ଉନିଶ୍‌-ବିଶ୍‌ରେ ଲଢୁଥିଲେ; ଉନିଶ୍‌-ବିଶ୍‌ରେ ଚାଲିଗଲେ, ମାହାଙ୍ଗା ମାଟିର ଦୁଇ ଦିଗ୍ଗଜ ଶରତ-ମତଲୁବ୍

ପରସ୍ପର ବିରୋଧରେ ଲଢିଥିଲେ ୭ ଥର, ଶରତ ଜିତିଥିଲେ ୩ ଥର, ମତଲୁବ୍ ୪ ଥର

କୃଷ୍ଣପ୍ରସାଦ ଦାସ

କଟକ: ରାଜନୀତି, ସଂସ୍କୃତି, ସାହିତ୍ୟର ଦୁଇ ମହାରଥୀ ଶରତ କର ଓ ସେକ୍ ମତଲୁବ୍ ଅଲ୍ଲୀ। ମାହାଙ୍ଗା ମାଟିର ସନ୍ତାନ। ଦୀର୍ଘ ତିନି ଦଶନ୍ଧି ଧରି ଥିଲେ ପରସ୍ପରର ପ୍ରତିଦ୍ବନ୍ଦ୍ବୀ। ସେମାନଙ୍କର ପ୍ରତିଦ୍ବନ୍ଦ୍ବିତା ଯୋଗାଉଥିଲା ରାଜ୍ୟ ଆଉ ଆଞ୍ଚଳିକ ରାଜନୀତିରେ ଚର୍ଚ୍ଚାର ଖୋରାକ। ଆଉ ବିଧିର ବିଡ଼ମ୍ବନା ‌ଏମିତି ଯେ ମାତ୍ର ୧୯ ଦିନ ବ୍ୟବଧାନରେ ଆଗପଛ ହୋଇ ଚାଲିଗଲେ ଆରପାରିକୁ। ଉଭୟଙ୍କ ଭିତରେ ରହିଥିଲା ଅନେକ ସାମଞ୍ଜସ୍ୟ। ରାଜନୈତିକ ମଇଦାନକୁ ଆଗ ଓହ୍ଲାଇଥିଲେ ଶରତ କର। ୧୯୬୭ରେ। ପ୍ରଥମ ନିର୍ବାଚନରେ ହାରିଥିଲେ। ଠିକ୍‌ ପର ନିର୍ବାଚନରେ ଅର୍ଥାତ ୧୯୭୧ରେ ନିର୍ବାଚନ ରାଜନୀତିକୁ ଓହ୍ଲାଇଥିଲେ ସେକ ମତଲୁବ ଅଲ୍ଲୀ। ପ୍ରଥମ ନିର୍ବାଚନରେ ମତଲୁବ ହାରିଥିଲେ ଆଉ ଶରତ ନିଜର ଦ୍ବିତୀୟ ନିର୍ବାଚନରେ ଜିତି ଥିଲେ। ୧୯୭୪ ନିର୍ବାଚନରେ ପୁଣି ଉଭୟ ପରସ୍ପର ବିରୋଧରେ ଲଢିଥିଲେ। ମତଲୁବ୍ ଜିତି ଥିଲେ, ଶରତ ହାରି ଥିଲେ। ୧୯୭୭ ନିର୍ବାଚନରେ ଅବଶ୍ୟ ଶରତ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ଦିଗ୍ଗଜଙ୍କୁ ହରାଇଥିଲେ। କିନ୍ତୁ ୧୯୮୦ ନିର୍ବାଚନରେ ମାହାଙ୍ଗା ପୁଣି ଦେଖିଥିଲା ଶରତ-ମତଲୁବଙ୍କ ଲଢେଇ। ୧୯୮୦ରେ ମତଲୁବ ଜିତିଲେ, ଶରତ ହାରିଲେ। ୧୯୮୫ରେ ବି ପୁଣି ମତଲୁବ ଜିତିଲେ, ଶରତ ହାରିଲେ। ୧୯୯୦ରେ ବାଜି ପଲଟିଲା। ଶରତ ଜିତିଲେ ଆଉ ମତଲୁବ୍ ହାରିଲେ। ୧୯୯୫ରେ ପ୍ରତିଶୋଧ ନ‌େଲେ ମତଲୁବ୍। ସେ ନିର୍ବାଚନରେ ମତଲୁବ୍ ଜିତିଲେ ଆଉ ଶରତ ହାରିଲେ। ୨୦୦୦ ନିର୍ବାଚନରେ ପୁଣି ବାଜି ପଲଟିଲା। ଶରତ ଜିତିଲେ ଆଉ ମତଲୁବ୍ ହାରିଲେ। ୨୦୦୦ ପରଠାରୁ ନିର୍ବାଚନରେ ମତଲୁବ୍ ପ୍ରତିଦ୍ବନ୍ଦ୍ବିତା କରି ଚାଲିଥିଲେ ବି ଆଉ ବିଜୟୀ ହୋଇ ପାରି ନଥିଲେ। କିନ୍ତୁ ଶରତ ନିର୍ବାଚନ ରାଜନୀତିରୁ ଓହରି ଯାଇଥିଲେ ୨୦୦୦ରୁ। ଶରତ ଓ ମତଲୁବ୍ ସିଧାସଳଖ ଭାବେ ପରସ୍ପର ବିରୋଧରେ ୭ଟି ନିର୍ବାଚନ ଲଢିଥିଲେ। ସେଥିରୁ ଶରତ ୩ଟିରେ ବିଜୟୀ ହୋଇଥିବା ବେଳେ ମତଲୁବ୍ ୪ଟି ନିର୍ବାଚନରେ ବିଜୟୀ ହୋଇଥିଲେ। ହାରଜିତର ବ୍ୟବଧାନ ଯେଭଳି ଇନିଶ୍-ବିଶ୍‌ର ଥିଲା, ହାରଜିତ ସଂଖ୍ୟା ବି ସେଭଳି ଉନିଶ୍‌-ବିଶ୍‌ ଆଉ ଦୁନିଆ ଛାଡି ଆର ଦୁନିଆକୁ ଚାଲି ଯିବା ସମୟର ବ୍ୟବଧାନ ବି ସେଭଳି ଉନିଶ୍‌-ବିଶ୍‌।

ଶରତ କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ବିଭିନ୍ନ ସମୟରେ ଉତ୍କଳ କଂଗ୍ରେସ, ଭାରତୀୟ ଲୋକ ଦଳ, ଜନତା ପାର୍ଟି, ଜନତା ଦଳ ଏବଂ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ମତଲୁବ୍ ଅବଶ୍ୟ କଂଗ୍ରେସରୁ ରାଜନୀତି ଆରମ୍ଭ କରି ସେହି କଂଗ୍ରେସରେ ରହି ଦୁନିଆ ଛାଡିଥିଲେ।କରୋନା କାଳରେ ଏହି ଦୁଇ ମହାରଥୀଙ୍କ ପରଲୋକ କେବଳ ମାହାଙ୍ଗା, କଟକର ରାଜନୈତିକ, ସାଂସ୍କୃତିକ ତଥା ସାହିତ୍ୟ ଜଗତକୁ ଧକ୍କା ନୁହେଁ, ସମଗ୍ର ରାଜ୍ୟ ପାଇଁ ଅପୂରଣୀୟ କ୍ଷତି। ସାହିତ୍ୟ, ସଂସ୍କୃତିର ବିକାଶ କ୍ଷେତ୍ରରେ ଉଭୟଙ୍କ ଅବଦାନ ଥିଲା ଅତୁଳନୀୟ। ମାହାଙ୍ଗାର ସାମଗ୍ରିକ ବିକାଶ ‌କ୍ଷେତ୍ରରେ ବି ଉଭୟଙ୍କ ଭୂମିକା ସର୍ବାଗ୍ରେ। ବଂଚିଥିବା ଯାଏ ଉଭୟଙ୍କୁ ନେଇ ଯେଭଳି ରାଜନୀତିର ଚର୍ଚ୍ଚା ଜମୁ ଥିଲା, ଉଭୟଙ୍କ ପରଲୋକ ବି ଠିକ ସେହିଭଳି ଏବେ ଆଲୋଚନାର ପ୍ରସଙ୍ଗ ହୋଇ ରହି ଯିବ ଇତିହାସରେ।

ସମ୍ବନ୍ଧିତ ଖବର