ସମ୍ବଲପୁର: ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ, ସମଗ୍ର ଅହମିୟା ଜାତି ପାଇଁ ଏକ ଆନନ୍ଦ ଓ ଗୌରବର ବିଷୟ। ଆପଣମାନେ ମୋ ମାଧ୍ୟମରେ ସମଗ୍ର ଅହମିୟା ସାହିତ୍ୟ ଓ ସଂସ୍କୃତିକୁ ଶ୍ରଦ୍ଧା ଓ ସ୍ବୀକୃତି ପ୍ରଦାନ କରିଛନ୍ତି। ଓଡ଼ିଶା ସହିତ ଆସାମର ଐତିହାସିକ ସଂପର୍କ ରହିଛି। ଲିପି ଭିନ୍ନ ହେଲେ ମଧ୍ୟ ଉଭୟ ଭାଷାରେ ଅନେକ ସାମଞ୍ଜସ୍ୟ ରହିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ସମ୍ମାନଜନକ ଗଙ୍ଗାଧର ଜାତୀୟ ସମ୍ମାନ ଗ୍ରହଣ ଅବସରରେ ଆସାମର ବିଶିଷ୍ଟ କବି ଅନିସ୍‌ ଉଜ୍‌ ଜମାନ୍‌ ଏହା କହିଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କବି ଅନିସ୍‌ ଉଜ୍‌ ଜମାନ୍‌ କହିଛନ୍ତି, ଅହମିୟା ସାହିତ୍ୟ ଓ ସଂସ୍କୃତିର ମହାନାୟକ ଶ୍ରୀମନ୍ତ ଶଙ୍କରଦେବ ଗୋସାଇଁ ପୁରୀ ଜଗନ୍ନାଥ ଧାମରେ ବହୁବର୍ଷ ଅତିବାହିତ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ପରିବେଶରେ ପ୍ରଭାବିତ ହୋଇ ‘ଉରେସା ବର୍ଣ୍ଣନ’ ଗ୍ରନ୍ଥ ରଚନା କରିଥିଲେ। ଆଧୁନିକ ଅହମିୟା ସାହିତ୍ୟର ମୁଖ୍ୟ ପୁରୋଧା ଲକ୍ଷ୍ମୀନାଥ ବେଜବରୁଆ ବହୁବର୍ଷ ସମ୍ବଲପୁରରେ ବସବାସ କରିଥିଲେ ବୋଲି ସେ କହିଥିଲେ।

Advertisment

ମୁଖ୍ୟ ଅତିଥି ଭାବରେ ରାଉରକେଲା ଏନଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ଯୋଗଦେଇ ପ୍ରତ୍ୟେକ ଆହ୍ବାନକୁ ଗ୍ରହଣକରି ଜୀବନରେ ଅଗ୍ରସର ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଆଦିତ୍ୟ ପ୍ରସାଦ ପାଢ଼ୀ ଯୋଗଦେଇ ଅଧ୍ୟବସାୟ ସଫଳତାର ମୂଳମନ୍ତ୍ର ବୋଲି କହିଥିଲେ। ସମ୍ମାନିତ ଅତିଥି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର ଓ ପ୍ରଫେସର ସଂଯୁକ୍ତା ଦାସ ବକ୍ତବ୍ୟ ପ୍ରଦାନ ଥିଲେ। ଏହି ପରିପ୍ରେକ୍ଷୀରେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ ପାଇଁ ହରି ବେହେରାଙ୍କୁ ସ୍ବର୍ଗତ ହରିବନ୍ଧୁ ସାହୁ ପୁରସ୍କାର ପ୍ରଦାନ କରାଯାଇଥିଲା। କଳା ଓ ସଂସ୍କୃତି ପାଇଁ ପ୍ରଦୀପ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ଜମାନ୍‌ଙ୍କ ପତ୍ନୀ ପ୍ରଫେସର ଡ. ସାମିନ ଅଖତରଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା।