ସାହିତ୍ୟ ଜୀବନ୍ତ ଚେତନାରେ ପରିପୂର୍ଣ୍ଣ ହେବା ଆବଶ୍ୟକ: ମନୋଜ ଦାସ

ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ଉତ୍ସବ, ଦେବ୍ରାଜ ଲେଙ୍କାଙ୍କୁ ଜେମା-ସାମନ୍ତ ସୃଜନୀ ପୁରସ୍କାର

କଟକ : ସାହିତ୍ୟ ସର୍ବଦା ଜୀବନ୍ତ ଚେତନାରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ଏହି ଚେତନା ଅନେକତ୍ର ଅଭାବ ରହିଥିବାରୁ ସାହିତ୍ୟ ଅନ୍ତରକୁ ସ୍ପର୍ଶ କରିପାରୁନାହିଁ। ଏ ସଂପର୍କରେ ସ୍ରଷ୍ଟାମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବିଶିଷ୍ଟ ସାରସ୍ୱତ ସାଧକ ଉତ୍କଳରତ୍ନ ମନୋଜ ଦାସ ଉତ୍କଳ ସାହିତ୍ୟ ସମାଜର ୧୧୭ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମତ ପ୍ରକାଶ କରିଛନ୍ତି।

ଆଜି ସଂଧ୍ୟାରେ ସାରସ୍ୱତ ପୀଠ ଶତାବ୍ଦୀ ଭବନରେ ଅନୁଷ୍ଠାନର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିିଶିଷ୍ଟ କଥାଶିଳ୍ପୀ ଦେବ୍ରାଜ ଲେଙ୍କାଙ୍କୁ ‘ଜେମା-ସାମନ୍ତ ସୃଜନୀ ପୁରସ୍କାର’(ରତ୍ନମାଳୀ ଜେମା-ନାରାୟଣ ବୀରବର ସାମନ୍ତଙ୍କ ସ୍ମୃତି ସମର୍ପିତ) ପ୍ରଦାନ କରି ମୁଖ୍ୟ ଅତିଥି ଶ୍ରୀ ଦାସ କହିଥିଲେ ଯେ ବୀରବର ନାରାୟଣ ସାମନ୍ତ ଜଣେ ସନ୍ଥ ପୁରୁଷ ଥିଲେ। ସେ ସାରା ଜୀବନ ସମାଜକୁ ଦାନ କରିଛନ୍ତି। ରତ୍ନମାଳୀ ଜେମାଙ୍କ ମହନୀୟ ଚରିତ୍ର ଏ ସମାଜରେ ବିରଳ। ଏହି ଦୁଇ ମହାନ୍‌ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ ପୁରସ୍କାର ବ୍ୟତିକ୍ରମ ସ୍ରଷ୍ଟା ଦେବ୍ରାଜ ଲେଙ୍କାଙ୍କୁ ଦିଆଯିବା ଯଥାର୍ଥ। ‘ଜେମା-ସାମନ୍ତ ସୃଜନୀ ପୁରସ୍କାର’ ବାବଦରେ ଶ୍ରୀ ଲେଙ୍କାଙ୍କୁ ୫୦ ହଜାର ଟଙ୍କା, ତାମ୍ରପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ପ୍ରଣୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜେମା-ସାମନ୍ତଙ୍କ ସୁକନ୍ୟା ବାଣୀ ସାମନ୍ତ ଉତ୍ସବରେ ଉପସ୍ଥିତ ଥିଲେ।

ଉତ୍ସବରେ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ସଂପାଦକ (ଫିଚର) ଡକ୍ଟର ଗୌରହରି ଦାସ କହିଥିଲେ ଯେ, ପୁରସ୍କାର ବାଦ-ବିସମ୍ବାଦରୁ ଊର୍ଦ୍ଧ୍ୱରେ ରହିବା ଆବଶ୍ୟକ। ସାହିତ୍ୟ ସାଧକ ଦେବ୍ରାଜ ଲେଙ୍କାଙ୍କ ଭାଷା ବ୍ୟବହାର ଅନନ୍ୟ ଓ ତାଙ୍କ ଲେଖାର ଶୈଳୀ ସ୍ୱତନ୍ତ୍ର।

ଉତ୍ସବରେ ଡକ୍ଟର ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ସମ୍ଭାଷଣ, ମନୋଜ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଓ ଅତିଥି ସ୍ୱାଗତ, ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଉତ୍ସବ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ।

ସମ୍ବନ୍ଧିତ ଖବର