ଯାଜପୁର: ମିଳିଲା ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ଠିକଣା

ଯାଜପୁରସଦର : ଯଯାତି କେଶରୀଙ୍କ ସ୍ମୃତିରକ୍ଷା ପାଇଁ ତାଙ୍କର ଏକ ପ୍ରତିମୂର୍ତ୍ତି ଯାଜପୁର ସହରରେ ସ୍ଥାପନ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ୪ ବର୍ଷ ପୂର୍ବରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅର୍ଥ ବ୍ୟବସ୍ଥା କରିଥିଲେ। ଏଭଳି କି ଗତବର୍ଷ ଦ୍ବିତୀୟ ପର୍ଯ୍ୟାୟ ଅର୍ଥ ମଞ୍ଜୁର କରିଥିଲେ। ହେଲେ ଏହି ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରି ନଥିଲା। ଏଭଳି କି ମୂର୍ତ୍ତି କେଉଁଠି? କେଉଁ ଅବସ୍ଥାରେ ଅଛି ଜିଲ୍ଲା ପର୍ଯ୍ୟଟନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ସୂଚନା ଦେଇପାରୁ ନଥିଲେ। ହେଲେ ‘ସମ୍ବାଦରେ ‘ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି କେଉଁଠି ? ଖବର ପ୍ରକାଶନ ପରେ ଏହାର ସଠିକ୍‌ ଠିକଣା ମିଳିଯାଇଛି। ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ଭୁବନେଶ୍ବରରେ ଗଢ଼ା ଚାଲିଛି। ଶିଳ୍ପୀଗୁରୁ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଏହି ପ୍ରତିମୂର୍ତ୍ତି ନିର୍ମାଣ କରୁଥିବା ଜଣାପଡିଛି।

ସୂଚନା ଅଧିକାର ତଥ୍ୟ ଅନୁସାରେ ୨୦୧୮ -୧୯ ଆର୍ଥିକ ବର୍ଷରେ ଯଯାତିକେଶରୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ରାଜ୍ୟ ସରକାର ୧କୋଟି ଟଙ୍କା ପ୍ରଦାନ କରିଥିଲେ। ଏହାପରେ ୨୦୨୧-୨୨ରେ ୮୬ ଲକ୍ଷ ୮୨ ହଜାର ଟଙ୍କା ଯୋଗାଇଥିଲେ। ହେଲେ ଏହି ପ୍ରତିମୂର୍ତ୍ତି କେଉଁଠି ଅଛି ସେ ସଂପର୍କରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଜ୍ଞ ଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରଥମେ ମୁହଁ ଖୋଲି ନଥିଲା। ମିଳିଥିବା ସୂଚନା ଅନୁସାରେ କେବଳ ରାଜା ଯଯାତିକେଶରୀ ନୁହନ୍ତି ଏହା ସହ ୧୧ ଜଣ ବ୍ରାହ୍ମଣଙ୍କ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ ସରିଛି। ଯାହାକି ରାଜାଙ୍କ ପାର୍ଶ୍ବରେ ରହିବ। ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବର ଜୟଦେବ ବିହାର ନିକଟ ସୁଦର୍ଶନ ଆଟ ଆଣ୍ଡ କ୍ରାପ୍ଟ ଅନୁଷ୍ଠାନର କାରିଗରଙ୍କ ଦ୍ବାରା ଏହା ନିର୍ମାଣ ଚାଲିଛି। କାମ ଶେଷ ହେବାକୁ ଆଉ ଦେଢ଼ ମାସ ସମୟ ଲାଗିବ ବୋଲି ଶିଳ୍ପୀ ଶ୍ରୀ ସାହୁ ‘ସମ୍ବାଦକୁ କହିଛନ୍ତି। ସମସ୍ତ ମୂର୍ତ୍ତି ବ୍ରୋଞ୍ଚ ଧାତୁରେ ନିର୍ମାଣ କରାଯାଉଛି। ଘୋଡ଼ା ଉପରେ ବସିଥିବା ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ସାଢ଼େ ୧୧ ଫୁଟ ରହିଥିବା ବେଳେ ୧୧ଜଣ ବ୍ରାହ୍ମଣଙ୍କ ମୂର୍ତ୍ତିର ଉଚ୍ଚତା ୬ ଫୁଟ ରହିଛି।

ଏ ନେଇ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ଯାଜପୁର ସହରର ପ୍ରବେଶପଥ ଖୋଖନା ସ୍ଥିତ ସଠେଇ ପୋଖରୀଠାରେ ଏକ ପର୍ଯ୍ୟଟନ ହବ ନିର୍ମାଣ ହେବାକୁ ଯାଉଛି। ଯେଉଁଠାରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଶ୍ରୀ ରାଠୋର କହିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ସୂଚନା ଅଧିକାର ତଥ୍ୟକୁ ନେଇ ପ୍ରତିମୂର୍ତ୍ତି ସଂପର୍କରେ ଖୋଳତାଡ଼ ବେଳେ ସମସ୍ତେ ନିରବ ରହିଥିଲେ। ପର୍ଯ୍ୟଟନ ବିଭାଗ ଅଧିକାରୀ ଅର୍ଥ ଆସିଛି; ପ୍ରତିମୂର୍ତ୍ତି ଦାୟିତ୍ବ ଜିଲ୍ଲା ପ୍ରଶାସନ ନେଇଛି କହିଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ମୁହଁ ଖୋଲି ନଥିଲେ। ଜିଲ୍ଲାରେ ଅନେକ ପ୍ରକଳ୍ପ ଗୋପନରେ ଚାଲିଛି। ନିଜ ବିଭାଗର କାମ ସଂପର୍କରେ ସେହି ବିଭାଗର ଅଧିକାରୀଙ୍କ ନିକଟରେ ସାମାନ୍ୟତମ ସୂଚନା ରହୁନି। ବିଭାଗଗୁଡ଼ିକ ମଧ୍ୟରେ ତାଳମେଳର ଅଭାବ ସହ ଅଧିକାରୀମାନେ ଚାପରେ ପଡ଼ି ସତ ଉଗାଳିବାକୁ ସାହସ ଜୁଟାଇ ପାରୁନଥିବା ଜଳଜଳ ଦିଶୁଛି।

ସମ୍ବନ୍ଧିତ ଖବର