ଝାରସୁଗୁଡ଼ା : ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟା ମାମଲାର ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲଦଣ୍ଡାଦେଶ ମିଳିଛି। ଛତିଶଗଡ଼ର ରାୟଗଡ଼ ଅପର ଜିଲ୍ଲା କୋର୍ଟ ଶନିବାର ଦିନ ତାଙ୍କ ରାୟରେ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ‌ଟପ୍ପୋଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।

Advertisment

୨୦୧୬ ମେ ମାସ ୭ ତାରିଖ ଦିନ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ସମ୍ବଲପୁରୀ ବଙ୍ଗୁରସିଆର ଶାକମ୍ବରୀ ପ୍ଲାଣ୍ଟକୁ ଯାଇଥିବା ଏକ ନିକାଞ୍ଚନ ରାସ୍ତାରେ ଦୁଇଟି ମୃତଦେହ ମିଳିଥିଲା। ଉଭୟଙ୍କୁ ହତ୍ୟା କରାଯାଇ ସେମାନଙ୍କ ଉପରେ ଗାଡ଼ି ମଡାଇ ଦିଆଯାଇଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ମୃତଦେହ ଦୁଇଟି ଭୁବନେଶ୍ବରର କଳ୍ପନା ଓ ତାଙ୍କ ଝିଅ ବବ୍‌ଲିର ବୋଲି ପରବର୍ତ୍ତୀ ସମୟରେ ଚିହ୍ନଟ ହୋଇଥିଲା। ହତ୍ୟାକାଣ୍ଡ ପଛରେ ଅନୁପ ସାଏ ଥିବା ଜଣାପଡ଼ିବା ପରେ ୨୦୨୦ ଫେବ୍ରୁଆରି ୧୩ ତାରିଖରେ ଛତିଶଗଡ଼ ପୁଲିସ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ‌ଟପ୍ପୋଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଅନୁପ ଛତିଶଗଡ଼ର ରାୟଗଡ଼ ଜେଲରେ ଥିବା ବେଳେ ଡ୍ରାଇଭର କିଛି ମାସ ତଳେ ଜାମିନରେ ଆସିଥିଲେ।

publive-image

ସୂଚନାଯୋଗ୍ୟ ଯେ ବିବାହ ପାଇଁ ବାରମ୍ବାର ଜିଦ୍‌ ଧରିବା ସହ ଭୁବନେଶ୍ବରର ସୁନ୍ଦରପଦାରେ ଥିବା ତିନିମହଲା କୋଠାର ମାଲିକାନା ଦାବି କରିବାରୁ କଳ୍ପନା ଦାଶ (୩୨)ଓ ଝିଅ ବବ୍‌ଲିଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ ବିଧାୟକ ଅନୁପ ସାଏ(୫୯)। ବାହା ହେବାକୁ ଡାକିନେଇ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସମ୍ବଲପୁରୀ ବଙ୍ଗୁରସିଆ ରାସ୍ତାର ଏକ ନିକାଞ୍ଚନ ସ୍ଥାନରେ ହତ୍ୟା କରିଥିଲେ। ଏହାପରେ ଶବକୁ ଯେପରି ଚିହ୍ନି ନ ହେବ ସେଥିପାଇଁ ଡ୍ରାଇଭର ସହଯୋଗରେ ଉଭୟଙ୍କ ମୃତଦେହ ଉପରେ ବୋଲେରୋ ମଡ଼ାଇ ଦେଇଥିଲେ। ତେବେ ୩ ବର୍ଷ ୯ ମାସ ପରେ ଧରାପଡ଼ିଥିଲା ତାଙ୍କର ଏହି ବର୍ବରୋଚିତ କାରନାମା। ପ୍ରଥମେ କଳ୍ପନା ଓ ବବ୍‌ଲି କିଏ ‌ଜାଣିନି ବୋଲି କହୁଥିଲେ ଅନୁପ। ମାତ୍ର ଛତିଶଗଡ଼ ପୁଲିସର ୧୮ ଘଣ୍ଟାର କଠୋର ଜେରା ପରେ ସତ ଓଗାଳିଥିଲେ। ନିଜ ପରକୀୟା ପ୍ରୀତି, ଲିଭ୍‌ ଇନ୍‌ ରିଲେସନ୍‌ ଓ ଡବଲ୍‌ ମର୍ଡର ଭଳି ଜଘନ୍ୟ ଅପରାଧର କଳାକାହାଣୀ ବଖାଣିଥିଲେ।

