ରାଜ୍ୟ ମହିଳା କମିସନର ୨୬ତମ ପ୍ରତିଷ୍ଠା ଦିବସ : କମିସନ ଲକ୍ଷ୍ୟର ସମୀକ୍ଷା ହେବା ଉଚିତ: ମନ୍ତ୍ରୀ

ଭୁବନେଶ୍ବର : ଯେଉଁ ଲକ୍ଷ୍ୟ ନେଇ ମହିଳା ଆୟୋଗ( କମିସନ) ଗଠିତ ହୋଇଥିଲା, ତାର ସମୀକ୍ଷା ହେବା ଉଚିତ। କାରଣ ଏଯାଏ ଅନେକ ସଚେତନ ହୋଇ ନାହାନ୍ତି। ଆୟୋଗର ଅଙ୍କୁଶ ରହିବା ଉଚିତ, ଆୟୋଗ ପ୍ରତି ଭୟ ରହିବା କଥା। ଯେଉଁମାନେ ଦୁଷ୍କର୍ମ କରୁଛନ୍ତି ସେମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ।

ଆଜି ସଂଧ୍ୟାରେ ସ୍ଥାନୀୟ ଇଡକଲ ଭବନଠାରେ ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଆୟୋଜିତ ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହା କହିଛନ୍ତି।

ମନ୍ତ୍ରୀ ଶ୍ରୀ ସାମଲ ଫୁଲବାଣୀ ଜିଲ୍ଲା ଦାରିଙ୍ଗିବାଡ଼ି ଅନୁସୂଚିତ ଜାତି ଓ ଜନଜାତି ସରକାରୀ ଉଚ୍ଚବିଦ୍ୟାଳୟ ହଷ୍ଟେଲ ଶୌଚାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। କହିଥିଲେ ଯେଉଁମାନେ ଏହି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପରିକି ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରି ସାରିଛି। ସଂପୃକ୍ତ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ଆବଶ୍ୟକ। ମୁଁ ନିଜେ ଜିଲ୍ଲାପାଳଙ୍କ ସହିତ ଏ ସମ୍ପର୍କରେ କଥା ହୋଇଛି। ଦାୟିତ୍ବରେ ଥିବା ସ୍ବେଚ୍ଛାସେବୀ ସଂଗଠନର ଅବହେଳା କାରଣରୁ ରାଜ୍ୟରେ ଏଭଳି ଅଘଟଣ ସାମ୍‌ନାକୁ ଆସୁଛି। ତେବେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବହୁତ କମ୍ ଘଟଣା ଘଟୁଛି। କିନ୍ତୁ ମହିଳା ଆୟୋଗ ପ୍ରତିଷ୍ଠା ହେବା ପରଠାରୁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରା ଯାଉଛି। ଅନେକ କ୍ଷେତ୍ରରେ ମହିଳା ଆୟୋଗ ସ୍ବତଃ ପ୍ରବୃତ୍ତ ଭାବେ କାର୍ଯ୍ୟ କରୁଥିବାରୁ ଉଚ୍ଚ ପ୍ରଶଂସିତ ହୋଇଛି। ରାଜ୍ୟ ବାହାରେ ମଧ୍ୟ ଆମ ରାଜ୍ୟ ମହିଳା ଆୟୋଗର ଅନେକ ସୁନାମ ରହିଛି। ମହିଳାମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରିବା ଦିଗରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି।

ଅଧ୍ୟକ୍ଷତା କରି କମିସନର ଅଧ୍ୟକ୍ଷା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଲେ, ମହିଳା ଆୟୋଗର ପ୍ରତିଷ୍ଠା ଦିବସ ଏକ ସଂଙ୍କଳ୍ପ ଦିବସ। ୨୬ ବର୍ଷର ଯାତ୍ରା ମଧ୍ୟରେ ମହିଳା ଆୟୋଗ ଯେଉଁ ସଫଳତା ପାଇଛି ତାର ପଟାନ୍ତର ନାହିଁ। ଭବିଷ୍ୟତରେ ମହିଳା ଆୟୋଗ ଏକ ନୂତନ ଶିଖର ସ୍ପର୍ଶ କରିବ ବୋଲି ଶ୍ରୀମତୀ ଗର୍ଗ ଆଶା ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହିଳା ଆୟୋଗର ଆବାହକ ସଚିବ ମନୋଜ କୁମାର ବେହେରା, ମହିଳା ଆୟୋଗ ସଦସ୍ୟା କୁସୁମ ରଥ, ସୁଶ୍ରୀ ସ୍ନେହାଞ୍ଜଳି ମହାନ୍ତି, ସସ୍ମିତା ନନ୍ଦ, ତିଳୋତ୍ତମା ନାୟକ, ମହିଳା ଆୟୋଗର ପୂର୍ବତନ ସଦସ୍ୟାବୃନ୍ଦ,ଅନ୍ୟ ଆୟୋଗମାନଙ୍କର ଅଧ୍ୟକ୍ଷା, ସମାଜସେବୀ, ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ମହିଳା ଆୟୋଗ ଦ୍ବାରା ପ୍ରକାଶିତ ଦୁଇଟି ପୁସ୍ତକ ‘ମହିଳାମାନଙ୍କ ପାଇଁ ସହାୟକ ପୁସ୍ତିକା’ ଓ ୨୬ଟି ସଫଳ କାହାଣୀ ସଙ୍କଳିତ ‘ଇଟ୍ ଇଜ୍ ଟୁ ସ୍ମାଇଲ’କୁ ମନ୍ତ୍ରୀ ଶ୍ରୀ ସାମଲ ଉନ୍ମୋଚିତ କରିଥିଲେ।

ସମ୍ବନ୍ଧିତ ଖବର