ଉଜୁଡ଼ି ଗଲା ସଂସାର: ଦାରିଦ୍ର୍ୟ ସାଙ୍ଗକୁ ରୋଗର ତାଡ଼ନା, ୪ ସନ୍ତାନ ମା’ ଛେଉଣ୍ଡ

ଝାରସୁଗୁଡ଼ା: ରାତି ଘନେଇ ଆସିଲାଣି, ଚାରି ଆଡ଼େ ନିସ୍ତବ୍ଧତାର ରାଜୁତି । କରୋନା ସଂକ୍ରମଣ ଯୋଗୁଁ ହସପିଟାଲରେ ଆଉ ଆଗ ପରି ଲୋକଙ୍କ ଗହଳି ନାହିଁକି ୱାର୍ଡ଼ରେ ଭିତରେ ସେତେ ସଂଖ୍ୟାରେ ଆଉ ରୋଗୀ ନାହାନ୍ତି। ଏଭଳି ଏକ ସମୟରେ ଶଯ୍ୟା ଉପରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ବେଳେ ପାଖରେ ପଡ଼ିଥିବା ଏକ ବେଞ୍ଚ୍‌ ଉପରେ ବସିଛନ୍ତି ୪ ଜଣ ନିଷ୍ପାପ ଶିଶୁ। ଏମାନେ ସମସ୍ତେ ଭାଇ ଭଉଣୀ ଅଟନ୍ତି। ନିର୍ବାକ ହୋଇ ଅପଲପ ନୟନରେ ଚାହିଁ ରହିଛନ୍ତି ମୃତ ମାଁଙ୍କ ଆଡ଼େ, ଜାଣି ପାରୁ ନାହାନ୍ତି ଯେ, ତାଙ୍କ ମାଁ ଆଉ ଏ ଦୁନିଆଁରେ ନାହିଁ ବ‌ୋଲି।

ପାଖରେ ବାପା ଛିଡ଼ା ହୋଇ ରହିଛି କାଠ ହୋଇ।  ଏହି ଶିଶୁ ମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଶିଶୁ ପୁତ୍ର ବୟସ ୧୦ ବର୍ଷ ହେବ ତା କୋଳରେ ରହିଛି ଗୋଟିଏ ଦେଢ଼ ମାସର ଶିଶୁ କନ୍ୟା। ଭୋକରେ ଶିଶୁ କନ୍ୟାଟି କାନ୍ଦୁଥିବା ବେଳେ ସେ ତାକୁ ଚୁପ କରିବାକୁ ଚେଷ୍ଟା କରୁଛି। ତା ପାଖକୁ ଲାଗି ବସିଛନ୍ତି ଜଣେ ୬ ବର୍ଷର ଶିଶୁ କନ୍ୟା ଓ ୪ ବର୍ଷର ଶିଶୁପତ୍ର। ଏଭଳି ଏକ କରୁଣ ଚିତ୍ର ଦେଖି  ଯାହାର ହେଲେ ମନ ତରଳି ଯିବା ନିଶ୍ଚିତ। ଏହି ଶିଶୁ ମାନଙ୍କୁ କିଛି କିଛି ଖାଦ୍ୟ ଓ କୋଳରେ ଥିବା ଦେଢ଼ ମାସର ଛୁଆକୁ ସେଠାରେ କେହି କେହି  କ୍ଷୀର ଦେଇ ଶାନ୍ତ କରୁଥିବା ଦେଖା ଯାଇଥିଲା।

ଗୋଟିଏ ପଟେ ସ୍ତ୍ରୀଙ୍କ ମୃତ୍ୟୁ ଓ ଅନ୍ୟପଟେ ତାଙ୍କ ଚାରିଗୋଟି ସନ୍ତାନଙ୍କୁ ଏକୁଟିଆ ସମ୍ଭାଳିବା ଧର୍ଯ୍ୟ ଓ ସାହସ ନଥିଲା ପିତା ସୁନିଲକୁମାର ପାଣ୍ଡେଙ୍କ ପାଇଁ। ହଁ ସୁନିଲ ପାଣ୍ଡେ ହେଉଛନ୍ତି ଜଣେ ଦିନ ମଜୁରିଆ। ଘର ତାଙ୍କର ଉତ୍ତର ପ୍ରଦେଶ ରାଜ୍ୟର ବଳିଆ ଗ୍ରାମରେ। ପେଟ ପାଇଁ ସେ ବନ୍ଧବାହାଲ ଗ୍ରାମରେ ଏକ ଭଡ଼ାଘରେ ରହି କୋଇଲା ଖଣିର ଏକ ଠିକା କମ୍ପାନୀରେ କାମ କରୁଥିଲେ। ଏହି କମ୍ପାନୀ ଚାଲିଗଲା ପରେ ସେ ଅନ୍ୟ ଏକ କମ୍ପାନୀରେ କାମ ଖୋଜୁଥିଲେ ।

ଏଥି ମଧ୍ୟରେ ଲକ୍‌ଡାଉନ୍‌ ଯୋଗୁଁ ସବୁ ବନ୍ଦ ହୋଇ ଯାଇଥିଲା ଓ ସେ କାମ ପାଇନଥିଲେ। ଏପଟେ ସ୍ତ୍ରୀ ଶୋଭା ରକ୍ତଶୂନ୍ୟତା ରୋଗରେ ଆକ୍ରାନ୍ତ ହୋଇ ଦୁର୍ବଳ ହୋଇ ପଡ଼ିଥିଲେ। ଦାରିଦ୍ର୍ୟତା ଓ ରୋଗ ଉଭ୍ର ସହିତ ଲଢ଼େଇ କରିବା ବେଳେ ଛୋଟ ଛୁଆ ମାନଙ୍କ ମୁହଁରେ ଆହାର ଦେବାରେ ସଂପୂର୍ଣ୍ଣ ଅକ୍ଷମ ହୋଇ ପଡ଼ିଥିଲେ ସୁନିଲ। ଏଠାରେ ତାଙ୍କର ଆଉ କେହି ସଂପର୍କିୟ ନଥିବା ବେଳେ  ଗତ ୩ ତାରିଖ ଦିନ ସ୍ତ୍ରୀ ଶୋଭା ଆହୁରି ଗୁରୁତର ହୋଇ ପଡ଼ିଥିଲେ। ଫଳରେ ତାଙ୍କୁ ଏକ ଆମ୍ବୁଲାନ୍‌ସରେ ୪ ସନ୍ତାନକୁ ସାଙ୍ଗରେ ଧରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୋମବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା।

ଶବ ସତ୍କାର ପାଇଁ ମାନବ ସେବା ସଂଘ ଆଗେଇ ଆସିଲା 

ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ଖବର ପାଇ ସାହାଯ୍ୟର ହାତ ବଢ଼ାଇ ଥିଲା ଝାରସୁଗୁଡ଼ା ମାନବ ସେବା ସଂଘ। ସଭାପତି ସୁବାସ ସାହାରେଙ୍କ ନେତୃତ୍ବରେ ଆଜି ମୃତ ମହିଳାଙ୍କ ଶବକୁ ସଂପୂର୍ଣ୍ଣ ରୀତିନୀତି ଅନୁସାରେ ମଶାଣିରେ ସତ୍କାର କରାଯାଇଥିଲା। ଏଥିରେ ରମେଶ ଗାନ୍ଧୀ, ଜେ.କେ.ସିଂହ, ଅଜୁ ବାରିକ, ମାନସ ସିହ୍ନା, ବୁଣ୍ଟି ଶ୍ରୀୱାସ, ସୋଫିଆ ମିଞ୍ଜ, ସରୋଜ ସିଂହ, ସନ୍ତୁକୋ ବେହେରା ଏବଂ ମୃତ ମହିଳାଙ୍କ ପତି ସୁନିଲ ଉପସ୍ଥିତ ଥିଲେ।

ଅସହାୟ ଶିଶୁଙ୍କ ଯତ୍ନ ପାଇଁ ବ୍ୟବସ୍ଥା କଲା ଚାଇଲ୍ଡ ଲାଇନ୍‌

ମୃତ ଶୋଭା ଓ ଅସହାୟ ସୁନିଲଙ୍କ ୪ ଶିଶୁଙ୍କ ସେବା ଯତ୍ନ କରିବା ପାଇଁ ଝାରସୁଗୁଡ଼ା ଚାଇଲ୍ଡ ଲାଇନ୍‌ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି। ଖବର ପାଇ ଚାଇଲ୍ଡ ଲାଇନ୍‌ ସଂଯୋଜକ ଆଶିଷ କମୁାର ପଣ୍ଡା ହସପିଟାଲରେ ପହଞ୍ଚି ଏହି ଅସହାୟ ଶିଶୁ  ମାନଙ୍କୁ ରାତିରେ ରହିବାର ବ୍ୟବସ୍ଥା କରିଥିଲେ । ସକାଳେ ଶ୍ରୀ ପଣ୍ଡା, ଚାଇଲ୍ଡ ଲାଇନ୍‌ ସଦସ୍ୟା ଟିକେଶ୍ବରୀ ପଟେଲ, ଝରଣା ଦୀପ ପ୍ରମୁଖ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ସିଡବ୍ଲୁସିରେ  ଉପସ୍ଥାପନ କରିଥିଲେ । ସିଡବ୍ଲୁସି ନିର୍ଦ୍ଦେଶ ଅନୁସାରେ ଦେଢ଼ ମାସର ଶିଶୁ କନ୍ୟାକୁ ବ୍ରଜରାଜନଗର ଠାରେ ଥିବା ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଥିଲା। ଅନ୍ୟ ତିନିଜଣ ଶିଶୁଙ୍କୁ ବେଲପାହାଡ଼ ଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇ ତାଙ୍କର ସେବା ଯତ୍ନର ଦାୟିତ୍ବ ଦିଆଯାଇଛି। ଲକ୍‌ଡାଉନ୍‌ ପରେ ଶିଶୁ ମାନଙ୍କୁ ତାଙ୍କ ଘରକୁ ଫେରେଇ ନେବେ ବୋଲି ସୁନିଲ ପାଣ୍ଡେ କହିଛନ୍ତି।

 

ସମ୍ବନ୍ଧିତ ଖବର