ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବାଇପାସ୍‌ ଛକ ନିକଟରେ ହାଇୱା ଧକ୍କାରେ ରାଜନଗର ପଞ୍ଚାୟତର ପୂର୍ବତନ ସରପଞ୍ଚ ରବୀନ୍ଦ୍ରନାଥ ନାୟକଙ୍କ ମୃତ୍ୟୁ ଘଟିଛି। ଆଜି ଦିନ ପ୍ରାୟ ୧୧ଟାରେ ସେ ନିଜ ଗାଁ ମହିଁଷାସୁର ପଞ୍ଚାୟତ ଚଣ୍ଡିଆପଲ୍ଲୀରୁ ବାଇକ୍‌ ଯୋଗେ ରାଜନଗର ଆସୁଥିଲା ବେଳେ ବାଇପାସ ଛକ ନିକଟରେ ତାଙ୍କୁ ଏକ ହାଇୱା ପଛପଟୁ ଧକ୍କା ଦେଇଥିଲା। ବାଇକ୍‌ରୁ ସେ ତଳେ ପଡ଼ିଯାଇଥିଲେ। ହାଇୱା ଚକା ରବୀନ୍ଦ୍ରଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। 

Advertisment

ଉତ୍ତ୍ୟକ୍ତ ଲୋକମାନେ ରାଜନଗର ହଂସୁଆ ସେତୁ ନିକଟରେ ଟାୟାର୍‌ ଜାଳି ରାସ୍ତାରୋକ କରିଥିଲେ। ହାଇୱା ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ରାଜନଗର ଅଞ୍ଚଳର ଜଣେ ମୁରବିଙ୍କ ମୃତ୍ୟୁ ଘଟିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ରାସ୍ତାରୋକ ଯୋଗୁଁ ହଂସୁଆ ସେତୁରୁ ଗୋପାଳପୁର ଯାଏଁ ଶତାଧିକ ଗାଡ଼ି ଅଟକି ରହିଥିଲା। ଖବର ପାଇ ତହସିଲଦାର ଅଜୟ କୁମାର ମହାନ୍ତି, ଥାନା ଆଇଆଇସି ନରେଶ କୁମାର ସାହୁ ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। 

ସୂଚନାଯୋଗ୍ୟ ଯେ ସ୍ବର୍ଗତ ନାୟକ ୧୯୮୪ରେ ରାଜନଗର ପଞ୍ଚାୟତର ସରପଞ୍ଚ ଥିଲେ। ଏହାପରେ ସେ ଦୁଇଥର ରାଜନଗର ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଥିଲେ। ତାଙ୍କ ବୋହୂ ବର୍ତ୍ତମାନ ମହିଁଷାସୁର ପଞ୍ଚାୟତର ସମିତି ସଭ୍ୟା ଅଛନ୍ତି। ତାଙ୍କ ବିୟୋଗରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।