ହରଭଙ୍ଗା : ସାତକୋଶିଆ ମହାନଦୀ ଗଣ୍ଡରେ ଗତ ୫ ତାରିଖରେ ନନ୍ଦନକାନନ ଓ ବାହାରୁ କିଣାହୋଇ ଅଣାଯାଇଥିବା ୬ଟି ଘଡ଼ିଆଳ କୁମ୍ଭୀରକୁ ସୁନାଖଣିଆଠାରେ ଛଡ଼ାଯାଇଥିଲା। ସେଥିମଧ୍ୟରୁ ଗୋଟିଏ କୁମ୍ଭୀରକୁ ମହାନଦୀର ଛାମୁଣ୍ଡିଆଠାରେ ଅନ୍ୟ ଏକ ବଡ଼ ଗୋମୁହାଁ କୁମ୍ଭୀର କାମୁଡ଼ି କାମୁଡ଼ି ମାରିଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଗତ ୧୯ ତାରିଖରୁ ଆଉଏକ ଘଡ଼ିଆଳ କୁମ୍ଭୀର ହଠାତ ମହାନଦୀର ଉପର ମୁଣ୍ଡକୁ ଚାଲିଯାଇଥିବା ଜିପିଏସ୍ ଟ୍ରାକରରେ ଜଣାପଡ଼ିବା ପରେ ଏହାକୁ ଠାବ କରିବା ପାଇଁ ଟ୍ରାକର ଟିମ୍ ଏବଂ ବନ୍ୟପ୍ରାଣୀ ବିଭାଗ ଦିନରାତି ଏକ କରିଦେଇଥିବା ଜଣାପଡ଼ିଛି। ତେବେ ୨୦ ତାରିଖରେ କୁମ୍ଭୀରଟି କୁମାରୀ ନିକଟ ମହାନଦୀ ପାଣି ଭିତରେ ଥିବା ଜଣାପଡ଼ିଥିଲା।
ସେହିପରି ୨୧ତାରିଖ ସକାଳେ ରେଡିଓ କୋଲାର ମାଧ୍ୟମରେ ପୁଣିଥରେ ତାହା କୁଶଙ୍ଗ ପଞ୍ଚାୟତର ତିରଡ଼ ମହାନଦୀ କୂଳରେ ଥିବା ବାଲି ଶଯ୍ୟାରେ ଖରାରେ ଶୋଇଥିବା ଦେଖିବାକୁ ମିଳିଥିଲା। ଏକଥା ଜଣାପଡ଼ିବା ପରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ପ୍ରଦୀପ ଭୁତିଆ, ଟ୍ରାକର ଲକ୍ଷ୍ମୀ ପ୍ରସାଦ ରଥ, ଫରେଷ୍ଟର ବ୍ରଜରାଜ ବିଶ୍ୱାଳଙ୍କ ସମେତ ପୁରୁଣାକଟକ ବନ ବିଭାଗ ରେଞ୍ଜ ଅଧିକାରୀ ନିହାର ମଲ୍ଲିକ ଓ ଷ୍ଟାଫ କୁମାରୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ନଦୀରେ ଜାଲ ପକାଇବା ଏବଂ ବ୍ଲାଷ୍ଟିଂଙ୍ଗ କରି ମାଛ ନ ମାରିବାକୁ ବୁଝାଇ ଥିଲେ। ବନ୍ୟପ୍ରାଣୀ ପିସିସିଏଫ୍ଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୋଳ ଓ ନୟାଗଡ ବନ୍ୟପ୍ରାଣୀ ଡିଏଫଓ, ଆଠ୍ମଲ୍ଲିକ ଓ ବୌଦ୍ଧ ବନ ବିଭାଗ ଡିଏଫ୍ଓ ନିଜ ନିଜ ଷ୍ଟାଫଙ୍କୁ ମହାନଦୀ କୂଳରେ କଡ଼ା ନଜର ରଖିଥିବା ଜଣାପଡ଼ିଛି।