ମା’ ଓ ଝିଅଙ୍କୁ ମାରପିଟ୍‌ ମାମଲା : ପୂର୍ବତନ ବିଧାୟକ ଦେବେନ୍ଦ୍ର ଗିରଫ

ଫୁଲବାଣୀ : ବିଳମ୍ବିତ ରାତିରେ ଘରେ ପଶି ମା’ ଓ ଝିଅଙ୍କୁ ମାରପିଟ କରିବା ଅଭିଯୋଗରେ କନ୍ଧମାଳ ପୁଲିସ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଗଞ୍ଜାମ-ଆନ୍ଧ୍ର ସୀମାନ୍ତ ଇଚ୍ଛାପୁରରୁ ଗିରଫ କରିଛିା ଏହାସହ ତାଙ୍କ ଡ୍ରାଇଭର ରିଙ୍କୁ ସାହୁ ଓରଫ ନାନୋ ରଞ୍ଜନ ସାହୁଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା କନ୍ଧମାଳ ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଉଭୟଙ୍କୁ ଗତକାଲି ରାତିରେ ଗିରଫ କରାଯିବା ପରେ ଆଜି ଫୁଲବାଣୀ କୋର୍ଟକୁ ଚାଲାଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଫୁଲବାଣୀ ସଦର ଥାନା କେସ୍ ନଂ ୫୩/୧୮ ପ୍ରକାରେ ପୁଲିସ ତାଙ୍କ ବିରୋଧରେ ଆଇପିସି ଧାରା ୪୫୧/୨୯୪/୩୨୩/୩୫୪/୫୦୬/୩୭୯/୩୪ ଓ ଆଇଟି ଆକ୍ଟ ୬୭(କ) ଅନୁସାରେ ମାମଲା ରୁଜୁ କରିଥିଲା। ଅଭିଯୋଗ ଅନୁଯାୟୀ ପୂର୍ବତନ ବିଧାୟକ ଶ୍ରୀ କହଁର ନିଜ ଗାଡିରେ ଗଉଡ଼ପଡା ଗାଁ‘ର ଜନୈକ ମହିଳାଙ୍କ ଘରକୁ ବିଳମ୍ବିତ ରାତିରେ ଯାଇ ମା’ ଓ ଝିଅଙ୍କୁ ଗାଳିମନ୍ଦ କରିଥିଲେ। ତାଙ୍କ ସାଙ୍ଗରେ ଗାଡ଼ି ଡ୍ରାଇଭର ମଧ୍ୟ ଏଥିରେ ସହଯୋଗ କରିଥିଲେ। ପରେ ସେମା‌େନ ମା’, ଝିଅଙ୍କୁ ମାଡ଼ପିଟ୍‌ କରିଥିଲେ। ଏଥିରେ ମହିଳା ଓ ତାଙ୍କ ଝିଅ ସାମାନ୍ୟ ଆହତ ହୋଇଥିଲେ। ତାଙ୍କର ଏକ ସୁନାଚେନ ଓ ଗୋଟିଏ ମୋବାଇଲ ଛଡ଼ାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ଗତମାସ ୩ ତାରିଖରେ ସଦର ଥାନାରେ ଅଭିଯୋଗ ପରେ ଦେବେନ୍ଦ୍ର ଫେରାର ରହିଥିଲେ। ସେହିଦିନ ଠାରୁ ପୁଲିସ ତାଙ୍କୁ ଧରିବା ପାଇଁ ୪ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଇଚ୍ଛାପୁରରେ ଥିବା କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭରଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିବା ଏସପି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର