ଏସ୍‌ସିବିର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସାହୁଙ୍କ ପରଲୋକ

ଆମେରିକାରେ ଅସୁସ୍ଥତା ଯୋଗୁ ଚିକିତ୍ସାଧୀନ ଥି‌ଲେ

କଟକ : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ (ଏସ୍‌ସିବି)ର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରଫେସର (ମୂତ୍ରରୋଗ ବିଭାଗ) ଡା. ଲକ୍ଷ୍ମୀକାନ୍ତ ସାହୁ ଆଉ ଇହଧାମରେ ନାହାନ୍ତି। ସେ ତାଙ୍କ ଝିଅଜ୍ଵାଇଁ ପାଖକୁ ଆମେରିକା ଯାଇଥିବାବେଳେ ଫୁସ୍‌ଫୁସ୍‌ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗତ ଅଗଷ୍ଟ ମାସ ୨୧ ତାରିଖରେ ନିଉଜର୍ସି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରବିବାର ଦିନ ଭାରତୀୟ ସମୟରେ ଅପରାହ୍ନ ୩ଟା ୪୫ ମିନିଟ୍‌ ସମୟରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ବୀଣାପାଣି ସାହୁ, କନ୍ୟା ଈପ୍ସିତା ଓ ଜ୍ୱାଇଁ ରାଜଦୀପ ଉପସ୍ଥିତ ଥିଲେ। ଏକମାତ୍ର ପୁତ୍ର ଅମିତ ସାହୁ ବେଙ୍ଗାଲୁରୁରେ କାର୍ଯ୍ୟରତ।

ସ୍ବର୍ଗତଃ ଲକ୍ଷ୍ମୀଧର ସାହୁ ୧୯୪୩ ମସିହା ସେପ୍ଟେମ୍ବର ୧୪ ତାରିଖ ଦିନ କୋରାପୁଟର ଜୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ଡାକ୍ତର ଚିନ୍ତାମଣି ସାହୁଙ୍କ ଜ୍ୟେଷ୍ଠ ପୁତ୍ର। ୧୯୬୭ ମସିହାରେ ଏସ୍‌ସିବି ମେଡିକାଲ କଲେଜରୁ ଡାକ୍ତରୀ ପାସ୍‌ ପରେ ୧୯୭୫ ମସିହା‌ରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ସୁପର୍ ସ୍ପେସିଆଲିଟି କରିଥିଲେ। ବୁର୍ଲା ଓ କଟକ ମେଡିକାଲ କଲେଜରେ ବିଭିନ୍ନ ପଦରେ ଅବସ୍ଥିତ ହେବା ସହିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ। ୧୯୮୫ ମସିହାରେ ସେ ବୁର୍ଲା ମେଡିକାଲ କଲେଜ ହସ୍ପିଟାଲରେ ପ୍ରଥମକରି ସଫଳତାର ସହ କିଡ୍‌ନି ପ୍ରତିରୋପଣ କରିଥିଲେ। ୧୯୯୯ ମସିହାରେ ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରି ୨୦୦୧ରେ ଅବସର ଗ୍ରହଣ କରିଥିଲେ। ସେ ଇଉରୋଲୋଜିକାଲ ସୋସାଇଟି, ଓଡିଶାର ପ୍ରତିଷ୍ଠାତା ସଭାପତି ଥିଲେ। ମୂତ୍ରରୋଗ ସମ୍ବନ୍ଧରେ ଜନସଚେତନତା ଆଣିବା ପାଇଁ ବିଭିନ୍ନ ଆଲୋଚନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ।

ତାଙ୍କ ତିରୋଧାନରେ ଡାକ୍ତରୀସେବା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏବଂ, ସବୁଆଡ଼େ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର