ସମ୍ବଲପୁର: ସୋମବାର ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ତା’ର ୩୨ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ସଦ୍ୟ ଶେଷ ହୋଇଥିବା ଆର୍ଥିକ ବର୍ଷରେ କମ୍ପାନିର ରେକର୍ଡ ସଫଳତା ଏହି କାର୍ଯ୍ୟକ୍ରମକୁ ଅଧିକ ଉତ୍ସବମୁଖର କରିଥିଲା। ଏହି ଅବସରରେ ଏମ୍ସିଏଲ୍ ମୁଖ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ପ୍ରଥମେ ଅନୁଷ୍ଠିତ ‘ଉତ୍କର୍ଷ ପାଇଁ ଦୌଡ଼’ରେ ସମସ୍ତ ନିର୍ଦ୍ଦେଶକ, ପୂର୍ବତନ ସିଏମ୍ଡି, କର୍ମଚାରୀ ଓ ତାଙ୍କ ପରିବାରବର୍ଗ ଭାଗ ନେଇଥିଲେ।
ଏମ୍ସିଏଲ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଓପି ସିଂହ ସମସ୍ତଙ୍କୁ ଉଦ୍ବୋଧନ ଦେଇ ୨୦୨୨-୨୩ ଆର୍ଥିକ ବର୍ଷର ଚମତ୍କାର ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ମଧ୍ୟ ସବୁ ପ୍ରକାର ସମର୍ଥନ ଯୋଗାଇ ଦେଇଥିବାରୁ ଅତୀତରେ କମ୍ପାନିର ନେତୃତ୍ବ ନେଇଥିବା ସମସ୍ତ ମୁଖ୍ୟ, କୋଇଲା ମନ୍ତ୍ରଣାଳୟ, କୋଲ୍ ଇଣ୍ଡିଆ ଓ ଓଡ଼ିଶା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ଏମ୍ସିଏଲ୍ର ପୂର୍ବତନ ସିଏମ୍ଡି ଏସ୍ଏନ୍ ଶର୍ମା, ଏଏନ୍ ସହାୟ, ବିଏନ୍ ଶୁକ୍ଳା ଏବଂ ପିକେ ସିହ୍ନାଙ୍କ ସମେତ କାର୍ମିକ ନିର୍ଦ୍ଦେଶକ କେଶବ ରାଓ, ମୁଖ୍ୟ ସତର୍କତା ଅଧିକାରୀ ପିକେ ପଟେଲ, ବୈଷୟିକ ନିର୍ଦ୍ଦେଶକ ଜେକେ ବୋର୍ହା, ବିତ୍ତ ନିର୍ଦ୍ଦେଶକ ଅଜିତ ବେହୁରା ଏବଂ ଅନ୍ୟ ସବୁ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରେରଣାଦାୟୀ ବକ୍ତା ସୋନୁ ଶର୍ମା କମ୍ପାନିର କର୍ମଚାରୀମାନଙ୍କୁ ସଫଳତାର ୯ଟି ସୂତ୍ର ବତାଇଥିଲେ। ବିଭିନ୍ନ ପରିଚାଳନା କ୍ଷେତ୍ର ଓ ଶ୍ରମିକ ସଂଘର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାଛଡ଼ା ବଲିଉଡ୍ ଗାୟିକା ଶିଳ୍ପା ରାଓ ସଂଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।