ସଂକଳ୍ପ ଦିବସ ପାଳିଲେ ଖଣ୍ଡପଡ଼ାବାସୀ

ଆମ ଓଡ଼ିଶା ପାର୍ଟି ପ୍ରତିଷ୍ଠା ଦିବସ

ଖଣ୍ଡପଡ଼ା : ‘ଆମ ଓଡ଼ିଶା ପାର୍ଟି’ର ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଦିବସ ଖଣ୍ଡପଡ଼ାରେ ପାଳିତ ହୋଇଛି। ପ୍ରତିଷ୍ଠା ଦିବସକୁ ଖଣ୍ଡପଡ଼ାବାସୀ ସଂକଳ୍ପ ଦିବସ ଭାବେ ପାଳନ କରିଛନ୍ତି। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଣ୍ଡପଡ଼ା ଓ ଭାପୁର ବ୍ଲକ୍‌ର ୪୨ଟି ଗ୍ରାମ ପଞ୍ଚାୟତ ଓ ଏନ୍‌ଏସିକୁ ମିଶାଇ ମୋଟ ୪୩ଟି ସ୍ଥାନରେ ଦଳର ପ୍ରତିଷ୍ଠା ଦିବସକୁ ମହାସମାରୋହରେ ପାଳନ କରାଯାଇଛି। ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଲୋକଙ୍କୁ ‘ଆମ ଓଡ଼ିଶା ପାର୍ଟି’ରେ ଯୋଡ଼ିବା ଲକ୍ଷ୍ୟ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଆମ ଓଡ଼ିଶା ପାର୍ଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ଜଣେ ଦକ୍ଷ ନେତାଙ୍କୁ ଖଣ୍ଡପଡ଼ାବାସୀ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ଦେଖିବାକୁ ଚାହାନ୍ତି, ଏହି ଲକ୍ଷ୍ୟ ନେଇ ସମସ୍ତେ ସଂକଳ୍ପ କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଯୁବ, ଛାତ୍ର, ମହିଳା ଓ ଆମ ଓଡ଼ିଶା ପାର୍ଟିର କର୍ମୀମାନେ ଏଥିରେ ସାମିଲ୍‌ ହୋଇଥିଲେ। ଆମ ଓଡ଼ିଶା ପାର୍ଟି ପକ୍ଷରୁ ନିର୍ବାଚନ ମଣ୍ଡଳୀସ୍ତରୀୟ ସଭାପତି ବିଜୟ କୁମାର ନନ୍ଦଙ୍କ ନେତୃତ୍ୱରେ ସଂକଳ୍ପ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଆମ ଓଡ଼ିଶା ପାର୍ଟିର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମା, ମାଟି, ମାତୃଭାଷା, ନିଶାମୁକ୍ତ ଓ ସମର୍ଥ ଓଡ଼ିଶା ଗଠନ ପାଇଁ ବିକଳ୍ପ ନେତୃତ୍ୱ ସୃଷ୍ଟି କରିବାକୁ କର୍ମୀମାନଙ୍କୁ ଆହ୍ଵାନ ଦେଇଥିଲେ।

ଅନ୍ୟାନ୍ୟ ସ୍ଥାନରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଆମ ଓଡ଼ିଶା ପାର୍ଟିର କର୍ମୀମାନେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଶାସନ, ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି, କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ଚାଷୀଙ୍କୁ ଉଚିତ ସମ୍ମାନ, କୃଷି ଓ କୃଷକର ଉନ୍ନତି, ସାଧାରଣ ଲୋକଙ୍କୁ ଉତ୍ତମ ପୁଲିସ୍‌ ସହାୟତା, ଉନ୍ନୟନ କାର୍ଯ୍ୟରେ ପିସି ବନ୍ଦ ଏବଂ ସାମଗ୍ରିକ ବିକାଶ କ୍ଷେତ୍ରରେ ଖଣ୍ଡପଡ଼ାର ସ୍ୱାର୍ଥ ଓ ପରିବର୍ତ୍ତନ ପାଇଁ ଶ୍ରୀ ପଟ୍ଟନାୟକଙ୍କ ଭଳି ଜଣେ ସୁଦକ୍ଷ ନେତାଙ୍କୁ ଶାସନ ଗାଦିରେ ବସାଇବା ନିହାତି ଦରକାର ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର