ଶବ ପରିଚାଳନାର ବଡ଼ ଅଭିଜ୍ଞତା ମିଳିଲା: ଡା. ବିଶ୍ବାସ

ଚିକିତ୍ସା ପାଇଁ ପ୍ରସ୍ତୁତ ଥିଲୁ କିନ୍ତୁ ପାର୍ଥିବ ଶରୀର ସଂରକ୍ଷଣର ଦାୟିତ୍ବ ମିଳିଲା, ଚିହ୍ନଟ ଅପେକ୍ଷାରେ ୮୧ ମରଶରୀର

ଭୁବନେଶ୍ବର : ଡାକ୍ତରଖାନାରେ ଶବ ପରିଚାଳନାର ବଡ଼ ଅଭିଜ୍ଞତା ଦେଇଛି ବାହାନଗା ଟ୍ରେନ୍‌ ଦୁର୍ଘଟଣା। କ୍ଷତବିକ୍ଷତ ଶବକୁ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା ସହ ଉପଯୁକ୍ତ ସମ୍ମାନ ଦେଇ ଆତ୍ମୀୟସ୍ବଜନଙ୍କୁ ହସ୍ତାନ୍ତରଣ ବଡ଼ ଓ ଗୁରୁତ୍ବପୂର୍ଣ୍ଣ କାମ। ଏମ୍‌ସ ପକ୍ଷରୁ ଏହି କାର୍ଯ୍ୟ ଠିକ୍‌ ଭାବେ କରାଯାଇଛି ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର୍‌ ଆଶୁତୋଷ ବିଶ୍ବାସ। ସ୍ବତନ୍ତ୍ର ଆଲୋଚନା ବେଳେ ଡ. ବିଶ୍ବାସ କହିଛନ୍ତି, ବାହାନଗା ଦୁର୍ଘଟଣାର ତୁରନ୍ତ ପରେ ଆହତଙ୍କ ଚିକିତ୍ସା ପାଇଁ ଶତାଧିକ ଶଯ୍ୟା ଏବଂ ଓଟି ପ୍ରସ୍ତୁତ କରାଯାଇଥିଲା।

ଶୁକ୍ରବାର ଦୁର୍ଘଟଣାର କିଛି ସମୟ ପରେ ଅର୍ଥାତ ସଂଧ୍ୟାରୁ ହିଁ ଜରୁରୀକାଳୀନ ବିଭାଗରେ ଉପସ୍ଥିତ ରହି ବ୍ୟବସ୍ଥାର ତଦାରଖ ଆରମ୍ଭ କରି ଦେଇଥିଲୁ। ଦୁଇଟି ଡାକ୍ତରୀଦଳଙ୍କୁ କଟକ ଏବଂ ବାଲେଶ୍ବର ପଠାଯାଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଗଲା, ଆହତଙ୍କୁ ଚିକିତ୍ସା ପାଇଁ ନୁହେଁ, ଦୁର୍ଘଟଣାର ୧୦୦ ମୃତକଙ୍କ ମରଶରୀର ସଂରକ୍ଷଣ କାର୍ଯ୍ୟ ଏମ୍‌ସକୁ କରିବାକୁ ହେବ। କେମିତି ରଖିବେ, କେଉଁଠି ରଖିବେ, ଏହା ଆପଣଙ୍କୁ ବୁଝିବାକୁ ହେବ। କମ୍‌ ସମୟ ମଧ୍ୟରେ ସ୍ଥାନ ଚୟନ ସହ ଶବ ପରିଚାଳନା ପାଇଁ ଏତେ ସଂଖ୍ୟକ ଡାକ୍ତର, ପାରାମେଡିକାଲ କର୍ମଚାରୀ ଯୋଗାଡ଼ କରିବା ସହଜ ନ ଥିଲା।

ଏମ୍‌ସ ଡାକ୍ତର, ପାରାମେଡିକାଲ କର୍ମଚାରୀ ଏବଂ ବିଦ୍ୟାର୍ଥୀଙ୍କ ସହଯୋଗରୁ ସବୁ ସହଜ ହୋଇଛି। ପରବର୍ତ୍ତୀ ସମୟରେ ୧୦୦ ନୁହେଁ, ୧୬୨ଶବଙ୍କୁ ସଂରକ୍ଷିତ ରଖାଯାଇଛି। ଏଥିପାଇଁ ଏମ୍‌ସ ପାରାଦୀପରୁ ୪ଟି ସ୍ବତନ୍ତ୍ର କଣ୍ଟେନର୍‌ ଆଣିଥିଲା। ଯେକୌଣସି ସରକାରୀ ଡାକ୍ତରଖାନାରେ ଏତେ କମ୍‌ ସମୟ ମଧ୍ୟରେ ଏକକାଳୀନ ଏତେସଂଖ୍ୟକ ଶବକୁ ସଂରକ୍ଷଣ ରଖିବା ବିରଳ ଘଟଣା। ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ପୂର୍ବରୁ ସ୍ଥିରୀକୃତ ଅନେକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ବାତିଲ କରିଥିବା ଡାକ୍ତର ବିଶ୍ବାସ କହିଛନ୍ତି। ୫ଦିନ ପରେ ବି ଏତେ ବଡ଼ ଦୁର୍ଘଟଣା ପରର ଦାୟିତ୍ବ ସରିନାହିଁ। ବର୍ତ୍ତମାନ ମଧ୍ୟ ଚିହ୍ନଟ ହୋଇପାରିନଥିବା ୮୧ ମରଶରୀର ଏମସରେ ସଂରକ୍ଷିତ ରହିଛି। ବର୍ତ୍ତମାନ ଗୋଟିଏ ଗୋଟିଏ ଶବ ପାଇଁ ଏକାଧିକ ଦାବିଦାର ଆସୁଛନ୍ତି। ତେଣୁ ୬୮ ରକ୍ତ ନମୁନା ସଂରକ୍ଷିତ କରାଯାଇ ଡିଏନ୍‌ଏ ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର