ପୂର୍ବତନ ସାଂସଦ ଏ.ଭି. ସ୍ୱାମୀଙ୍କ ପରଲୋକ, ଆଜି ହେବ ଅନ୍ତିମ ସତ୍କାର

ନୂଆପଡ଼ା : ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଗାନ୍ଧୀବାଦୀ ଓ ସମାଜସେବୀ ଏ. ଭି. ସ୍ବାମୀ (୯୧) ମଙ୍ଗଳବାର ଦିନ ୧୧ଟା ସମୟରେ ଖରିଆରରୋଡ଼ ୱାର୍ଡ ନଂ ୮ ନିଜ ବାସଭବନରେ ପରଲୋକ ଘଟିଛି। ଏହି ଖବର ଜଣାପଡ଼ିବା ପରେ ନୂଆପଡ଼ା ଜିଲ୍ଲା ତଥା ଖରିଆର ସହରରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକେ ପହଞ୍ଚିବା ପରେ ଆସନ୍ତା ବୁଧବାର ତାଙ୍କର ଅନ୍ତମ ସଂସ୍କାର ଖରିଆରରୋଡ଼ ଠାରେ କରାଯିବ।

ପ୍ରକାଶ ଯେ, ସ୍ବର୍ଗତ ଏ. ଭି. ସ୍ବାମୀ ୧୯୨୯ ମସିହା ଜାନୁଆରି ୧୪ ତାରିଖ ଦିନ ନବରଙ୍ଗପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପୂରାନାମ ଥିଲା ଆଲାଜାଙ୍ଗି ବିଶ୍ବନାଥ ସ୍ବାମୀ। ମଂଗଳବାର ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ଡାକ୍ତରଖାନା ନେବାକୁ ଘରୁ ବାହାର କରୁଥିବା ସମୟରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏ. ଭି. ୧୯୭୧ରୁ ୧୯୮୪ ପର୍ଯ୍ୟନ୍ତ ଏକ ଅକ୍ସଫାମ୍ପ ସଂସ୍ଥାରେ କାମ କରୁଥିଲେ। ପରେ ନୂଆପଡ଼ା ଜିଲ୍ଲାରେ ବିଶ୍ବାସ ସଂସ୍ଥାର ନିର୍ଦ୍ଦେଶକ ଥିଲେ। ପରେ ୪ ଏପ୍ରିଲ ୨୦୧୩ରୁ ୩ ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ସ୍ବାଧୀନ ପ୍ରର୍ଥୀ ଭାବେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ସେ ରେଳବାଇ ବୋର୍ଡର ମଧ୍ୟ ମେମ୍ବର ଥିଲେ। ତାଙ୍କର ସଫଳତା ନୂଆପଡ଼ା ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି। ତାଙ୍କର ୩ ଝିଅ ସୁମତି, ସୁମିତ୍ରା, ସୁଚିତ୍ରା, ୨ ପୁଅ ସୁନୀଲଓ ସୁରେଶ ଅଛନ୍ତି। ବଡ଼ପୁଅ ଦୁବାଇରେ ଥିବାବେଳେ ଝିଅ ସୁମିତ୍ରା ନବରଙ୍ଗପୁରରେ ରହୁଛନ୍ତି। ସେମାନେ ପହଞ୍ଚିବା ପରେ ଆସନ୍ତାକାଲି ତାଙ୍କର ଅନ୍ତିମ ସତ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ଆଜି ତାଙ୍କ ବାସଭବନରେ ବହୁ ଲୋକେ ଶେଷ ଦର୍ଶନ କରିଥିଲେ। ନୂଆପଡ଼ା ଓକିଲ ସଂଘ ସଭାପିତ ପ୍ରସନ୍ନ ପାଢ଼ୀଙ୍କ ନେତୃତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ମଧ୍ୟ ଏକ ଶୋକସଭା ଅନୁଷ୍ଠିତ ହୋଇଛି।

ସମ୍ବନ୍ଧିତ ଖବର