ପ୍ରାକ୍ତନ ପରିବହନ କର୍ମଚାରୀଙ୍କ ଆତ୍ମହତ୍ୟା

ଅବସରକାଳୀନ ପ୍ରାପ୍ୟରୁ ବଞ୍ଚିତ ହୋଇଥିଲେ

କଟକ-ଜଗତପୁର : ଗତକାଲି ଜଗତପୁର ରେଳଷ୍ଟେସନଠାରୁ ସ୍ବଳ୍ପ ଦୂରରେ ରେଳଧାରଣା ପାର୍ଶ୍ୱରେ ଥିବା ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଜଣେ ଅବସରପ୍ରାପ୍ତ ପରିବହନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବେକରେ ଗାମୁଛା ବାନ୍ଧି ମୃତଦେହ ଗଛଡ଼ାଳରେ ଝୁଲିଥିବା ନେଇ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଜଗତପୁର ଥାନା ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତକଜଣକ ଚୌଦ୍ୱାର ଥାନା ଡିହସାହିର ବିଷ୍ଣୁ ଚରଣ ବେହେରା(୬୬) ବୋଲି ପରିଚୟ ମିଳିଛି। ପରିବହନ ବିଭାଗରେ ଡ୍ରାଇଭର୍‌ ଭା‌ବେ କାମ କରୁଥିବା ଶ୍ରୀ ବେହେରା ୨୦୧୪ ମସିହାରୁ ଅବସର ନେଇଥିଲେ ବି ଅବସରକାଳୀନ ପ୍ରାପ୍ୟରୁ ବଞ୍ଚିତ ଥିଲେ।

ସୂଚନା ଅନୁଯାୟୀ, ଶ୍ରୀ ବେହେରା ବହୁବର୍ଷ ହେଲା ନିଜ ଶ୍ୱଶୁରଘର, ପୁରୁଣା ଜଗତପୁର ଗ୍ରାମପାର୍ଶ୍ୱ ନଜ଼ରପୁରଠାରେ ଏକ ଭଡାଘରେ ରହୁଥିଲେ। ସେ ରାଜ୍ୟ ସରକାରଙ୍କ ପରିବହନ ବିଭାଗର ବସ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରି ଗତ ୨୦୧୪ ମସିହାରେ ଅବସର ନେଇଥିଲେ। ସରକାରଙ୍କ ପକ୍ଷରୁ ତାଙ୍କୁ ଅବସରକାଳୀନ ପ୍ରାପ୍ୟ ନ ମିଳିବାରୁ ସେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ପାଇଁ ଅଦାଲତ ପରିବହନ ବିଭାଗକୁ ନିର୍ଦେଶ ଦେଇଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ପ୍ରାପ୍ୟ ଦେବାରେ ଅହେତୁକ ବିଳମ୍ବ କରିଥିଲେ। ଏଥିରେ ସେ ମାନସିକ ଭାରସାମ୍ୟ ହରାଇ ଅଧିକାଂଶ ସମୟ ବିବ୍ରତ ରହୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ଗତକାଲି ସେ ଘରୁ ବାହାରି ଆସି ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅନୁମାନ କରୁଛନ୍ତି। ପୁଲିସ ଶବ ବ୍ୟବଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର