ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ପରଲୋକ

ଭୁବନେଶ୍ବର/ହାଟଡିହି : କରୋନା ଆକ୍ରାନ୍ତ ହୋଇ ଦୀର୍ଘ ତିନି ମାସ ହେଲା ମୃତ୍ୟୁ ସହ ସଂଗ୍ରାମ କରୁଥିବା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ସଂଗ୍ରାମ କେଶରୀ ଜେନା (ବାପି) ଶେଷରେ ହାରି ଯାଇଛନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା।

ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବଡ଼ପୁଅ ସଂଗ୍ରାମ ୩ ମାସ ତଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଫୁସ୍‌ଫୁସ୍‌ରେ ସଂକ୍ରମଣ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନ ଥିଲା। ସେହି ସମୟରେ ରାଜ୍ୟରେ ଏକ୍‌ମୋ ସୁବିଧା ନ ଥିବାରୁ ତାଙ୍କୁ ମେ’ ମାସ ଶେଷ ସପ୍ତାହରେ ସଂଗ୍ରାମଙ୍କୁ ଏୟାର ଆମ୍ବୁଲାନ୍‌ସରେ ହାଇଦ୍ରାବାଦ ନିଆଯାଇଥିଲା। ସେଠାରେ ଗତ ୮୪ ଦିନ ଧରି ସେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କ ମୃତ୍ୟୁରେ କଂଗ୍ରେସ ନେତା ଓ କର୍ମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।


ଗୁରୁବାର ସଂଧ୍ୟାରେ ସଂଗ୍ରାମଙ୍କ ମୃତଦେହ ହାଇଦ୍ରାବାଦରୁ ଭୁବନେଶ୍ବରରେ ପହଞ୍ଚିଥିଲା। ରାଜମହଲ ଛକରୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଆସିଥିଲା। ସେଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ରାଜ୍ୟ କଂଗ୍ରେସ ଭବନରେ ଏକ ‌ଶୋକସଭା ହୋଇଥିଲା। ଶୋକସଭାରେ ଅଧ୍ୟକ୍ଷତା କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ, ବାପି ବାବୁଙ୍କର କାର୍ଯ୍ୟ ସରି ନ ଥିଲା। ସେ ଆହୁରି ଆଗକୁ ବଢ଼ିଥାନ୍ତେ। ଜଣେ ସଂଗଠକ ଭାବେ ତାଙ୍କର ସ୍ବତନ୍ତ୍ର ସ୍ଥାନ ଥିଲା। ଈଶ୍ବର ତାଙ୍କ ଅମର ଆତ୍ମାର ସଦ୍‌ଗତି ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ଏଆଇସିସିର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଏ ଚେଲା କୁମାର ଓ ସହ ପ୍ରଭାରୀ ଜି.ରୁଦ୍ର ରାଜୁ ସଂଗ୍ରାମଙ୍କ ବିୟୋଗରେ କଂଗ୍ରେସ ପରିବାର ପାଇଁ ଅପୂରଣୀୟ କ୍ଷତି ‌ବୋଲି କହିଛନ୍ତି।

ଶ୍ରଦ୍ଧାଞ୍ଚଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ପଟ୍ଟନାୟକ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ ରାଉତରାୟ, ପ୍ରଦୀପ ମାଝୀ, ପଞ୍ଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠିର ‌ଜେନା, ଯଜ୍ଞେଶ୍ବର ବାବୁ, ହଳଧର ସେଠୀ, ଅମୀୟ ପଟ୍ଟନାୟକ, ବନ୍ଦିତା ପରିଡ଼ା, ବିଶ୍ବରଂଜନ ମହାନ୍ତି, ବିଶ୍ବଭଷଣ ଦାସ, ରବି କର, କିଶୋର ଜେନା, ବିଶ୍ବଜିତ ଦାସ, ରଶ୍ମି ମହାପାତ୍ର, ସ୍ମୃତିରଂଜନ ଲେଙ୍କା, ମନୋରଂଜନ ଦାଶ, ସୁଦର୍ଶନ ଦାସ, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର ଓ ଅନ୍ୟ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହି ଶ୍ରଦ୍ଧାଞ୍ଚଳି ଜଣାଇଥିଲେ। ଶୁକ୍ରବାର ଦିନ ସ୍ବର୍ଗତଃ ଜେନାଙ୍କ ମରଶରୀରକୁ ତାଙ୍କ ଜନ୍ମସ୍ଥାନ ହାଟଡିହି ବ୍ଲକ୍‌ ଶଙ୍ଖଣା ଗ୍ରାମକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ସଂଗ୍ରାମ ଭଦ୍ରକ କଲେଜରେ ପାଠ ପଢ଼ିବା ସମୟରୁ ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ସେ ନିଜ ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସଂଗ୍ରାମ ଭଦ୍ରକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ‌ହୋଇଥିଲେ। ତାଙ୍କ ପରଲୋକରେ ଆନନ୍ଦପୁର ଉପଖଣ୍ଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଓ ପୂର୍ବତନ ବିଧାୟକ ମାୟାଧର ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ବିମ୍ବାଧର ବିଶ୍ୱାଳ, ବିଜେପି ନେତା ଆଲୋକ ସେଠୀ, ବ୍ଲକ୍‌ କଂଗ୍ରେସ ସଭାପତି ପ୍ରଶାନ୍ତ ସ୍ୱାଇଁ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ ଓ କଂଗ୍ରେସର ଜିଲ୍ଲା ସମ୍ପାଦକ କ୍ଷୀରୋଦ କୁମାର ରାଉତ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର