ଭୁବନେଶ୍ବର : ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ‘ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍’ ଓଡ଼ିଶା ରାଜ୍ୟ କମିଟିର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଛି। ରାଜ୍ୟ କାର୍ଯ୍ୟାଳୟରେ ଫରୱାର୍ଡ ବ୍ଲକ୍ର ଜାତୀୟ ସାଧାରଣ ସଂପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ବାସ, ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତିରଂଜନ ମହାପାତ୍ର ଓ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଏହାର ଉନ୍ମୋଚନ କରିଛନ୍ତି। ନିର୍ବାଚନରେ ଫରୱାର୍ଡ ବ୍ଲକ୍ର ପ୍ରାର୍ଥୀ ବିଜୟୀ ହେଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ବପ୍ନର ଭାରତବର୍ଷ ସାଧାରଣ ଜନତାଙ୍କ ହାତରେ ରହିବ ବୋଲି ଇସ୍ତାହାରରେ ପ୍ରକାଶ ପାଇଛି।
ଇସ୍ତାହାରରେ କୁହାଯାଇଛି ଯେ, ସର୍ବନିମ୍ନ ମଜୁରୀ ମାସିକ ୧୮ହଜାର ଟଙ୍କା ଓ ସମସ୍ତଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କାର ପେନସନ୍ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯିବ। ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ ଓ ରୋଜଗାରର ଗ୍ୟାରେଣ୍ଟି କରାଯିବ। ବିଶୁଦ୍ଧ ପାନୀୟ ଜଳ, ଶାସ୍ତାରେ ଗମନାଗମନ ସହିତ ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ପଦକ୍ଷେପ ନିଆଯିବ। ଛାତ୍ରଛାତ୍ରୀଙ୍କୁ ପାଇଁ ମାଗଣା, ସମାନ ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦେବା ସହ ଶିକ୍ଷା ଶେଷରେ କର୍ମନିଯୁକ୍ତିର ଗ୍ୟାରେଣ୍ଟି ଦିଆଯିବ। ଓଡ଼ିଶା ସୀମା ମଧ୍ୟରେ ଥିବା ସମସ୍ତ ରେଳପଥ ଅଞ୍ଚଳଗୁଡ଼ିକୁ ଇଷ୍ଟକୋଷ୍ଟ ରେଲୱେ ପରିସରଭୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ କଳା ଓ କ୍ରୀଡ଼ା ଶିକ୍ଷାକୁ ବାଧ୍ୟତାମୂଳକ କରାଯିବା ସହିତ କଳାକାର ଓ କ୍ରୀଡ଼ାବିତ୍ମାନଙ୍କୁ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରାଯିବ। ଗଣମାଧ୍ୟମ ଓ ଏହାସହିତ ଜଡ଼ିତ ପ୍ରତିନିଧି, କର୍ମଚାରୀଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯିବ। ମୁଖାର୍ଜୀ କମିସନଙ୍କ ସୁପାରିଶ ମୁତାବକ ନେତାଜୀ ସୁଭାଷଙ୍କ ଅନ୍ତର୍ଦ୍ଧାନର ରହସ୍ୟ ଉନ୍ମୋଚନ ପାଇଁ ପୁନଃ ତଦନ୍ତ କରାଯିବ। ନେତାଜୀ ଓ ଆଇଏନ୍ଏ ସଂକ୍ରାନ୍ତୀୟ ସମସ୍ତ ଦଲିଲ ଓ ଦସ୍ତାବିଜ୍ଙ୍କୁ ସାର୍ବଜନୀନ କରାଯିବ।
ଉଲ୍ଲେଖ ଯେ, ରାଜ୍ୟର ୧୯ଟି ବିଧାନସଭା ସମେତ କେନ୍ଦୁଝର ଓ ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ଫରୱାର୍ଡ ବ୍ଲକ୍ ପକ୍ଷରୁ ପ୍ରାର୍ଥୀ ଦିଆଯାଇଛି। ଫାଶିବାଦୀ ବିଜେପି, ଜନବିରୋଧୀ କଂଗ୍ରେସ ଓ ବିଜେଡି ବିରୋଧରେ ସଂଗ୍ରାମ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/forward-block-324x160.jpg)