ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ମନ୍ଦାର ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ବିଷୋୟୀଙ୍କ ବିରୋଧରେ ଚାଉଳ ହଡ଼ପ ନେଇ ୨୦୦୬ ମସିହାରେ ଭିଜିଲାନସ୍‌ ମାମଲା ରୁଜୁ କରିଥିଲା। ଏହି ମାମଲାର ବିଚାରଣା କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ୍ ବିଚାରପତି ଡ.ଅରୁଣ କୁମାର ସାହୁ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି।

Advertisment

ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ବିଷୋୟୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ସହ ୫୦୦୦ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇମାସ ସଶ୍ରମ ଜେଲ୍‌ଦଣ୍ଡ ଭୋଗିବାକୁ ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି। ଏଥିସହ ଆଇପିସିର ଦଫା ୪୦୯ ଅନୁସାରେ କୋର୍ଟ ‌ପୂର୍ଣ୍ଣଚନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଦେବାକୁ ଏବଂ ଜରିମାନା ଅନାଦେୟ ରହିଲେ ଅଧିକ ଏକମାସ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।