ଛତିଶଗଡ଼ ପୁଲିସ ସୂଚନା ଅନୁଯାୟୀ କଳ୍ପନା ଦାଶଙ୍କୁ ତାଙ୍କ ସ୍ବାମୀ ସୁନୀଲ ଶ୍ରୀବାସ୍ତବ ଛାଡ଼ପତ୍ର ଦେଇଥିଲେ। ସେତେବେଳେ କଳ୍ପନାଙ୍କ ବାପା ତାଙ୍କୁ ଓ ତାଙ୍କ ଝିଅ ବବ୍‌ଲିକୁ ଅନୁପଙ୍କ ପାଖକୁ ନେଇଥିଲେ। ସେହି ସମୟରୁ କଳ୍ପନା ଓ ଅନୁପଙ୍କ ମଧ୍ୟରେ ପରିଚୟ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା। ୨୦୧୧ରେ ସୁନ୍ଦରପଦାରେ ଅନୁପ ତାଙ୍କ ପତ୍ନୀ ସୁଷମାଙ୍କ ନାମରେ ଜମି କିଣି ସେଥିରେ ୩ ତାଲା ଘର ନିର୍ମାଣ କରିଥିଲେ। ଏହି ଘରର ଗୋଟିଏ ମହଲାରେ କଳ୍ପନା ଓ ତାଙ୍କ ଝିଅକୁ ରଖିବା ସହିତ ଦେଖାରଖା ପାଇଁ ତଳ ମହଲାକୁ ଅପର୍ତ୍ତି ସାହୁଙ୍କୁ ଦେଇଥିଲେ। ଉକ୍ତ ଫ୍ଲାଟ୍‌ରେ ସେ କଳ୍ପନାଙ୍କୁ ପତ୍ନୀ ଓ ବବ୍‌ଲିକୁ ଝିଅର ପରିଚୟ ଦେଇ ରଖିଥିଲେ। ସେଣ୍ଟ୍‌ ଜାଭିୟର୍ସ ସ୍କୁଲ୍‌ରେ ବବ୍‌ଲିର ନାମ ଲେଖାଇଥିଲେ। କଳ୍ପନା, ବବ୍‌ଲି ଓ ସେ ବିଭିନ୍ନ ସମୟରେ ଦିଲ୍ଲୀ, ବିଶାଖାପାଟଣା, ହାଇଦ୍ରାବାଦ ଓ ଗୋଆକୁ ବୁଲିବାକୁ ଯାଇଥିବା ଅନୁପ ସେତେବେଳେ ପୁଲିସ ଆଗରେ ସ୍ବୀକାର କରିଥିଲେ। କଳ୍ପନା ଯାହା ଯାହା ଦାବି କରୁଥିଲେ ସେ ତାକୁ ପୂରଣ କରୁଥିଲେ। କିନ୍ତୁ କଳ୍ପନା ବାରମ୍ବାର ତାଙ୍କୁ ବିବାହ କରିବା, ସୁନ୍ଦରପଦା କୋଠାକୁ ତାଙ୍କ ନାଁରେ କରିବା ଏବଂ ଅଧିକ ଟଙ୍କା ଦେବାକୁ ଦାବି କରି ବ୍ଲାକ୍‌ମେଲିଂ କରୁଥିଲେ। ପୂର୍ବରୁ ବିବାହିତ ଥିବା ଅନୁପ କଳ୍ପନାଙ୍କ ଏହି ଦାବିକୁ ନେଇ ଅତିଷ୍ଠ ହୋଇ ପଡ଼ିଥିଲେ। ଶେଷରେ କଳ୍ପନା ଓ ତାଙ୍କ ଝିଅକୁ ହତ୍ୟା କରିବାକୁ ଯୋଜନା କରିଥିଲେ।

publive-image

୨୦୧୬ ମେ ମାସ ୫ ତାରିଖରେ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସୁନ୍ଦରପଦା ଘରୁ ମା ଝିଅଙ୍କୁ ଏକ ଓଲା କାର୍‌ରେ ବସ୍‌ଷ୍ଟାଣ୍ଡ ପଠାଇଥିଲେ। ସେଠାରୁ ଉଭୟ ବସ୍‌ରେ ଯାଇଥିବା ବେଳେ ଅନୁପ ତାଙ୍କ ବୋଲେରୋରେ ପଛେ ପଛେ ଯାଇଥିଲେ। ଝାରସୁଗୁଡ଼ାରେ ପହଞ୍ଚିବା ପରେ ମେଘଦୂତ ହୋଟେଲ୍‌ରେ ଉଭୟଙ୍କୁ ରଖି ଘରକୁ ପଳାଇଥିଲେ। ରାତି ପ୍ରାୟ ୯ଟାରେ ଅନୁପଙ୍କ ଡ୍ରାଇଭର୍‌ ବର୍ମନ୍‌ ଟପ୍ପୋ ବୋଲେରୋ ଆଣିଥିଲେ। ସମସ୍ତେ ସେଥିରେ ରାୟଗଡ଼ ଯାଇଥିଲେ। ପରେ କଳ୍ପନା ଓ ବବ୍‌ଲିଙ୍କୁ ହମିରପୁର ମାର୍ଗସ୍ଥିତ ମା ଶାକମ୍ବରୀ ପ୍ଲାଣ୍ଟ୍‌କୁ ଯାଇଥିବା ରାସ୍ତାର ଏକ ନିକାଞ୍ଚନ ସ୍ଥାନରେ ଓହ୍ଲାଇ ଦେ‌ଇଥିଲେ। ସେଠାରେ ମା ଓ ଝିଅଙ୍କୁ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ରାସ୍ତା ଉପରେ ପକାଇ ଦିଆଯାଇଥିଲା। ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଶବ ଉପରେ ଗାଡ଼ି ଚଢ଼ାଯାଇଥିଲେ।

