ଏକାଠି ଲଢ଼ିଲେ, ସଫଳ ହେଲେ

ବାତ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଲା କେନ୍ଦ୍ର

ମୋଦୀ, ଶାହ, ଧର୍ମେନ୍ଦ୍ର ନେଇଥିଲେ ବୈଠକ, ଏବେ ସହଯୋଗ କରିବାକୁ ବିଜେପିର ନିଷ୍ପତ୍ତି
ଅସୁସ୍ଥତାରୁ ଉଠି ଦାୟିତ୍ବ ନେଲେ ଏସ୍‌ଆର୍‌ସି, ବବିଙ୍କ ନେତୃତ୍ବରେ ମୁକାବିଲା କଲା ବିଜେଡି

ଭୁବନେଶ୍ବର : ୨୦୧୯ ମେ’ ମାସରେ ଫନି ଛାରଖାର କରିଦେଲା ଅଧା ଓଡ଼ିଶା। ପୁରୀ, ଗଞ୍ଜାମ, ଗଜପତି,ଖୋର୍ଧା, ନୟାଗଡ, ଜଗତସିଂହପୁର, କଟକ,କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଓ ଏହାର ଆଖପାଖ ଅଞ୍ଚଳକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା। ସବୁଠାରୁ ଅଧିକ କ୍ଷତି ହୋଇଥିଲା ପୁରୀ, ଖୋର୍ଧା ଓ କଟକ ଜିଲ୍ଲା।

ଗତବର୍ଷ ଅମ୍ଫାନ୍ ଓ ବୁଲ୍‌ବୁଲ୍ ପ୍ରଭାବ ବି ଅଳ୍ପବହୁତେ ଓଡ଼ିଶା ଉପରେ ପଡ଼ିଥିଲା।

ଏବର୍ଷ କରୋନାର ଦ୍ବିତୀୟ ଲହରରେ ଯେବେ ଓଡ଼ିଶା ଭୀଷଣ ଆଉଟୁପାଉଟୁ ହେଉଛି, ସେବେ ପୁଣିଥରେ କରାଳ ରୂପ ଦେଖାଇଲା ପ୍ରକୃତି। ବଙ୍ଗୋପସାଗରରେ ଆସିଥିବା ଅତି ଭୀଷଣ ବାତ୍ୟା ‘ୟାସ୍‌’ ଆଜି ଉତ୍ତର ଓଡ଼ିଶା ଉପକୂଳରେ ମାଡ଼ ହୋଇଛି। କିଲୋମିଟର କିଲୋମିଟର ଯାଏ ମାଡ଼ିଆସିଛି ସମୁଦ୍ର। କିଛି ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇଛି। ହେଲେ ଯେଭଳି ପୂର୍ବାନୁମାନ ବା ଆକଳନ କରାଯାଉଥିଲା କ୍ଷୟକ୍ଷତି କିନ୍ତୁ ସେଭଳି ହୋଇନି।

ନିକଟରେ ତାଉତେ ପ୍ରଭାବରେ ପାଞ୍ଚ ପାଞ୍ଚଟି ରାଜ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ପୁଣି ଥରେ ତାର ଅଭିଜ୍ଞତାର ପ୍ରମାଣ ଦେଇଛି। ଏଥିପାଇଁ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଶଂସା ଗୋଟାଇଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟ ସରକାର ଓ ଶାସକ ବିଜେଡି ସମାନ୍ତରାଳ ଭାବେ ହାତ ମିଳାଇ ଏକାଠି ବାତ୍ୟା ମୁକାବିଲା ପାଇଁ ଓହ୍ଲାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସ୍ବାଭାବିକ ଭାବେ ନେତୃତ୍ବ ନେଇଥିଲେ ଓ ବିଜେଡି ପକ୍ଷରୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ।

ବାତ୍ୟାର ସଫଳତା ପରେ ରାଜନୈତିକ ମହଲ ଆଜି ଏହାକୁ ଏକ ଭଲ ଲକ୍ଷଣ ବୋଲି ବର୍ଣ୍ଣନା କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ରାଜ୍ୟ ସରକାରଙ୍କ ସବୁ ଅନୁରୋଧକୁ କେନ୍ଦ୍ର ରଖିଛି, ଏନ୍‌ଡିଆର୍‌ଏଫ୍ ଟିମ୍ ପଠାଇବାରୁ ଆରମ୍ଭ କରି ନୌସେନା ମୁତୟନ ପର୍ଯ୍ୟନ୍ତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତ୍ୟକ୍ଷ ଭାବେ ନ ହେଲେ ବି କେନ୍ଦ୍ରୀୟ ପଦାଧିକାରୀଙ୍କ ସହିତ ବୈଠକ କରିଛନ୍ତି। ଆଜି ସନ୍ଧ୍ୟାରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକର୍ତ୍ତାମାନଙ୍କୁ ବର୍ତ୍ତମାନର ପରିସ୍ଥିତିରେ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହି ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ପରାମର୍ଶ ଦେଇଥିବା ଦଳ ଜଣାଇଛି।

ବାତ୍ୟା ଆରମ୍ଭ ହେବା ପୂର୍ବରୁ ଏଥର ବି ମୁଖ୍ୟମନ୍ତ୍ରୀ ପ୍ରଶାସନକୁ କହିଥିଲେ, ପ୍ରତିଟି ଜୀବନ ମୂଲ୍ୟବାନ। କୌଣସି ଗୋଟିଏ ବି ଜୀବନହାନି ଯେଭଳି ନ ହେବ,ସେ ନେଇ ଟାର୍ଗେଟ ଦେଇଥିଲେ ଅଧିକାରୀଙ୍କୁ। ସାମାଜିକ ଦ୍ବରତ୍ବ ରଖି ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ରଖିବା ଲାଗି ନିର୍ଦେଶ ଥିଲା।

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଦୁଇ ବୋଲି କୁହାଯାଇଛି। ପାଖାପାଖି ସାତ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ଆଣି ସରକାର ଏତେ ବଡ଼ ବିପର୍ଯ୍ୟୟକୁ ଟାଳିଦେବାରେ ସକ୍ଷମ ହୋଇଛନ୍ତି। ଜୁନ୍ ପହିଲା ସୁଦ୍ଧା ପ୍ରସବ କରିବା ଲାଗି ସମୟ ଦିଆଯାଇଥିବା ୪୫୦୦ ମହିଳାଙ୍କୁ ଚିହ୍ନଟ କରି ସରକାର ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଡାକ୍ତରଖାନା ଆଣିଥିଲେ। ୫୦୦ରୁ ଅଧିକ ମହିଳା ଇତିମଧ୍ୟରେ ପ୍ରସବ କରିଛନ୍ତି ଓ ଅନ୍ୟମାନେ ସୁରକ୍ଷିତ ଥିବା କୁହାଯାଇଛି। ସେହିଭଳି କୋଭିଡ୍ ହସ୍ପିଟାଲରେ କୌଣସି ବଡ଼ ସମସ୍ୟା ପରିଲକ୍ଷିତ ହୋଇନାହିଁ। ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ ଟିମ୍ ସଫଳତାର ସହିତ ଏହି ବାତ୍ୟା ମୁକାବିଲା କରି ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଶଂସା ଆଣିଛନ୍ତି।

ଉଲ୍ଲେଖନୀୟ କଥା ହେଲା, ଯେଉଁ ସମୟରେ ‘ୟାସ୍‌’ ବାତ୍ୟା ରୂପ ନେଲା, ସେ ସମୟରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଡାକ୍ତରଖାନାରୁ ଫେରିଲେ। ଛୁଟି ନେବା ବଦଳରେ ଶ୍ରୀ ଜେନା ତୁରନ୍ତ କାର୍ଯ୍ୟରେ ଯୋଗଦେଲେ ଏବଂ ସରକାରୀସ୍ତରରେ ବାତ୍ୟା ପ୍ରସ୍ତୁତି ବୈଠକ ଠାରୁ ଆରମ୍ଭ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହି ଘଟଣା ସାମାଜିକ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସେହିଭଳି କୋଭିଡ୍‌ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଘରକୁ ଫେରି ତୁରନ୍ତ ଭର୍ଚୁଆଲରେ ସମୀକ୍ଷା ବୈଠକ କରିଥିଲେ।

ଅଗ୍ନିଶମ ବିଭାଗ ଠାରୁ ଆରମ୍ଭ କରି ଓଡ୍ରାଫ୍, ଏନଡିଆର୍ଏଫ୍, ପୁଲିସ, ସ୍ବାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଅନୁଷ୍ଠାନ, ଶକ୍ତି, ରାଜସ୍ବ ବିଭାଗ, ସର୍ବୋପରି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ଓ ଓସ୍‌ଡମା ଆଜି ସମ୍ମିଳିତ ଭାବେ ବାତ୍ୟା ମୁକାବିଲାରେ କ୍ଷତି କମାଇବାରେ ସଫ​ଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆଜି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ବିରୋଧୀ ଶିବିରରେ ମଧ୍ୟ ପ୍ରଶାସନକୁ ସାଧୁବାଦ ମିଳିଛି।

ଅନ୍ୟପକ୍ଷରେ ବିଜେଡି ପ୍ରଥମ ଥର ପାଇଁ ଦଳୀୟସ୍ତରରେ ବାତ୍ୟା ମୁକାବିଲା ପାଇଁ ଓହ୍ଲାଇଥିବା ଦେଖିବାକୁ ମିଳିଲା। ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଦଳର କର୍ମୀ ଓ ପ୍ରଭାବିତ ଜିଲ୍ଲାର ମନ୍ତ୍ରୀ ବିଧାୟକମାନେ ସମାନ୍ତରାଳ ଭାବେ ପ୍ରଶାସନକୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଶ୍ରୀ ଦାସ, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇ ଘନ ଘନ ସମୀକ୍ଷା କରିଥିବା ଦେଖାଯାଇଥିଲା,ଯାହା ପ୍ରଶାସନର ସମସ୍ୟାକୁ ଅନେକ ସ୍ଥାନରେ ସହଜ କରିଦେଇଥିଲା।

ଏଠାରେ ଉଲ୍ଲେଖଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବାତ୍ୟା ପ୍ରସ୍ତୁତି ବୈଠକ କରିଥିବା ବେଳେ ଅନ୍ୟ ଦୁଇଜଣ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାତ୍ୟା ସମୀକ୍ଷା କରିବା ସହିତ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର