ଗୋପାଳପୁର : ଋଣ ନେଇ ନିର୍ଦ୍ଧାରିତ ସମୟରେ ପରିଶୋଧ ନକରିବାରୁ ଗୋପାଳପୁର ନିକଟସ୍ଥ ଫରଚ୍ୟୁନ୍‌ ସ୍ପିରିଟ୍‌ ଲିମିଟେଡ୍‌ର ସଂପତ୍ତିକୁ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସିଲ୍ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସରଫେସ୍‌ ଆଇନ ୨୦୦୨ ଅନୁଯାୟୀ ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଠାରୁ ଆଲିପୁର ରାସ୍ତାରେ ଥିବା ଏହି କଂପାନିର ସଂପତ୍ତିକୁ ସିଲ୍ କରାଯାଇଥିବା ଜଣାଯାଇଛି।
Advertisment
ସୂଚନା ଅନୁଯାୟୀ କଂପାନିର ମାଲିକ ରାଜେଶ କୁମାର ସାହୁ ୨୦୦୯ରୁ ଏଠାରେ ମଦ ବଟଲିଂ ୟୁନିଟ୍‌ କରିଥିଲେ। ଏହି ୟୁନିଟ ପାଇଁ ୨୦୧୫ରେ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୧୨ କୋଟି ୧୬ ଲକ୍ଷ ୮୫ ହଜାର ୨୧୧ ଟଙ୍କା ଋଣ ଆଣିଥିଲେ। ଋଣ ଟଙ୍କା ସହ ସୁଧ ମିଶି ପ୍ରାୟ ୧୫ କୋଟି ହୋଇଥିବାରୁ ବ୍ୟାଙ୍କ ପକ୍ଷରୁ ମାଲିକଙ୍କୁ ବାରମ୍ବାର ନୋଟିସ୍‌ ପଠାଉଥିବା ବେଳେ ଋଣ ଟଙ୍କା ପରିଶୋଧ କରି ନଥିବାରୁ ଭୁବନେଶ୍ବରସ୍ଥିତ ଆଇଡିବିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି କଂପାନିର ସଂପତ୍ତିକୁ ସିଲ୍ କରିଥିବା ଜଣାଯାଇଛି। ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା କୁଲଦୀପ କୁମାର, ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ସମେତ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ଉପସ୍ଥିତିରେ କଂପାନି ପରିସରରେ ଥିବା ସମସ୍ତ ସାମଗ୍ରୀର ସିଜର ଲିଷ୍ଟ ପ୍ରସ୍ତୁତ କରାଯିବା ସହ ଗୋପାଳପୁର ଖାତା ନମ୍ବର ୨୯୦/୬୩୯ର ଦୁଇ ଏକର ୩୦ ଡେସିମିଲ୍ ଜମିରେ ଥିବା ଫରଚ୍ୟୁନ୍‌ ସ୍ପିରିଟ୍‌ ଲିମିଟେଡ୍‌ ନାରାୟଣପୁରର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ବ୍ୟାଙ୍କ ଆଜି ନିଜ ହାତକୁ ନେଇଛି।
ଏଥିନେଇ କଂପାନିର ମାଲିକ ରାଜେଶ ସାହୁଙ୍କ ସହ ଯୋଗାଯୋଗ କରାଯିବାରେ ଆଇଡିବିଆଇ ବ୍ୟାଙ୍କରୁ ଋଣ ଆଣିଥିଲି ଏବଂ କଂପାନି ଭଲରେ ଚାଲିଥିଲା, କିନ୍ତୁ କୋଭିଡ଼ ସମୟରେ ବ୍ୟବସାୟ ମାନ୍ଦା ପଡ଼ିବାରୁ ଋଣ ଟଙ୍କା ସୁଝିବାରେ ଅସୁବିଧା ରହିଲା। କିଛି କର୍ମଚାରୀଙ୍କ ପ୍ରାୟ ୬ ମାସର ଦରମା ରହିଥିବାରୁ ଚଳିତ ମାସ ଶେଷ ସୁଦ୍ଧା ପୈଠ କରିବେ ବୋଲି କହିଥିଲେ। କଂପାନି ନାମରେ ଆଜି ସୁଦ୍ଧା ପ୍ରାୟ ୧୫ କୋଟି ଟଙ୍କା ଋଣ ରହିଛି, ବାରମ୍ବାର ନୋଟିସ୍‌ ପରେ ବି ସେ ଏଥିପ୍ରତି କୌଣସି ଗୁରୁତ୍ବ ଦେଉନଥିବା ଯୋଗୁଁ ଆଜି ସିଲ୍ କରାଯାଇଥିବା ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସିଲ୍ କରାଯାଇଥିବା ଉପସ୍ଥିତ ବ୍ୟାଙ୍କ କର୍ମଚାରୀ ପ୍ରକାଶ କରିଛନ୍ତି।