ଭୁବନେଶ୍ୱର : ଅଧିକାରୀଙ୍କ ଅପାରଗତା ଯୋଗୁଁ ରାଜ୍ୟ ସରକାର ରାଜ୍ୟ ରାଜକୋଷରୁ ୭ କୋଟି ୨୪ ଲକ୍ଷ ଟଙ୍କା ଭରଣା କରିବେ। ମାଓ ଉପଦ୍ରୁତ ଅଞ୍ଚଳରେ ମଜଭୁତ ତଥା ସୁରକ୍ଷିତ ଥାନା(ଫର୍ଟିଫାଏଡ୍ ପୁଲିସ ଷ୍ଟେସନ) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଗୃହ ବିଭାଗକୁ ମୋଟା ଅଙ୍କର ଆର୍ଥିକ ଅନୁଦାନ ଦେଇଥିଲେ। ଏହାକୁ ଖର୍ଚ୍ଚ କରିବା ପାଇଁ ଦେଢ଼ବର୍ଷ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପ୍ରକଳ୍ପ ଶେଷ ହେବାକୁ ୮ ବର୍ଷ ଲାଗିଗଲା। ଏଥିପାଇଁ ହୋଇଥିବା ଅତିରିକ୍ତ ଖର୍ଚ୍ଚ ନିଜ ପାଣ୍ଠିରୁ ରାଜ୍ୟ ସରକାର ଭରଣା କରିବାକୁ ଯାଉଛନ୍ତି। ଅଧିକାରୀମାନେ ନିଜ ଅପାରଗତାକୁ ଚାପି ଦେଇଥିଲେ ଅଡିଟ୍ ବେଳେ ଏହା ଧରାପଡ଼ିଛି।
ବିଭିନ୍ନ ସମୟରେ ଥାନା ପୋଡ଼ି ଘଟଣା ପଦାକୁ ଆସିବା ପରେ ୨୦୧୦-୧୧ ମସିହାରେ ମାଓ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷିତ ଥାନା ପ୍ରତିଷ୍ଠା କରିବା ପାଇଁ ଯୋଜନା ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ୮୦:୨୦ ଅନୁପାତରେ ୭୦ଟି ଥାନା ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିଲା। ଥାନା ପିଛା ୨ କୋଟି ହିସାବରେ ଖର୍ଚ୍ଚ ଧାର୍ଯ୍ୟ ହୋଇଥିଲା। ୨ କୋଟିରୁ ୮୦ ପ୍ରତିଶତ (୧୬୦ ଲକ୍ଷ) କେନ୍ଦ୍ର ସରକାର ଦେଉଥିବା ବେଳେ ୨୦ ପ୍ରତିଶତ(୪୦ ଲକ୍ଷ) ରାଜ୍ୟ ସରକାର ଦେବେ। ଜମି ଓ ଅତିରିକ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଯାହା ଅର୍ଥ ବଳକା ରହିବ ତାହାକୁ କେନ୍ଦ୍ର ସରକାରଙ୍କୁ ଫେରାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। ୨୦୧୦-୧୧ ମସିହାରେ ଓଡ଼ିଶା ରାଜ୍ୟ ପୁଲିସ ଗୃହ ଓ କଲ୍ୟାଣ ନିଗମ କାର୍ଯ୍ୟକୁ ହାତକୁ ନେଇଥିଲା। ମାଓ ଉପଦ୍ରୁତ ୧୫ ଜିଲ୍ଲାରେ ୭୦ଟି ଥାନା ନିର୍ମାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଅନେକ ପ୍ରକଳ୍ପରେ ଟେଣ୍ଡର ପ୍ରକ୍ରିୟାରେ କେହି ଭାଗ ନ ନେବାରୁ ବିଭାଗ ନିଜେ କାମ କରୁଥିଲା। ୧୮ ମାସରେ କାମ ସାରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ୭୦ରୁ ୬୯ ପ୍ରକଳ୍ପ ସରିବାକୁ ୮ ବର୍ଷ ଲାଗିଥିଲା। ଇତିମଧ୍ୟରେ ୨୦୧୭-୧୮ ମସିହାରେ ଏହି ଯୋଜନାର ଅଗ୍ରଗତି ନେଇ କେନ୍ଦ୍ର ସରକାର ରିପୋର୍ଟ ତଲବ କରିଥିଲେ। ରିପୋର୍ଟରେ ଗୃହ ବିଭାଗ ଦର୍ଶାଇଥିଲା ଯେ, ଅନେକ କ୍ଷେତ୍ରରେ ସରକାରୀ ଜମି ହସ୍ତାନ୍ତର ନେଇ ସସମ୍ୟା ହୋଇଥିଲା। ଟେଣ୍ଡରରେ କେହି ଭାଗ ନ ନେବାରୁ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଏଣୁ ୨ କୋଟି ହିସାବରେ ୧୪୦ କୋଟି ଜାଗାରେ ୧୪୭କୋଟି ୨୪ ଲକ୍ଷ ଖର୍ଚ୍ଚ ହୋଇଥିଲା। ୭ କୋଟି ୨୪ ଲକ୍ଷ ଅତିରିକ୍ତ ଖର୍ଚ୍ଚ ହୋଇଥିଲା। ଆଉ ଦୁଇଟି ଥାନା ମଧ୍ୟ ସମ୍ପୂର୍ଣ୍ଣ ହୋଇନଥିଲା। ସୁଧ ବାବଦକୁ ୧୫ କୋଟି ୨୦ ଲକ୍ଷ ସଂଗ୍ରହ ହୋଇଥିଲା। ଏଭଳି ଜଣାପଡ଼ିବା ପରେ ପୁଣି ଥରେ କେନ୍ଦ୍ର ସରକାର ସ୍ଥିତାବସ୍ଥାକୁ ନେଇ ରିପୋର୍ଟ ତଲବ କରିଥିଲେ। ୨୦୧୯ ମସିହା ଅପ୍ରେଲ ମାସରେ ସରକାର କେନ୍ଦ୍ରକୁ ରିପୋର୍ଟ ଦେଇଥିଲେ। ସେହି ମାସ ୧୨ ତାରିଖ ଦିନ ସରକାର କେନ୍ଦ୍ରକୁ ସୁଧ ବାବଦକୁ ପାଇଥିବା ଅର୍ଥ ମଧ୍ୟ ଫେରାଇଥିଲେ। ଏଣୁ ୭କୋଟି ୨୪ ଲକ୍ଷର ଅତିରିକ୍ତ ଖର୍ଚ୍ଚ ରାଜ୍ୟ ସରକାର ନିଜ ପାଣ୍ଠିରୁ ଭରଣା କରିଥିଲେ।
ଏହି କ୍ଷତି ସମନ୍ବୟ ଅଭାବ ଓ ଅଧିକାରୀଙ୍କ ଅପାରଗତାରୁ ହୋଇଥିବା ଅଡିଟ୍ ଦର୍ଶାଇଥିଲେ। ନିର୍ଦ୍ଦେଶନାମା ଉଲ୍ଲଂଘନ କରି ଓଡ଼ିଶା ରାଜ୍ୟ ପୁଲିସ ଗୃହ ଓ କଲ୍ୟାଣ ନିଗମକୁ ଏହି ଅତିରିକ୍ତ ଖର୍ଚ୍ଚ କରିବାକୁ ଅଧିକାରୀମାନେ ମଞ୍ଜୁରି ପ୍ରଦାନ କରିଥିଲେ। ସୁଧ ଅର୍ଥକୁ ଆଡ୍ଜଷ୍ଟ କରାଯିବ ବୋଲି ମନମାନି କରିଥିଲେ। ପ୍ରକଳ୍ପକୁ ନିୟମିତ ତଦାରଖ କରିନଥିଲେ। ଜମି ହସ୍ତାନ୍ତର ହେବା ପ୍ରକ୍ରିୟା ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ବିଳମ୍ବିତ ହୋଇଥିବା ଏଜି ଅଡିଟ୍ରେ ଦର୍ଶାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/images-12.jpg)