ରାୟଗଡ଼ା : ଖୋଲୁଛି ସାର ଦୁର୍ନୀତିର ଗୁମର; ଚାଷୀଙ୍କୁ ମନା, ଡିଲରଙ୍କୁ ସାହାଣମେଲା

‘ସମ୍ବାଦ’ ଅନୁସନ୍ଧାନ

ପଦାରେ ପଡ଼ିଲା ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନର ଡିଲର୍ ପ୍ରୀତି
ପ୍ରାଇଭେଟ୍ ବିକ୍ରେତାଙ୍କୁ ଦିଆଯାଇଛି ୫୧୪୬ ମେଟ୍ରିକ୍ ଟନ୍ ସାର୍
ଲ୍ୟାମ୍ପସ, ଏମପିସିଏସ୍ ଅଧିକାରୀ, ଡିଲରଙ୍କୁ ଜାରି ହେଲା ନୋଟିସ୍

ରାୟଗଡ଼ା : ଲ୍ୟାମ୍ପସରେ ଚାଷୀଙ୍କୁ ମିଳୁନି ସାର। ଷ୍ଟକ୍ ନଥିବା କହି ଫେରାଇ ଦେଉଛନ୍ତି ଅଧିକାରୀ। ଏପଟେ ପ୍ରାଇଭେଟ୍ ଡିଲରଙ୍କ ପାଖରେ କିନ୍ତୁ ମହଜୁଦ୍ ଅଛି ଟନ୍ ଟନ୍ ସାର। ବିକ୍ରି ଚାଲିଛି ଚଢ଼ା ଦରରେ। ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନର ଡିଲର୍ ପ୍ରୀତି ଯୋଗୁ ଜିଲ୍ଲାରେ ସାରର କୃତ୍ତିମ ଅଭାବ ପରିସ୍ଥିତି ସୃଷ୍ଟି ହେବା ସହ ଚାଷୀକୁଳ ଶୋଷଣର ଶିକାର ହୋଇଛନ୍ତି। ଲ୍ୟାମ୍ପସ ଭଳି ପ୍ରାଇଭେଟ୍ ଡିଲରଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍ ୫୧୪୬ ମେଟ୍ରିକ୍ ଟନ୍ ସାର ଯୋଗାଇବା ପଛରେ ଲକ୍ଷାଧିକ ଟଙ୍କାର ଡିଲ୍ ହୋଇଥିବା ଅଭିଯୋଗ ହୋଇଛି। ଯାହାର ଗୁମର ଏବେ ଖୋଲିବାରେ ଲାଗିଛି।

ଖରିଫ୍ ଋତୁରେ ଚାଷୀଙ୍କୁ ଆବଶ୍ୟକ ସାର ଲ୍ୟାମ୍ପସ, ଏମପିସିଏସ୍ ମାଧ୍ୟମରେ ଯୋଗାଇବାକୁ ସରକାରଙ୍କ ନିର୍ଦେଶ ରହିଛି। ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାଇଭେଟ୍ ଡିଲରଙ୍କ ଅପେକ୍ଷା ଲ୍ୟାମ୍ପସ, ଏମପିସିଏସକୁ ଅଧିକା ପରିମାଣର ସାର ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। ଜିଲ୍ଲାର ୧୩ ଲ୍ୟାମ୍ପସ, ରାୟଗଡ଼ା ଏମପିସିଏସ ଅଧୀନରେ ଲକ୍ଷାଧିକ ଚାଷୀ ଥିବା ବେଳେ ଖରିଫରେ ଏହି ୧୪ ସଂସ୍ଥାକୁ ମିଳିଛି ୫୮୧୬.୧୫୦ ମେଟ୍ରିକ୍ ଟନ୍ ସାର। ଅଥଚ ଖୋଲା ବଜାରରେ ବିକ୍ରି ପାଇଁ ପ୍ରାଇଭେଟ୍ ଡିଲରଙ୍କୁ ଦିଆଯାଇଛି ସମାନ୍ ପରିମାଣର ୫୧୪୬.୪୬ ଟନ୍ ସାର। ରାଜ୍ୟ ସରକାରଙ୍କ ନିର୍ଦେଶ ଜିଲ୍ଲାପାଳଙ୍କ କଟକଣା ସତ୍ତ୍ବେ କିପରି ଏବଂ କାହା ମାର୍ଫତରେ ଆଗ୍ରୋ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଡିଲରଙ୍କୁ ଏତେ ପରିମାଣର ସାର ଯୋଗାଇଲା ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଲ୍ୟାମ୍ପସରେ ଚାଷୀଙ୍କୁ ସାର ବସ୍ତା ପିଛା (୪୫ କେଜି) ୨୬୬ ଟଙ୍କାରେ ମିଳୁଥିବା ବେଳେ ପ୍ରାଇଭେଟ୍ ଡିଲର ଏବଂ ହୋଲସେଲର ନିକଟରୁ ଚାଷୀ ୪୭୦ରୁ ୫୦୦ ଟଙ୍କାରେ କିଣୁଛି। ଅନ୍ୟପକ୍ଷରେ ଲ୍ୟାମ୍ପସ କର୍ତ୍ତୃପକ୍ଷ କମ ପରିମାଣର ସାର ନେଇଥିବା ଚାଷୀ ନାଁରେ ଅଧିକା ଦେଖାଇ ପ୍ରାଇଭେଟ୍ ଡିଲରଙ୍କୁ ଯୋଗାଉଛନ୍ତି। ବର୍ଷ ବର୍ଷ ଧରି ଲ୍ୟାମ୍ପସ-ଡିଲର-କୃଷି ବିଭାଗ-ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍ ଅଧିକାରୀଙ୍କ ମଧ୍ୟରେ ଚାଲିଛି ଏହି ମଧୁଚନ୍ଦ୍ରିକା। ଯେଉଁଥିରେ ବିଭାଗୀୟ ଅଧିକାରୀ-ଡିଲର ମାଲାମାଲ୍ ହେଉଥିବା ବେଳେ ଚାଷୀ ବେହାଲ୍ ହୋଇ ପଡ଼ୁଛନ୍ତି। ଯାହାର ପ୍ରମାଣ ଲାଗିଛି ‘ସମ୍ବାଦ’ ହାତରେ।

