ଆରପାରିରେ ପୂର୍ବତନ ବାଚସ୍ପତି ଶରତ କର

ଆଗପଛ ହୋଇ ଚାଲିଗଲେ ମାହାଙ୍ଗା ମାଟିର ଦୁଇ ବିଚକ୍ଷଣ ରାଜନୀତିଜ୍ଞ

ମାହାଙ୍ଗା : ପ୍ରବୀଣ ରାଜନୀତିଜ୍ଞ, ବାଗ୍ମୀ, ସାରସ୍ବତ ସାଧକ, ସଂସ୍କୃତି ପ୍ରେମୀ, ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ପୂର୍ବତନ ବାଚସ୍ପତି ଶରତ କୁମାର କର (୮୧)ଙ୍କର ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମାହାଙ୍ଗା ରାଜନୀତିରେ ପରସ୍ପରର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଜଣାଶୁଣା ସେକ୍‌ ମତଲୁବ ଅଲ୍ଲୀ ଓ ଶରତ କର ଆଗପଛ ହୋଇ ମାତ୍ର ୧୯ ଦିନ ବ୍ୟବଧାନରେ ଆରପାରିକୁ ଚାଲିଯିବା ଘଟଣା ମାହାଙ୍ଗାବାସୀଙ୍କୁ ସ୍ତବ୍ଧଚକିତ କରିଛି। ତାଙ୍କର ପତ୍ନୀ ଅନିମା ମିଶ୍ର ଇଂରାଜୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ତଥା ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ ହୋଇଥିବାବେଳେ ବଡ଼ପୁଅ ସୁମନ କର ଇଂରାଜୀର ପ୍ରାଧ୍ୟାପକ ଓ ସାନପୁଅ ଶୋଭନ କର ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ। ଆଜି ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ଅନୁଷ୍ଠିତ ହୋଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଛନ୍ତି।

ଶରତ କର ୩ ଥର ବିଧାୟକ, ଥରେ ସାଂସଦ ଏବଂ ଓଡ଼ିଶା ବିଧାନସଭାର ବାଚସ୍ପତି ହେବା ସହିତ ଶିକ୍ଷା, ସଂସ୍କୃତି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ମାହାଙ୍ଗା ଆସନରୁ ସେ ୩ ଥର ବିଧାୟକ ହୋଇଥିବା ବେଳେ ୨ ଥର ସେକ୍‌ ମତଲୁବ ଅଲ୍ଲୀଙ୍କୁ ଏବଂ ଥରେ ବିରଜା ପ୍ରସାଦ ରାୟଙ୍କୁ ପରାସ୍ତ କରିଥିଲେ। ସେହିଭଳି କଟକ ଲୋକସଭା ଆସନରୁ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ପରାସ୍ତ କରି ନିର୍ବାଚିତ ହେବାର ରେକର୍ଡ ରଖିଥିଲେ। ଓଡ଼ିଶାରେ ସର୍ବକନିଷ୍ଠ ମନ୍ତ୍ରୀ ହେବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି।

ଶରତ କରଙ୍କ ପୈତୃକ ଗ୍ରାମ ମାହାଙ୍ଗା ବ୍ଳକ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ପଂଚାୟତ ଚାୟାଁପାଳ ଗ୍ରାମରେ ହୋଇଥିବାବେଳେ ୧୯୩୯, ସେପ୍ଟେମ୍ବର ୫ ତାରିଖରେ ସେ କଟକରେ ଜନ୍ମଗ୍ରହଣ କରିଥିଲେ। କଟକରେ ପ୍ରାଥମିକରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ୧୯୬୨ ମସିହାରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନ ସ୍ନାତକୋତ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୬୪ ମସିହାରେ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ପରେ ଅଧ୍ୟାପନା ଛାଡି ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ। ୧୯୬୭ ରୁ ୧୯୭୧ ପର୍ଯ୍ୟନ୍ତ ସେ ନିଖିଳ ଭାରତ କଂଗ୍ରେସ କମିଟିର ସର୍ବକନିଷ୍ଠ କର୍ମକର୍ତ୍ତାଭାବେ କାର୍ଯ୍ୟ କରିଥିଲେ। ୧୯୬୭ ମସିହାରେ ମାହାଙ୍ଗା ବିଧାନସଭା ଆସନରୁ ପ୍ରଥମଥର ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ସଫଳ ହୋଇପାରି ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ କଂଗ୍ରେସ ରାଜନୀତି ଛାଡ଼ି ଅଣକଂଗ୍ରେସ ରାଜନୀତିର ମଙ୍ଗ ଧରିଥିଲେ। ୧୯୭୧ ନିର୍ବାଚନରେ ମାତ୍ର ୩୧ ବର୍ଷ ବୟସରେ ମାହାଙ୍ଗାରୁ ବିଧାୟକ ଭାବେ ନିର୍ବାଚିତ ହୋଇ ବିଶ୍ବନାଥ ଦାସଙ୍କ ମନ୍ତ୍ରିମଣ୍ତଳରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ପରେ ୧୯୭୭ରୁ ୮୦ ପର୍ଯ୍ୟନ୍ତ କଟକ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ ରେ ମାହାଙ୍ଗାରୁ ନିର୍ବାଚିତ ହୋଇ ବିଜୁ ବାବୁଙ୍କ ମନ୍ତ୍ରିମଣ୍ତଳରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ୨୦୦୦ ନିର୍ବାଚନରେ ବିଜୟୀ ହେବା ପରେ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳି ସରକାରରେ ବାଚସ୍ପତି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ବିରୁପା ଗେଙ୍ଗୁଟି ଦ୍ବୀପା‌ଞ୍ଚଳର ଜୟପୁର ଠାରେ ସେତୁ ନିର୍ମାଣ, କୁଆଁପାଳ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା, ବିଆରସି କାର୍ଯ୍ୟାଳୟ ପ୍ରତିଷ୍ଠା, ବିଦ୍ୟାଳୟ ଗୁଡିକର ନୂତନ ଗୃହ, ମାହାଙ୍ଗାରେ ଉଠା ଜଳସେଚନ ପ୍ରକଳ୍ପ, ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ, ଧୋୟା ଅଞ୍ଚଳରେ ପ୍ରଥମ କରି ବିଦ୍ୟୁତ୍ ସେବା ବ୍ୟବସ୍ଥା, ମାହାଙ୍ଗାରେ ସୂଚନା କେନ୍ଦ୍ର ପ୍ରତିଷ୍ଠା, ପ୍ରଥମ କରି ପ୍ରଧାନମନ୍ତ୍ରୀ ଯୋଜନା କାର୍ଯ୍ୟକାରୀ କରିବା, ତହସିଲର ଉନ୍ନତିକରଣ, ସବରେଜିଷ୍ଟ୍ରି ଅଫିସ ପ୍ରତିଷ୍ଠା, ୧୦୪ କୋଟି ବ୍ୟୟ ଅଟକଳରେ ମହାନଦୀ ବ୍ୟାରେଜର ଶୁଭାରମ୍ଭ ଭଳି ବହୁ ଉନ୍ନୟନ କାର୍ଯ୍ୟ ସମ୍ଭବ ହୋଇଥିଲା। ସେ ବାଚସ୍ପତି ଥିବା ସମୟରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିବାବେଳେ ସେ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଗଣକବି ବୈଷ୍ଣବ ପାଣିଙ୍କ ଆଧାରିତ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଇବା ସହ ମାହାଙ୍ଗା ଅଞ୍ଚଳର ଶିକ୍ଷା, ସଂସ୍କୃତି, ଗମନାଗମନର ବିକାଶରେ ପ୍ରମୁଖ ଅବଦାନ ରଖିଥିଲେ। ଶରତ କର ‘ଦୃତ ବିଳମ୍ବିତ’, ‘ମନ୍ଥନ’, ‘ରୋମନ୍ଥନ’, ‘ଅନନ୍ୟା’ ଭଳି ଚାରିଟି ଉଚ୍ଚକୋଟିର କବିତା ପୁସ୍ତକ ମଧ୍ୟ ରଚନା କରିଛନ୍ତି।

ଶରତ କରଙ୍କ ବିୟୋଗରେ ପଂଚାୟତିରାଜ, ଆଇନ ତଥା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ, କେନ୍ଦ୍ର ସାହିତ୍ୟ ଅକାଦେମି ଉପଦେଷ୍ଟା ମଣ୍ଡଳୀର ଓଡ଼ିଆ ଆବାହକ ଡ. ବିଜୟାନନ୍ଦ ସିଂହ, ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର