ପିସ୍ତଲ ନବୀକରଣ କରି ନାହାନ୍ତି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ

୫୯ ଲାଇସେନ୍ସଧାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ନାହିଁ
୧୨ ବର୍ଷରେ ୧୯୧ ଜଣଙ୍କୁ ମିଳିଛି ଲାଇସେନ୍ସ

ଭୁବନେଶ୍ବର : ଲାଇସେନ୍ସ ପିସ୍ତଲର ନବୀକରଣ କରି ନାହାନ୍ତି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ। ପୁଲିସର ବିଭାଗର ଜଣେ ବରିଷ୍ଠ ପଦାଧିକାରୀ ହୋଇଥିବା ବେଳେ କାହିଁକି ଆଇନ ପାଳନ କରି ନାହାନ୍ତି ତାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। କେବଳ ସଞ୍ଜୀବ ମାରିକ ନୁହନ୍ତି ଏମିତି ୨୨ ଜଣ ନିଜର ଲାଇସେନ୍ସ ନବୀକରଣ କରି ନାହାନ୍ତି। ନିୟମ ଅନୁଯାୟୀ ଯେଉଁମାନେ ଲାଇସେନ୍ସ ନବୀକରଣ ନ କରିବେ ସେମାନଙ୍କୁ ସ୍ଥାନୀୟ ପୁଲିସ ନୋଟିସ୍ ଜାରି କରିବ। କିନ୍ତୁ ସ୍ଥାନୀୟ ପୁଲିସ ନୋଟିସ ମଧ୍ୟ ଜାରି କରି ନ ଥିବା ଜଣାପଡିଛି। ଆଇନକୁ ଖିଲାପ କରୁଥିବା ଲାଇସେନ୍ସଧାରୀଙ୍କୁ କାହିଁକି ପୁଲିସ କୋହଳ ମନୋଭାବ ପୋଷଣ କରୁଛି ତାହା ମଧ୍ୟ ବୁଝାପଡୁ ନାହିଁ।

ସୂଚନା ଅଧିକାର କର୍ମୀ ଜୟନ୍ତ ଦାସଙ୍କୁ ସୂଚନା ଅଧିକାର ଆଇନ ବଳରେ ଗତମାସ ୯ ତାରିଖରେ କମିସନରେଟ ପୁଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ୧୨ ବର୍ଷ ଭିତରେ ୧୯୧ ଜଣ ବନ୍ଧୁକ ଲାଇସେନ୍ସ ପାଇଛନ୍ତି। ୧୧୦ ଜଣ ନବୀକରଣ କରିଥିବା ବେଳେ ୨୨ ଜଣ ନବୀକରଣ କରି ନାହାନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ୫୯ ଜଣ ଲାଇସେନ୍ସଧାରୀଙ୍କର ବନ୍ଧୁକର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ପୁଲିସ ପାଖରେ ନାହିଁ। ବିଧାୟକ ଅନନ୍ତ ନାରାୟଣ ଜେନା ବନ୍ଧୁକ ବିବରଣୀ ଦାଖଲ କରିନଥିବା ଜଣାପଡ଼ିଛି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି କରୋନା ଯୋଗୁଁ ଯିବା ଆସିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଆଗାମୀ ତିନି ଚାରି ମାସ ମଧ୍ୟରେ ପୂରା ସ୍ବାଭାବିକ ହୋଇଯିବା ପରେ ଲାଇସେନ୍ସ ନବୀକରଣ ପ୍ରକ୍ରିୟା ଶେଷ ହୋଇଯିବ। ଅପରପକ୍ଷରେ ଖୁବ୍‌ଶୀଘ୍ର ଲାଇସେନ୍ସ ନବୀକରଣ କରିବେ ବୋଲି ଶ୍ରୀ ମାରିକ କହିଛନ୍ତି।

ସମ୍ବନ୍ଧିତ ଖବର