ଚାଷୀଙ୍କୁ ସାର ବିକ୍ରି ପାଇଁ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ବିଷମକଟକ ଲ୍ୟାମ୍ପସକୁ ମିଳିଛି ୫୬୭.୭୦୫ ମେଟ୍ରିକ୍ ଟନ୍। କିନ୍ତୁ ଏହି ବ୍ଲକର ୬ ପ୍ରାଇଭେଟ୍ ଡିଲରଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରି ଦେଇଛି ୭୧୯.୦୨ ମେଟ୍ରିକ୍ ଟନ୍ ସାର। ଯାହା ଲ୍ୟାମ୍ପସ ତୁଳନାରେ ୧୫୧.୩୧୫ ଟନ୍ ଅଧିକା। ସେହିପରି କୋଲନରା ଲ୍ୟାମ୍ପସକୁ ୩୮୬.୫୦୦ ମେଟ୍ରିକ୍ ଟନ୍ ମିଳିଥିବା ବେଳେ ୫ ଡିଲରଙ୍କୁ ମିଳିଛି ୮୨୪.୭୬୫ ମେଟ୍ରିକ୍ ଟନ୍। ମୁନିଗୁଡାରେ ମଧ୍ୟ ସମାନ୍ ଅବସ୍ଥା। ଲ୍ୟାମ୍ପସକୁ ୩୭୪.୮୫୦ ମେଟ୍ରିକ୍ ଟନ୍ ମିଳିଥିବା ବେଳେ ୩ ଡିଲରଙ୍କୁ ଦିଆଯାଇଛି ୪୦୭.୮୫ ମେଟ୍ରିକ୍ ଟନ୍। ରାମନାଗୁଡ଼ା ଲ୍ୟାମ୍ପସ ୯୩୮.୬୬୦ ମେଟ୍ରିକ୍ ଟନ୍ ପାଇଥିବା ବେଳେ ୨ ପ୍ରାଇଭେଟ୍ ଡିଲରଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରି ଦେଇଛି ୧୯୧୫.୬ ମେଟ୍ରିକ୍ ଟନ୍। ଗୁଣପୁର ଲ୍ୟାମ୍ପସ ୩୩୯.୭୦୦ ମେଟ୍ରିକ୍ ଟନ୍ ପାଇଥିବା ବେଳେ ୨ ଡିଲରଙ୍କୁ ଖୋଲା ବଜାରରେ ବିକ୍ରି ପାଇଁ ଦିଆଯାଇଛି ୫୪୪.୨୧ ମେଟ୍ରିକ୍ ଟନ୍। ଯାହା ତଦନ୍ତ ସାପେକ୍ଷ। ଲ୍ୟାମ୍ପସରେ ଦିନ ଦିନ ଅପେକ୍ଷା କରି ଚାଷୀ ବସ୍ତାଏ ସାର ପାଉନଥିବା ବେଳେ ଡିଲରଙ୍କ ପାଖରେ ପହଞ୍ଚିବା କ୍ଷଣି ମିଳି ଯାଉଛି ବସ୍ତା ବସ୍ତା ସାର। ସାର କିଣିବାକୁ ଆସିଥିବା ଚାଷୀ ପୂର୍ବରୁ ଲ୍ୟାମ୍ପସରୁ ନେଇଛି କି ନାହିଁ ତାହା ମଧ୍ୟ ଡିଲର ଯାଞ୍ଚ କରୁନାହାନ୍ତି। ଯାହାର ପ୍ରମାଣ ଜଣେ ଚାଷୀଙ୍କ ସାର କିଣା ରେକର୍ଡରୁ ଜଣା ପଡିଛି।

ରାୟଗଡ଼ା ବ୍ଲକ୍ କୁମ୍ଭିକୋଟା ପଞ୍ଚାୟତ ପୋଡମରା ଗ୍ରାମର ଚାଷୀ ଅନୀଲ ଖରା। ଅନୀଲ ରାୟଗଡ଼ା ଲ୍ୟାମ୍ପସରୁ ୩୩ ବସ୍ତା ସାର ନେଇଥିବା ବେଳେ ରାୟଗଡ଼ାର ୩ ସାର ଡିଲରଙ୍କୁ ନିକଟରୁ କିଣିଛନ୍ତି ୪୦ ବସ୍ତା ସାର। ସେହିପରି ରାୟଗଡ଼ା ବିଜୟଶ୍ରୀ ଏଗ୍ରି କେୟାର ନାମକ ଜଣେ ଡିଲରଙ୍କ ନିକଟରୁ ଚମ୍ପିର ଜଣେ ଚାଷୀ ୫ ଥର ୨୦ ବସ୍ତା ଲେଖାଁଏ ମୋଟ ୧୦୦ ବସ୍ତା ସାର କିଣିଛି। ଯାହାର ପ୍ରଚ୍ଛଦ ପଟରେ ରହି ଡିଲରଙ୍କୁ ସାହାସ ଯୋଗାଇଛନ୍ତି ବିଭାଗୀୟ ଅସାଧୁ କର୍ମଚାରୀ। ତେବେ ଏତେ ପରିମାଣର ସାର ପ୍ରକୃତରେ ଚାଷ କାମରେ ବ୍ୟବହାର ହୋଇଛି ନା ନାହିଁ ତାହାର କୌଣସି ଯାଞ୍ଚ ହୋଇନି। ସାର ବିକ୍ରି ସମୟରେ କୃଷି ବିଭାଗର ବ୍ଲକ୍ ନୀରିକ୍ଷକ ଷ୍ଟକ୍ ଯାଞ୍ଚ ସହ ଦର ନିୟନ୍ତ୍ରଣ କରିବାର ନିୟମ ରହିଛି। ହେଲେ ଜଣେ ବି ନୀରିକ୍ଷକ ଯାଞ୍ଚ କରିନଥିବା ଜଣା ପଡ଼ିଛି। ସାର ଦୁର୍ନୀତିକୁ ନେଇ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଖୋଳତାଡ଼ ଆରମ୍ଭ କରିବା ପରେ ଏବେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ପ୍ରାଥମିକ ପର୍ଯ୍ୟାୟରେ ଆଜି ୪ ଲ୍ୟାମ୍ପସ ସମେତ ରାୟଗଡ଼ା ଏମପିସିଏସ ସଂପାଦକକୁ ସାର ଦୁର୍ନୀତି ନେଇ ସମବାୟ ବିଭାଗ ପ୍ରଶାସକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସେହିପରି ଚାଷୀଙ୍କୁ ଶହେ ବସ୍ତା ସାର ବିକ୍ରି କରିଥିବା ବିଜୟ ଶ୍ରୀ ଏଗ୍ରି କେୟାରର ଲାଇସେନସ୍ ରଦ୍ଦ ପାଇଁ କୃଷି ବିଭାଗ ତୁରନ୍ତ ଷ୍ଟକ୍ କ୍ଲିଅର୍ ପାଇଁ ନୋଟିସ୍ କରିଛି।

ସମ୍ବନ୍ଧିତ ଖବର