ରାୟଗଡ଼ା: ରାୟଗଡ଼ା କୋର୍ଟ ପରିସରରେ ନୂତନ ଜିଲ୍ଲା ଅଦାଲତ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ. ମୂରଲୀଧର। ୪୭ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଠାରେ ଡିଜିଟାଲ୍ ଆଇନ ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିବ। ଆସନ୍ତା ୨ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ।

Advertisment

ଏହି ଅବସରରେ କୋର୍ଟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ବିଚାରପତି ଡ. ମୂରଲୀଧର କହିଥିଲେ,  ଲୋକଙ୍କୁ ନ୍ୟାୟପାଳିକା ଉପରେ ରହିଥିବା ବିଶ୍ୱାସକୁ ଆହୁରି ସୁଦୃଢ କରିବା ପାଇଁ ଆଇନଜୀବୀମାନେ ମହକିଲଙ୍କ ସହ ସୁସଂପର୍କ ସ୍ଥାପନା ରଖିବା ଆବଶ୍ୟକ। ନୂତନ ଜିଲ୍ଲା ଅଦାଲତ ନିର୍ମାଣ ପରେ କୋର୍ଟକୁ ଆସୁଥିବା ଗରିବ ମହକିଲମାନେ ସିଧାସଳଖ ସୁବିଧା ପାଇପାରିବେ ଏବଂ ଆର୍ଥିକ ଦୃଷ୍ଟିରୁ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ବୋଲି ମୁଖ୍ୟ ବିଚାରପତି ନିଜ ଅଭିଭାଷଣରେ କହିଥିଲେ।

ସମ୍ମାନିତ ଅତିଥି ଭାବେ ହାଇକୋର୍ଟ ଜଷ୍ଟିସ୍ ଡ. ବି. ଆର୍. ଷଡଙ୍ଗୀ ଯୋଗଦେଇଥିଲେ। ସକାଳ ସାଢେ ୮ଟାରେ ମୁଖ୍ୟ ବିଚାରପତି ଡ. ମୂରଲୀଧର ଓ ସମ୍ମାନିତ ଅତିଥି ଜଷ୍ଟିସ୍  ଶ୍ରୀ ଷଡଙ୍ଗୀଙ୍କୁ ସ୍ଥାନୀୟ ଶାରଳା ଛକରୁ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ ପର୍ଯ୍ୟନ୍ତ ପାରମ୍ପରିକ ବାଦ୍ୟ, ନାଚଗୀତ ମାଧ୍ୟମରେ ଓକିଲ ସଂଘ ପକ୍ଷରୁ ପାଛୋଟି ନିଆଯାଇଥିଲା। ଦୀର୍ଘ ୮ବର୍ଷ ଧରି ନୂତନ ଜିଲ୍ଲା ଅଦାଲତ ବିଲଡିଂ ପାଇଁ ରାୟଗଡ଼ା ଓକିଲ ସଂଘ ଏବଂ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଦାବିକୁ ସମର୍ଥନ ଜଣାଇ ମାନ୍ୟବର ହାଇକୋର୍ଟ ରାୟଗଡ଼ାରେ ନୂତନ ଜିଲ୍ଲା ଅଦାଲତ ବିଲଡିଂ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲେ।  ୪୭ କୋଟି ବ୍ୟୟ ଅଟ୍ଟକଳରେ ନିର୍ମାଣ ହେବାକୁ ଥିବା କମ୍ପ୍ଲେକ୍ସରେ ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥା ସହ ଜଡିତ ସମସ୍ତ ପ୍ରକାର ଆଇନ ସମ୍ବନ୍ଧୀୟ ସେବା ସହ ଗୋଟିଏ ବିଲଡିଂରେ ରାୟଗଡ଼ାର ସମସ୍ତ  ଅଦାଲତ ଗୁଡିକ ରହିବାକୁ ଥିବାରୁ ଲୋକେ ମଧ୍ୟ ଉପକୃତ ହୋଇପାରିବେ। ଏଥି ସହିତ ନୂଆ କରି ଆସୁଥିବା ଓକିଲ ବନ୍ଧୁମାନେ ଆଇନ ସମ୍ବନ୍ଧୀୟ ଶିକ୍ଷା ଗ୍ରହଣ ଓ ରାୟଗଡ଼ାରୁ ସିଧାସଳଖ ହାଇକୋର୍ଟ ପର୍ଯ୍ୟନ୍ତ କେସ ଲଢି ପାରିବେ ବୋଲି ରାୟଗଡ଼ା ଓକିଲ ସଂଘ ସଭାପତି ଭି. ଏସ. ରାଜୁ ସୂଚନା ଦେଇଥିଲେ।