ଛାତ୍ରଛାତ୍ରୀ ଜ୍ଞାନ ସହିତ ପ୍ରଜ୍ଞାର ଅଧିକାରୀ ହୁଅନ୍ତୁ: ପଦ୍ମଶ୍ରୀ ଉଦ୍‌ଗାତା

ଭାରତକୁ ବିଶ୍ବର ମହାଶକ୍ତି ରୂପେ ଗଢ଼ି ତୋଳିବା ଆମର ସଂକଳ୍ପ ହେଉ: କୁଳପତି ପ୍ରଫେସର ମହାପାତ୍ର

ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରତିଷ୍ଠା ଦିବସ ଗତ ୧ ତାରିଖ ଗୁରୁବାର ବିଶ୍ବବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ମୁଖ୍ୟ ଅତିଥିଙ୍କ ସମେତ କୁଳପତି ମହାପାତ୍ର ଓ ଅନ୍ୟ ପଦାଧିକାରୀ ମା’ ସରସ୍ବତୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରିଥିଲେ।

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ

ସାଇବିନାୟକ ମିଶ୍ର ବେଦପାଠ କରିଥିଲେ। ପ୍ରଫେସର ଡ. ପି.କେ. ଦାଶ ସ୍ବାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ଯୁଧିଷ୍ଠିର ନାଏକ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଦେଶବିଦେଶରେ ପ୍ରତିଷ୍ଠା ଲାଭ କରିଥିବା ରାଜେନ୍ଦ୍ର ମହାବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କର ନାମୋଲ୍ଲେଖ ପୂର୍ବକ ଅଗାମୀ ଦିନରେ ମଧ୍ୟ ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ପ୍ରତିଷ୍ଠା ଲାଭ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ। କୁଳପତି ପ୍ରଫେସର ମହାପାତ୍ର ତାଙ୍କର ଅଭିଭାଷଣରେ ସମସ୍ତଙ୍କୁ ନୂଆଁଖାଇର ଅଭିନନ୍ଦନ ଜଣାଇବା ସହିତ ରାଜେନ୍ଦ୍ର କଲେଜ ସହିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସୁଦୀର୍ଘ ଗୌରବମୟ ପ୍ରସଙ୍ଗ ଅବତାରଣା କରି ଆଗାମୀ ଦିନରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଦେଶର ଏକ ଅଗ୍ରଣୀ ବିଶ୍ବବିଦ୍ୟାଳୟ ରୂପେ ଆତ୍ମପ୍ରକାଶ କରିବ ବୋଲି ଆଶା ପ୍ରକଟ କରିଥିଲେ। କୁଳପତି ତାଙ୍କ ଅଭିଭାଷଣରେ କହିଲେ ଯେ, ଆଜି ଆମର ଛାତ୍ରଛାତ୍ରୀଙ୍କୁ ଦୁଇଟି ସଂକଳ୍ପ ନେବାକୁ ହେବ।

ପ୍ରଥମତଃ ଆମକୁ ଏହି ସଂକଳ୍ପ ନେବାକୁ ହେବ ଯେ ଆମକୁ ଆମ ନିଜର ଦାୟିତ୍ବ ନେବା ସଂଗେ ସଂଗେ ଆମ ପରିବାର ତଥା ଆମ ଉପରେ ଥିବା ଆମ ଦେଶର ଦାୟିତ୍ବ ନିର୍ବାହ କରିବା। ସଫଳତା ଓ ମହାନତାର ଅଧିକାରୀ ହେବା ପାଇଁ ଆମେ ଅନ୍ୟମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା। ଏହା ସହିତ ଭାରତକୁ ବିଶ୍ବର ଏକ ମହା‌ଶକ୍ତି ରୂପେ ପରିଣତ କରିବା ପାଇଁ ସମସ୍ତେ ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି କୁଳପତି ଆଶାବ୍ୟକ୍ତ କରିଥିଲେ। ପ୍ରତିଷ୍ଠା ଦିବସର ପବିତ୍ର ମୁହୂର୍ତ୍ତରେ ନିଜ ପାଇଁ, ପରିବାର ପାଇଁ ଓ ଦେଶ ପାଇଁ ନିଜକୁ ଯୋଗ୍ୟ କରିବା ନିମନ୍ତେ ଛାତ୍ରଛାତ୍ରୀ ଦ୍ବିତୀୟ ସଂକଳ୍ପ ନିଅନ୍ତୁ ବୋଲି କୁଳପତି ପରାମର୍ଶ ଦେଇଥିଲେ।

ମୁଖ୍ୟ ଅତିଥି ପଦ୍ମଶ୍ରୀ ଉଦ୍‌ଗାତା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଜ୍ଞାନ ଓ ପ୍ରଜ୍ଞା ଅଲଗା ଅଲଗା ଜିନିଷ। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜ୍ଞାନର ଅଧିକାରୀ ହେବା ସଂଗେ ସଂଗେ ପ୍ରଜ୍ଞାର ଅଧିକାରୀ ହେବାକୁ ପ୍ରୟାସ ଜାରି ରଖିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ କୁଳପତି ମୁଖ୍ୟଅତିଥି ପଦ୍ମଶ୍ରୀ ଉଦ୍‌ଗାତାଙ୍କୁ ଅଙ୍ଗବସ୍ତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭାମଞ୍ଚରେ ମୁଖ୍ୟ ଅତିଥି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ୱେବ୍‌ସାଇଟକୁ ଉଦ୍‌ଘାଟନ କରିଥିଲେ। ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଅକ୍ଷୟ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକ, ବିଶ୍ବବିଦ୍ୟାଳୟର ପୂର୍ବତନ କୁଳସଚିବ ପ୍ରଫେସର ଦୁର୍ଗାପ୍ରସନ୍ନ ମହାପାତ୍ର, ପାଟଣାଗଡ଼ କଲେଜର ଅଧ୍ୟକ୍ଷ ଡ. ଦେବରାଜ ମିଶ୍ର, କଂଟାବାଞ୍ଜି କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ସିଣ୍ଡିକେଟ ସଦସ୍ୟ ଡ. ଫାଲଗୁନୀ ମହାନନ୍ଦିଆ, ରତନ ମହାରଣା, ଡ. ତରୁଣ ମିଶ୍ର, ପ୍ରଭାସ ପାଣଗ୍ରାହୀ, ସମାଜସେବୀ ଶ୍ରୀକର ମିଶ୍ର ତଥା ବିଶ୍ବବିଦ୍ୟାଳୟର ସମସ୍ତ ପ୍ରଫେସର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର