-ବିପିୟୁଟିର ୨୩ତମ ପ୍ରତିଷ୍ଠା ଦିବସ

Advertisment
ରାଉରକେଲା: ‘ଛାତ୍ରଛାତ୍ରୀ ବଡ଼ବଡ଼ ସ୍ବପ୍ନ ଦେଖନ୍ତୁ। ତେବେ ସ୍ବପ୍ନ ପୂରଣ କରିବାକୁ ନିଷ୍ଠାପର ଓ ଶୃଙ୍ଖଳିତ ଅଧ୍ୟବସାୟ ଜରୁରୀ। କୌଣସି ବି ପରିସ୍ଥିତିରେ ଧୈର୍ଯ୍ୟହରା ହେବା ଅନୁଚିତ। ସତ୍‌ସାହସ ରଖି ଆଗକୁ ବଢ଼ିବା ହିଁ ଏକାନ୍ତ ଆବଶ୍ୟକ। ଜଣେ ଟେକ୍ନୋକ୍ରାଟ୍‌ ସବୁ କିଛି କରିବାର ସାମର୍ଥ୍ୟ ରଖିଥାଏ। ଏଣୁ ନିଜର କଳାକୌଶଳ, ମେଧାର ସଦୁପଯୋଗକରି ନିଜ ନିଜ କ୍ଷେତ୍ରରେ ସଫଳ ହୁଅନ୍ତୁ। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର ୨୩ତମ ପ୍ରତିଷ୍ଠା ଦିବସରେ ଏଭଳିଭାବେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ।

୨୨ ବର୍ଷ ପୂର୍ବେ ବିପିୟୁଟିକୁ ରାଉରକେଲା ଆଣିବାକୁ ଜୋର୍‌ଦାର୍‌ ଲଢ଼େଇ କରିବାକୁ ପଡ଼ିଥିଲା। ତତ୍କାଳୀନ ବିଧାୟକ ଅଜିତ ଦାସଙ୍କ ସହ ମିଶି ପ୍ରଚୁର ଚାପ ପ୍ରୟୋଗ କରାଯାଇଥିଲା। ତେବେ ବିପିୟୁଟିକୁ ନେଇ ମୁଁ ପୂର୍ଣ୍ଣମାତ୍ରାରେ ସନ୍ତୁଷ୍ଟ ହୋଇପାରୁନି। ଏହି ଅନୁଷ୍ଠାନକୁ ଆଗାମୀ ଦିନରେ ଆହୁରି ବହୁତ କିଛି କରିବାକୁ ପଡ଼ିବ। ସମସ୍ତେ ମିଳିମିଶି ବିପିୟୁଟିକୁ ରାଜ୍ୟର ଶ୍ରେଷ୍ଠ ଅନୁଷ୍ଠାନଭାବେ ଗଢ଼ିତୋଳିବା। 

-ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ

publive-image
ସମ୍ମାନିତ ଅତିଥି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଲେ, ଶିକ୍ଷାର ବିକେନ୍ଦ୍ରୀକରଣ ଅତ୍ୟନ୍ତ ଆବଶ୍ୟକ। ଏହି ଅନୁଷ୍ଠାନ ଭୁବନେଶ୍ବର ଅପେକ୍ଷା ରାଉରକେଲାରେ ସ୍ଥାପନ ହେବାରୁ ଏହାର ମର୍ଯ୍ୟାଦା ଆହୁରି ବଢ଼ିଛି। ସଂପ୍ରତି ରାଜ୍ୟ ସରକାର ଆଇଟି କ୍ଷେତ୍ରରେ ନୂଆ ପରିବର୍ତ୍ତନ ପାଇଁ ପ୍ରୟାସରତ। ଆଇଟିକୁ ଢ଼େର୍‌ ଆଗକୁ ନେବା ତଥା ଏକ ଇକୋସିଷ୍ଟମ୍‌ ଯୋଗାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ବାସ୍ତବରେ ଆଇଟି କ୍ଷେତ୍ରରେ ଅଧିକରୁ ଅଧିକ ଉତ୍କର୍ଷତା ହାସଲକରି ଅର୍ଥନୈତିକ ଅଭିବୃଦ୍ଧି କରାଯିବ।
ରାଜ୍ୟ ସରକାର ଓଡ଼ିଶାକୁ ଡାଟା, ସେମି କଣ୍ଡକ୍ଟର କେନ୍ଦ୍ରରେ ପରିଣତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସିଙ୍ଗାପୁରରୁ ପୁରୀକୁ ସମୁଦ୍ର‌ ଭିତରେ କେବଲ୍‌ ଡାଟା ‌ଲ୍ୟାଣ୍ଡିଂ ସିଷ୍ଟମ୍‌ ସଂଯୋଗ କରାଯିବ। ଦେଶର ଦ୍ବିତୀୟ ନ୍ୟାସନାଲ ଫରେନ୍ସିକ ସାଇନ୍ସେସ୍‌ ବିଶ୍ବବିଦ୍ୟାଳୟ ଓଡ଼ିଶାରେ ସ୍ଥାପନ ହେବବୋଲି କହିଥିଲେ।
ସମ୍ମାନିତ ଅତିଥି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁପାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ଏନ୍‌ଆଇଟି ରାଉରକେଲାର ନିର୍ଦ୍ଦେଶକ କେ. ଉମାମହେଶ୍ବର ରାଓ କହି‌ଲେ, ଆଶା ହିଁ ଛାତ୍ରଛାତ୍ରୀଙ୍କ ବଳ ହେଉ। କୌଣସି ବି ପରିସ୍ଥିତିରେ ନିରାଶ ହୁଅନ୍ତୁନି। ଛାତ୍ରଛାତ୍ରୀ ଥିବା ସମୟରେ ହିଁ ଭୁଲ୍‌ ହେବ। ଭୁଲ୍‌ କରନ୍ତୁ, କିନ୍ତୁ ଉକ୍ତ ତ୍ରୁଟିରୁ ଶିକ୍ଷାଲାଭ କରନ୍ତୁବୋଲି କହିଥିଲେ। ଅନୁଷ୍ଠାନର କୁଳପତି ପ୍ରଫେସର ଅମୀୟ କୁମାର ରଥ ସ୍ବାଗତ ଭାଷଣ ଦେଇଥିଲେ। କୁଳସଚିବ ନିଶି ପୁନମ ମିଞ୍ଜ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷରେ ସର୍ବାଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ, ଯଥାକ୍ରମେ ପ୍ରିୟଦର୍ଶିନୀ ମିଶ୍ର, ପ୍ରୟାସ ଦାସ ଓ ସାଇ ଗାୟତ୍ରୀ ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିପିୟୁଟି ସିୟୁପିଜିଏସ୍‌ର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ଶିବକୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।