ମୋଦୀ ରାଜନୀତି ମଇଦାନରେ ଗୋଲ୍‌ କରି ବିରୋଧୀଙ୍କୁ ମାତ୍‌ ଦେବାକୁ ଲକ୍ଷ୍ୟ ରଖିଛନ୍ତି।