ଘଟଣାସ୍ଥଳରୁ କୌଣସି ସୁରାକ୍‌ ନ ମିଳିବା ଓ ଶବ ଦୁଇଟି ଅପରିଚିତ ଥିବାରୁ ତଦନ୍ତରେ ବିଳମ୍ବ ହୋଇଥିଲା। ୨୦୧୬ ମଇ ମାସ ୭ ତାରିଖରେ ଚକ୍ରଧରନଗର ଥାନା ସମ୍ବଲପୁରୀ ଗ୍ରାମର କମଲେଶ ଗୁପ୍ତା ଥାନାରେ ଏକ ଅଭିଯୋଗ କରିଥିଲେ। ଆଖପାଖ ଗାଁରେ ପଚରାଉଚରା, ସିସିଟିଭି ଫୁଟେଜ୍‌, ମୋବାଇଲ୍‌ ଟାୱାର ଡାଟା ଛାନ୍‌ଭିନ୍‌ କରାଯିବା, ପୂରା ଜିଲ୍ଲାରେ ନିଖୋଜ ଅଭିଯୋଗର ତନାଘନା କରିବା ପରେ ମଧ୍ୟ ଶବଦ୍ବୟର କୌଣସି ପରିଚୟ ମିଳି ନଥିଲା। ପରେ ଓଡ଼ିଶା, ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗର ଏକାଧିକ ଜିଲ୍ଲାକୁ ପୁଲିସ ଟିମ୍‌ ଯାଇ ଖୋଳତାଡ଼ କରିଥିଲା। ଏପରିକି ପୁଲିସ ଦ୍ବାରା ଫଟୋ ଓ ପୋଷ୍ଟର ଜାରି କରାଯାଇଥିଲା।

ସେତେବେ‌ଳେ ଏହି ଫଟୋକୁ ବ୍ରଜରାଜନଗର ଥାନାର ଜଣେ କନେଷ୍ଟବଳ ଚିହ୍ନଟ କରିଥିଲେ। ମହିଳାଙ୍କ ପୂର୍ବ ସ୍ବାମୀ ସୁନୀଲ ଶ୍ରୀବାସ୍ତବ ବି ମୃତ ମହିଳା ଜଣଙ୍କ ତାଙ୍କ ପୂର୍ବତନ ପତ୍ନୀ କଳ୍ପନା ଦାଶ(୩୨) ଓ ଦ୍ବିତୀୟ ଶବ ତାଙ୍କ ଝିଅ ବବ୍‌ଲି ଶ୍ରୀବାସ୍ତବ(୧୪)ର ବୋଲି ଚିହ୍ନଟ କରିଥିଲେ। ଶବ ଚିହ୍ନଟ ପରେ ଚକ୍ରଧର ପୁଲିସର ତଦନ୍ତ ଜୋରଦାର ହୋଇଥିଲା। କଳ୍ପନାଙ୍କ ମୋବାଇଲ୍‌ ଫୋନ୍‌ ନମ୍ବର ସଂଗ୍ରହ କରିବା ପରେ କଲ୍‌ ଡିଟେଲ୍‌ ଯାଞ୍ଚ କରାଯାଇଥିଲା। କଲ୍‌ ଡିଟେଲ୍‌ ବି‌ଶ୍ଳେଷଣ କରିବା ପରେ ଅନୁପ ସାଏ ସନ୍ଦେହ ଘେରକୁ ଆସିଥିଲେ। ତେବେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ ତାଙ୍କର ଗତିବିଧି ଉପରେ ନଜର ରଖିଥିଲା। ୨୦୨୦ ଫେବ୍ରୁଆରି ୧୩ ତାରିଖ ଦିନ ଅନୁପଙ୍କୁ ତାଙ୍କ ଘର ନିକଟ ଏକ ମନ୍ଦିରରୁ ଉଠାଇ ନେଇଥିଲା।