ଭିଜିଲାନ୍ସ ଜାଲରେ ପଣ୍ୟାଗାର ପୂର୍ବତନ ଅଧୀକ୍ଷକ

ଲକ୍‌ଡାଉନ୍‌ ବେଳେ ତିଆରି କରିଥିଲେ ଏକ କୋଟି ୧୦ ଲକ୍ଷ ଟଙ୍କାର ଘର

ବଲାଙ୍ଗୀର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପଣ୍ୟାଗାର (ୱେରହାଉସ୍‌)ର ପୂର୍ବତନ ଅଧୀକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ପାଖରେ ପାଖାପାଖି ସାଢ଼େ ୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜଣାପଡ଼ିଛି।

ଆଜି ସକାଳୁ ଭିଜିଲାନ୍ସ ଟିମ ସ୍ଥାନୀୟ ପେଲେସଲାଇନସ୍ଥିତ ଗଣପତିଙ୍କ ଘର ସହ ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ କରିଥିଲେ। ସେ ରହୁଥିବା ଘର ଓ ନୂତନ ଭାବରେ ନିର୍ମାଣ କରିଥିବା ଘର ସହ ତାଙ୍କ ପତ୍ନୀଙ୍କ ଅଫିସରେ ଚଢ଼ଉ କରାଯାଇଥିଲା। ଘରେ ବିଭିନ୍ନ କାଗଜପତ୍ର ଭିଜିଲାନ୍ସ ଯାଞ୍ଚ କରିଥିଲା। ଅନେକ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସମୟରେ ସେ ଲକ୍ଷ ଲକ୍ଷ ଟଙ୍କା ଆକାଉଣ୍ଟରେ ଜମା ରଖିଥିବା ଜଣାପଡ଼ିଥିଲା।

ମିଳିଥିବା ସୂଚନା ଅନୁସାରେ, ତାଙ୍କର ଗୋଟିଏ ଘର ୭୧ ଲକ୍ଷ ଟଙ୍କା, ଆଉ ଏକ ନୂଆ ଘର ସେ ତିଆରି ସାରିଥିବା ବେଳେ ତାହାର ମୂଲ୍ୟ ଏକ କୋଟି ୧୦ ଲକ୍ଷ ଟଙ୍କା, ସାଲେପାଲିରେ ୪୨ ଲକ୍ଷ ଟଙ୍କାର ଏକ ପ୍ଲଟ, ଏକ ହୋଣ୍ଡା ସିଟି କାର, ବିଭିନ୍ନ ବ୍ୟାଙ୍କରେ ମୋଟ ୯୦ ଲକ୍ଷ ଟଙ୍କା ଥିବା ଭିଜିଲାନ୍ସ ସୂଚନା ପାଇଛି। ମୋଟ ଉପରେ ଏକ କୋଟି ୬୭ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ବାହାରିଥିବା ଭିଜିଲାନ୍ସ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛି। ଚଢ଼ଉରେ ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି ସଦାନନ୍ଦ ପାଣି, ବରଗଡ଼ ଡିଏସ୍‌ପି ଦାଶରଥି ସେଠୀ, ସମ୍ବଲପୁର ଡିଏସ୍‌ପି ସୁଜାତା ପଣ୍ଡା, ଇନ୍‌ସ୍ପେକ୍ଟର ତୁଷାର ମହାପାତ୍ର, ରୀତାଞ୍ଜଳି ପ୍ରଧାନ ପ୍ରମୁଖଙ୍କ ସହ ଭିଜିଲାନ୍ସର ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ। କରୋନା ଲକ୍‌ଡାଉନ୍‌ ସମୟରେ ସେ ଏକ କୋଟି ୧୦ ଲକ୍ଷ ଟଙ୍କାର ଘର ତିଆରି କରିଥିଲେ। ଭିଜିଲାନ୍ସ ଚଢ଼ଉ ପରେ ଟିଟିଲାଗଡ଼ ପଣ୍ୟାଗାର ଗୋଦାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର