କେନ୍ଦୁଝର : ସହରାଞ୍ଚଳ ଆଲୋକୀକରଣରେ ହୋଇଥିବା ବ୍ୟାପକ ଦୁର୍ନୀତି ନେଇ ବାରମ୍ବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ କେନ୍ଦୁଝରଗଡ଼ ପୌରସଂସ୍ଥାର ପୋଲ୍ ଖୋଲିଯାଇଛି। ପୌରସଂସ୍ଥା ପ୍ରତିଶୋଧ ପରାୟଣ ହୋଇଛି। ପୌରସଂସ୍ଥାର ନିର୍ବାହୀ ଅଧିକାରୀଙ୍କ ଅଭିଯୋଗକ୍ରମେ ଠିକାସଂସ୍ଥା ‘ଆସ୍ଥା’ ଇଲେକ୍ଟ୍ରିକାଲର ପୂର୍ବତନ ସୁପରଭାଇଜର ଅନ୍ନଦା ମହାପାତ୍ରଙ୍କୁ କେନ୍ଦୁଝର ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କେନ୍ଦୁଝର ଜେଲ୍କୁ ପଠାଇ ଦିଆଯାଇଛି। ଆଲୋକୀକରଣ କାର୍ଯ୍ୟରେ କୋଟିକୋଟି ଟଙ୍କା ଦୁର୍ନୀତି ନେଇ ପୌରସଂସ୍ଥାର ଭୂମିକା ପଦାରେ ପଡ଼ିବା ପରେ ନିଜ ଦୋଷ ଲୁଚାଇବାକୁ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସୁପରଭାଇଜର ଅନ୍ନଦାଙ୍କୁ ଗିରଫ କରିଥିବା ଚର୍ଚ୍ଚା ହେଉଛି।
କେନ୍ଦୁଝରଗଡ଼ ପୌରସଂସ୍ଥାର ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ କେନ୍ଦୁଝର ଟାଉନ ଥାନାରେ ଚିଠି ଟାମ୍ପରିଂ ନେଇ ଅନ୍ନଦାଙ୍କ ନାମରେ ଅଭିଯୋଗ କରିଥିଲେ। ନଭେମ୍ବର ୨୫ ତାରିଖରେ ଅନ୍ନଦାଙ୍କୁ ଟାଉନ ଥାନା ପୁଲିସ ଉଠାଇ ଆଣିଥିଲା। ହେଲେ ଅସୁସ୍ଥତା କାରଣରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୨୬ ତାରିଖରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଛଡ଼ା ଯାଇଥିଲା। ଅନ୍ନଦା କଟକ ଯାଇ ଚିକିତ୍ସିତ ହେଉଥିଲେ। ୨ ତାରିଖରେ ପୁଣି ପୁଲିସ ଅନ୍ନଦାଙ୍କୁ କଟକରୁ ଆଣି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଏଠାରେ ପୁଲିସର ଏକ ଟିମ୍ ତାଙ୍କୁ ଘେରି ରହିଥିଲା। ଗତକାଲି ସେ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରଯାଇଥିଲା।