ବ୍ରହ୍ମପୁର : ବିଭିନ୍ନ ଉନ୍ନୟନ କାର୍ଯ୍ୟପାଇଁ ଆସିଥିବା ସରକାରୀ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ହେର୍ଫେର୍ ମାମଲାରେ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଲବାରସିଂ ପଂଚାୟତ ପୂର୍ବତନ ସରପଞ୍ଚ ଖଡ଼ିକା ବଡ଼ନାୟକ ଏବଂ ତତ୍କାଳୀନ ଭିଏଲ୍ଡବ୍ଲୁ ସୁଷମା ସିଂ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଅରୁଣ କୁମାର ସାହୁ ଉକ୍ତ ମାମଲାର ବିଚାରଣା କରି ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଆଧାରରେ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ପ୍ରତ୍ୟେକଙ୍କୁ ୨ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୩ହଜାର ଟଙ୍କା ଜରିମାନା, ଏହା ଅନାଦେୟ ହେଲେ ଅଧିକ ୨ମାସ ଲେଖାଏଁ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଦୋଷୀ ସାବ୍ୟସ୍ତ ତତ୍କାଳୀନ ଭିଏଲ୍ଡବ୍ଲୁ ସୁଷମା ସିଂ ବର୍ତ୍ତମାନ ଗଂଜାମ ଜିଲ୍ଲା ରଂଗେଇଲୁଣ୍ଡା ବ୍ଲକ୍ରେ ଥିବା ଏଗ୍ରିକଲଚର୍ ଓଭରସିଅର୍ ଥିବା ବେଳେ ତାଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯିବ ବୋଲି ଜାରି ପ୍ରେସ୍ ବିବୃତିରେ ଦର୍ଶାଯାଇଛି।
ସୂଚନା ମୁତାବକ, ୨୦୦୬-୦୭ ଆର୍ଥିକ ବର୍ଷରେ ମୋହନା ବ୍ଲକ୍ ଲବାର୍ସିଂ ପଂଚାୟତକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବହୁ ଅର୍ଥ ମିଳିଥିଲା। କିନ୍ତୁ ତତ୍କାଳୀନ ସରପଂଚ ଓ ଭିଏଲ୍ଡବ୍ଲୁ ନିଜ କ୍ଷମତାର ଦୁରୁପଯୋଗ କରି ଉକ୍ତ ସରକାରୀ ପାଣ୍ଠିରୁ ୧,୧୨,୪୧୮ଟଙ୍କା ହେର୍ଫେର୍ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନସ୍ ପକ୍ଷରୁ ୨୦୦୯ମସିହାରେ ଏକ ମାମଲା ରୁଜୁ କରା ଯାଇଥିବା ବେଳେ ତତ୍କାଳୀନ ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍ପି ପ୍ରଶାନ୍ତ କୁମାର ଦ୍ବିବେଦୀ ଏହାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲେ। ଏହି ମାମଲାର ବିଚାରଣା ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ କୋର୍ଟରେ ହୋଇଥିଲା। ୧୨ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଆଜି ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।