କୋରାପୁଟ: ନିଜ କ୍ଷମତାକୁ ମାପି ଦକ୍ଷତାକୁ ବଢ଼ାଅ। ଦେଶର ଅଭିବୃଦ୍ଧିରେ ଅଂଶୀଦାର ହେବାକୁ ନିଜ ଗତିକୁ ବଢ଼ାଇବା ପାଇଁ ବିଦ୍ୟାର୍ଥୀ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ ଏହା କହିଛନ୍ତି। ସେ କହିଥିଲେ, ୩-ଏସ୍ ସ୍କିଲ୍, ସ୍କେଲ୍ ଓ ସ୍ପିଡ୍ ହିଁ ସଫଳତାର ସର୍ବୋଚ୍ଚ ସ୍ତରରେ ପହଞ୍ଚିବାର ପୁଞ୍ଜି। ସେହିପରି ଜୈବିକ ଚାଷ ପ୍ରଣାଳୀ ପାଇଁ କୋରାପୁଟ ଜିଲ୍ଲା ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିଛି। ତେଣୁ ଏହି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇ ପ୍ରତ୍ୟେକ ଉତ୍ପାଦକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ପଡ଼ିବ। ସେହିପରି ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମଭୂମି ଏବଂ ପାପଡ଼ାହାଣ୍ଡିର ସହିଦ ଭୂମିରୁ ପବିତ୍ର ମାଟି ସଂଗ୍ରହ କରି କେନ୍ଦ୍ର ସରକାରଙ୍କ ମୋ ମାଟି, ମୋ ଦେଶ ଅଭିଯାନରେ ସାମିଲ ହେବାକୁ ବିଶ୍ୱବିଦ୍ୟାଳୟକୁ ଆହ୍ୱାନ କରିଥିଲେ।
ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଏମ୍ବି ଭାଗଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିଭାସ ଚନ୍ଦ୍ର ଝା ‘ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସିୟୁଓର ଭୂମିକା’ ଶୀର୍ଷକରେ ପ୍ରତିଷ୍ଠା ଦିବସ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ପ୍ରଶାନ୍ତ ମେଶ୍ରାମ ଉପସ୍ଥିତ ଥିଲେ। କୁଳପତି ପ୍ରଫେସର ତ୍ରିପାଠୀ ସ୍ୱାଧୀନତା ସଂଗ୍ରାମୀ ତଥା ଭୂମିପୁତ୍ର ସହିଦ ଲକ୍ଷ୍ମଣ ନାୟକଙ୍କୁ ସ୍ମରଣ କରି ସଭାପତିତ୍ବ ଅଭିଭାଷଣ ଆରମ୍ଭ କରିଥିଲେ। ସେହିପରି ବିଦ୍ୟାର୍ଥୀ ଚାକିରି ନଖୋଜି ଚାକିରି ପ୍ରଦାନକାରୀ ହେବାକୁ ପରାମର୍ଶ ଦେଇଥିଲେ।
ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳସଚିବ ତଥା ବିତ୍ତ ଅଧିକାରୀ ପ୍ରଫେସର ଏନ୍ସି ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଆସୋସିଏଟ୍ ପ୍ରଫେସର ଡ. ରୁଦ୍ରାଣୀ ମହାନ୍ତି ଧନ୍ୟବାଦ ଦେଇଥିଲେ।