ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ବିଶ୍ବବିଦ୍ୟାଳୟର ସଭାଗୃହରେ କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେରେ ବୟୋଜ୍ୟେଷ୍ଠ ଶିକ୍ଷାବିତ୍ ତଥା ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରରପ୍ରାପ୍ତ ପ୍ରଫେସର ଡ. ମଧୂସୁଦନ ପତି ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆୟୁକ୍ତ ତଥା ସଚିବ ଅରବିନ୍ଦ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭା ଆରମ୍ଭରେ ପ୍ରଦୀପ ପ୍ରଜ୍ବଳନ ଓ ବେଦମନ୍ତ୍ର ପାଠ କରାଯାଇଥିଲା। ପରେ ଡ. ପ୍ରତାପ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳସଚିବ ଯୁଧିଷ୍ଠିର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ରାଜକିଶୋର ପାତ୍ର ଓ କୁଳପତି ଡ. ମହାପାତ୍ର ବିଶ୍ବବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ପ୍ରଫେସର ପତି ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଭିଭାବକମାନଙ୍କୁ ଜ୍ଞାନ ଆହରଣର ଆନନ୍ଦ ଏବଂ ଏକ ସଫଳ ବ୍ୟକ୍ତିତ୍ବର ନିର୍ମାଣ ବିଷୟରେ ଅଭିଭାଷଣ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଯୁବ ସାହିତ୍ୟିକ ଡ. ଦିଲୀପ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଅବସରରେ ଜଣାଶୁଣା ଗାଳ୍ପିକା ଗାୟତ୍ରୀ ସରାଫ ନିଜ ଅଭିମତ ରଖିଥିଲେ। ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ଅକ୍ଷୟ ମିଶ୍ର ଧନ୍ୟବାଦ ଦେଇଥିଲେ।