ବାଲେଶ୍ବର ସହରରେ ୩୬ କୋଟିର ଫର୍ଚୁନ୍ ଟାୱାର: ଶିଳାନ୍ୟାସକୁ ଅଢ଼େଇ ବର୍ଷ, ଉପରେ ଅଟକିଛି ଫାଇଲ

ବାଲେଶ୍ବର: ଭୁବନେଶ୍ବର ଢାଞ୍ଚାରେ ବାଲେଶ୍ବର ସହରରେ ନିର୍ମାଣ ହେବ ୬ ମହଲା ବିଶିଷ୍ଟ ଫର୍ଚୁନ୍ ଟାୱାର। ଏଥିରେ ବହୁ ବଡ଼ ବଡ଼ ସଂସ୍ଥାର କାର୍ଯ୍ୟାଳୟ ରହିବା ସହିତ ବିପଣନ କେନ୍ଦ୍ର ମଧ୍ୟ ଖୋଲିବ। ଏହା ସହିତ ବିଭିନ୍ନ ବ୍ୟାଙ୍କର ଏଟିଏମ୍ ସହିତ ପାର୍କିଂ ସୁବିଧା ବି ଏହି ଟାୱାର ପରିସରରେ ରହିବ। ତେବେ ୨୦୧୫ ମସିହାରେ ଏହି ପ୍ରକଳ୍ପ ଘୋଷଣା କରାଗଲା ଏବଂ ୨୦୧୯ ମସିହା ଫେବ୍ରୁଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତରେ ଆସି ଶିଳାନ୍ୟାସ କଲେ। ତେବେ ଇତିମଧ୍ୟରେ ଅଢ଼େଇବର୍ଷ ବିତିଯାଇଥିଲେ ହେଁ ଉକ୍ତ ପ୍ରକଳ୍ପ ପାଇଁ ବାଲେଶ୍ବର ସହରରେ ଯେଉଁ ସ୍ଥାନ ଚିହ୍ନଟ କରାଯାଇଥିଲା ସେଠାରେ ଏ ପର୍ଯ୍ୟନ୍ତ ଇଟାଖଣ୍ଡେ ବି ପଡ଼ିନାହିଁ। ସରକାର ଜିଲ୍ଲାର ବିକାଶ ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ବିଭିନ୍ନ ପ୍ରକଳ୍ପ ଘୋଷଣା କରିଆସୁଥିବା ବେଳେ ପରବର୍ତ୍ତୀ ସମୟରେ ଉକ୍ତ କାର୍ଯ୍ୟର ଅହେତୁକ ବିଳମ୍ବ ନେଇ ଜିଲ୍ଲାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି, ବାଲେଶ୍ବର ସହର ଡିଆଇସି କଲୋନିରେ ଫର୍ଚୁନ ଟାୱାର ନିର୍ମାଣ ପାଇଁ ଅନେକ ଥର ଯୋଜନା ବଦଳିବା ସହିତ ବ୍ୟୟ ଅଟକଳକୁ ପରିବର୍ତ୍ତନ କରାଯାଇଛି। ପ୍ରଥମେ ୩୬.୬ କୋଟି ଟଙ୍କା ବ୍ୟୟରେ ୨.୯୪ ଏକର ଜାଗାରେ ଏହା ନିର୍ମାଣ ହେବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ୨୦୧୫ ମସିହା ଜୁନ୍ ମାସରେ ଟେଣ୍ଡର ସରି କାର୍ଯ୍ୟାଦେଶ ବି ହୋଇସାରିଥିଲା। ମାତ୍ର କୌଣସି କାରଣରୁ କାମ ଆରମ୍ଭ ହୋଇପାରିଲା ନାହିଁ। ଏହାପରେ ୨୦୧୯ ମସିହା ଫେବ୍ରୁଆରି ମାସ ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହୋଇ ଏଠାରେ ଥିବା ଡିଆଇସି କାର୍ଯ୍ୟାଳୟକୁ ତୁରନ୍ତ ନୋସି ବିଜନେସ୍ ପାର୍କକୁ ସ୍ଥାନାନ୍ତର କରାଗଲା। ୩୬ କୋଟି ୬୩ ଲକ୍ଷ ୮୨ ହଜାର ୪୭୬ ଟଙ୍କା ବ୍ୟୟରେ ୫.୫୮ ଏକର ଜାଗାରେ ଏହି ସୁଉଚ୍ଚ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାକୁ ଯୋଜନା ହେଲା। ହେଲେ କୌଣସି କାରଣରୁ ଏଯାଏ ତାହା ଆରମ୍ଭ ହୋଇପାରିନାହିଁ। ଏ ନେଇ ଇଡକୋ ବାଲେଶ୍ବରର ମହାପ୍ରବନ୍ଧକ ଅଭୟ କୁମାର ପତିଙ୍କୁ ପଚାରିବାରୁ ସେ କହିଥିଲେ, ଭୁବନେଶ୍ବରରେ ଏହି ପ୍ରକଳ୍ପର ଫାଇଲ ମୁଖ୍ୟ ମହାପ୍ରବନ୍ଧକଙ୍କ ନିକଟରେ ଅଛି। ପ୍ରକଳ୍ପର ଢାଞ୍ଚା ବଦଳାଯିବା ସହ ବ୍ୟୟ ଅଟକଳରେ କିଛିଟା ପରିବର୍ତ୍ତନ ପାଇଁ କାମ ଆରମ୍ଭ ହୋଇପାରିନି। ଉପରମହଲରେ ଚୂଡ଼ାନ୍ତ ନିଷ୍ପତ୍ତି ସରିଲେ ନିର୍ମାଣ କାମ ପାଇଁ ଇ-ଟେଣ୍ଡର ଡକାଯିବ ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର