ସମ୍ବଲପୁର : ଯେଉଁ ଭାଷାରେ ଉପ ସାହିତ୍ୟ ଅଛି, ଯେଉଁ ଭାଷାର ସାହିତ୍ୟ ସମାଜକୁ ଦିଗ୍ଦର୍ଶନ ଦେଇପାରିବ ସେଇଟା କାଳଜୟୀ ସାହିତ୍ୟ। ସେଭଳି ଯେଉଁ ମଣିଷ ଅନ୍ୟ ପାଇଁ ଆଦର୍ଶ ପାଲଟିପାରି, ସେ ହିଁ ପ୍ରକୃତ ମଣିଷ। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମ୍ୟୁ)ର ୭୯ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ହଳଧର ନାଗ ଏହି ମତ ରଖିଛନ୍ତି। ନିଜ କବିତା ଲେଖାର ଅନୁଭୂତି ଓ ସ୍ମୃତି ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ରଖିବା ସହ କବି ଯମକୁ ବି ଡରେନା ବୋଲି କହିଥିଲେ। କବି ମୃତ୍ୟୁଞ୍ଜୟ, କବିତା ମାଧ୍ୟମରେ ଆମ ଗହଣରେ ସବୁବେଳେ ଜୀବିତ। ସମ୍ବଲପୁରୀ ଭାଷାରେ ଲିଖିତ କବିତା, ବିଦେଶରେ ଅନୁବାଦ କରାଯାଉଛି। ନୋବେଲ ପୁରସ୍କାର ବିଜେତାଙ୍କ ଲେଖା ପ୍ରକାଶ ପାଉଥିବା ପତ୍ରିକାରେ ମଧ୍ୟ ସମ୍ବଲପୁରୀ ଭାଷାର କବିତାକୁ ଅନୁବାଦ କରି ସାମିଲ କରାଯାଇଛି। ଯାହା ଆମ ଭାଷା ଓ ସାହିତ୍ୟର ପରିଚୟ ସାରା ବିଶ୍ବରେ ପ୍ରଦାନ କରିଛି କହିବା ସହ ସମ୍ବଲପୁରୀ ଭାଷାକୁ ସରକାର ସ୍ବତନ୍ତ୍ର ଭାଷା ମାନ୍ୟତା ପ୍ରଦାନ କରନ୍ତୁ ବୋଲି ହଳଧର ନାଗ କହିଥିଲେ।
ଜିଏମ୍ୟୁର କୁଳପତି ପ୍ରଫେସର୍ ଏନ୍ ନାଗରାଜୁ ଶୁକ୍ରବାର ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ସଭାପତିତ୍ବ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ତା ସହିତ ଅନୁଷ୍ଠାନର ଗର୍ବ ଓ ଗାରିମା ବିଷୟରେ କହିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଲକ୍ଷ୍ମୀପ୍ରିୟା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶ୍ଵବିଦ୍ୟାଳୟର କୁଳସଚିବ ଯୁଗଳେଶ୍ବରୀ ଦାଶ, ଉପ କୂଳସଚିବ ଡ. ଉମା ଚରଣ ପତି, ବିତ୍ତ ନିୟନ୍ତ୍ରକ କନକଲତା ଏକ୍କା, ପିଜି କାଉନସିଲ ଅଧ୍ୟକ୍ଷ ସୁଶାନ୍ତ ଦାସ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ନ୍ୟୁଜ୍ ଲେଟର୍କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ।
ପୁରସ୍କୃତ ପ୍ରତିଭା
ଗୋଲ୍ଡେନ୍ ଜୁବୁଲି ଗ୍ରାଜିଏଟ ପୁରସ୍କାର: ସୁସନ୍ନା ଦାସ(କଳା), ଶ୍ବେତା ଚାଟାର୍ଜୀ(ବାଣିଜ୍ୟ), ସୁଧର୍ମାକୁମାରୀ ସିଂ(ବିଜ୍ଞାନ)
ପ୍ରଫେସର୍ ନାରାୟଣ ମିଶ୍ର ମେମୋରିଆଲ୍ ପୁରସ୍କାର:ସୋନାଲି ଦାଶ ଓ ସଞ୍ଜନା ଦାଶ(ସ୍ନାତକରେ ସର୍ବାଧିକ ନମ୍ବର)
ଚିନ୍ମୟ ପତି ମେମୋରିଆଲ୍ ପୁରସ୍କାର: ଶୁଭଲକ୍ଷ୍ମୀ ସାବିତ୍ରୀ ଦାସ(ପିଜିରେ ସର୍ବାଧିକ ନମ୍ବର)
ପ୍ରଫେସର୍ ବଳରାମ ଦାସ ପୁରସ୍କାର: କିରଣମୟୀ ସାହୁ(ହିନ୍ଦୀରେ ପ୍ରଥମ), ବିକାଶ ଭୋଇ(ଦ୍ବିତୀୟ)
ଧରଣୀଧର ଦାସ ମେମୋରିଆଲ୍ ପୁରସ୍କାର: ସଞ୍ଜନା ଦାଶ(ସ୍ନାତକ ପଦାର୍ଥବିଜ୍ଞାନରେ ପ୍ରଥମ)
ପ୍ର. ସୂର୍ଯ୍ୟକାନ୍ତ ଦାସ ମେମୋରିଆଲ୍ ପୁରସ୍କାର: ସ୍ବେତା ଚାଟାର୍ଜୀ(ସ୍ନାତକ ବାଣିଜ୍ୟରେ ପ୍ରଥମ)
ପ୍ର. ବ୍ରଜବନ୍ଧୁ ମିଶ୍ର ମେମୋରିଆଲ୍ ପୁରସ୍କାର: ଜନ୍ମଜୟ ବାରିକ(ସ୍ନାତକ ଗଣିତରେ ପ୍ରଥମ)
କମାଳାଶାସ୍ତ୍ରୀ ମେମୋରିଆଲ୍ ପୁରସ୍କାର: ରୋଶନ ସାହୁ
ଯଯାତିକେଶରୀ ଦାସ ମେମୋରିଆଲ୍ ପୁରସ୍କାର: ଶ୍ରେୟା ବାରିକ
ସାଧନା ଦେବୀ ମେମୋରିଆଲ୍ ପୁରସ୍କାର:ଶ୍ରେୟା ବାରିକ, ବିବେକାନନ୍ଦ ତ୍ରିପାଠୀ, ଖୁସି ଅଗ୍ରଵାଲ୍