ପ୍ରଦୀପଙ୍କ ୨ ଅନୁଗତଙ୍କୁ ଜେରା
ଏସ୍ପିଙ୍କୁ ଏତଲା ଦେଲା ବିଜେପି
ଠକେଇର ଶିକାର ୬୮ ଚାପରେ ମୁହଁ ଖୋଲୁନାହାନ୍ତି
ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିବା ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ କଳା ସାମ୍ରାଜ୍ୟର ମୂଳଦୁଆ ଗଞ୍ଜାମରୁ ହିଁ ପଡ଼ିଥିଲା। ଗଞ୍ଜାମ ଜିଲ୍ଲାରେ ଅଭୟଙ୍କ ଚାକିରି କାଳ ସମୟରୁ ହିଁ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ସହ ଏମାନେ ଯୋଡ଼ି ହୋଇଥିଲେ। ଏହାପରେ ଦୁଇ ପରିବାର ମଧ୍ୟରେ ସମ୍ପର୍କ ବଢ଼ିଥଲା। ଏବେ ପାଠକ ଏବଂ ପାଣିଗ୍ରାହୀ ପରିବାରକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ପ୍ରଦୀପଙ୍କ ଏକାନ୍ତ ଅନୁଗତ ଜିଲ୍ଲାର ଜଣେ ବିଜେଡି ଯୁବନେତା ଏବଂ ଏକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷଙ୍କୁ ବ୍ରହ୍ମପୁର ପୁଲିସ ଥାନାକୁ ନେଇ ଜେରା ପରେ ଛାଡ଼ି ଦେଇଛି। ଅନ୍ୟପକ୍ଷରେ ଆକାଶ ପାଠକଙ୍କ ବଙ୍ଗଳା ଯାଞ୍ଚ ଲାଗି ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍ ପୁନେ ଯାଇ ଚଢ଼ଉ କରି ଫେରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଏହି ଚଢ଼ଉ ବେଳେ ବହୁ ମୂଲ୍ୟବାନ ହୀରାଖଚିତ ଅଳଙ୍କାର ମଧ୍ୟ ମିଳିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଇଲାକାର ଲୋକଙ୍କୁ ଚାକିରି କରାଇଦେବା ଆଳ ଦେଖାଇ ଆକାଶ ବିପୁଳ ଅର୍ଥ ଠକିଥିବା ଜଣାପଡ଼ିବା ପରେ ଗଞ୍ଜାମ ଜିଲ୍ଲାରେ ଅସନ୍ତୋଷ ତେଜିବାରେ ଲାଗିଛି। ଆକାଶ ପାଠକ ଓ ପ୍ରଦୀପଙ୍କ ବିରୋଧରେ ଗର୍ଜିଛି ଜିଲ୍ଲା ବିଜେପି। ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ବିଜେପି ନେତା କାହ୍ନୁଚରଣ ପତି ଓ ଅନ୍ୟ ନେତୃମଣ୍ଡଳୀ ବ୍ରହ୍ମପୁର ଏସ୍ପି ପିନାକ୍ ମିଶ୍ରଙ୍କୁ ଭେଟି ଏତଲା ଦେଇଛନ୍ତି। ଟାଟାରେ ଚାକିରି ନାଁରେ ଠକେଇର ଶିକାର ହୋଇଥିବା ଯୁବକଙ୍କୁ ମୁହଁ ନ ଖୋଲିବା ଲାଗି ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ, ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁଙ୍କ ସମେତ କିଛି ଲୋକ ଧମକଚମକ ଦେଉଥିବା ବିଜେପି ଜିଲ୍ଲା ସଭାପତି ଶ୍ରୀ ଜେନା ବ୍ରହ୍ମପୁର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଠକେଇ କରିଥିବା ଏବଂ ଠକେଇର ଶିକାର ହୋଇଥିବା ଯୁବକଙ୍କୁ ତୁରନ୍ତ ଗରିଫ କରିବା ଲାଗି ସେ ଦାବି କରିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀର ୬୮ଜଣ ଯୁବକ ଏହି ଠକେଇର ଶିକାର ହୋଇଥିବା ବିଜେପି ଅଭିଯୋଗ କରିଛି। ଅନ୍ୟପକ୍ଷରେ ଅଭୟକାନ୍ତ ପାଠକ ବ୍ରହ୍ମପୁରରେ ଚାକିରି କରୁଥିବା ସମୟରେ ଆର୍ଡିସି କଲୋନିର ଏକ ସରକାରୀ କ୍ବାର୍ଟର୍ସରେ ରହୁଥିଲେ। ଆକାଶଙ୍କ ବ୍ରହ୍ମପୁର ରେଡ଼୍କ୍ରସ କଲୋନି ଠିକଣାରେ ଆଧାର କାର୍ଡ଼ ରହିଥିବା ଜଣାପଡ଼ିଛି। ପାଠକ ଓ ପାଣିଗ୍ରାହୀ ପରିବାରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଦୁଇ ପରିବାର ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରୁଥିବା ମଧ୍ୟ କୁହାଯାଉଛି।
ପ୍ରକାଶ ଥାଉ କି, ଆଇଏଫ୍ଏସ୍ ଅଭୟ ପାଠକ ବ୍ରହ୍ମପୁରରେ ବନ ବିଭାଗର ବିଭିନ୍ନ ପଦପଦବି ରହିଥିଲେ। ୨୦୦୪ ମସିହା ଜୁନ୍ ୨୮ତାରିଖରେ ସେ ବ୍ରହ୍ମପୁର ଡିଏଫ୍ଓ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ପଦରେ ସେ ୨୦୦୫ ଫେବ୍ରୁଆରି ପର୍ଯ୍ୟନ୍ତ ରହିଥିଲେ। ପରବର୍ତ୍ତୀ ସମୟରେ ଆଉ ଦୁଇ ଥର ବ୍ରହ୍ମପୁର ଡିଏଫ୍ଓ ଭାବେ ଆସ୍ଥାୟୀ ଦାୟିତ୍ବରେ ରହିଥିଲେ। ଏତଦ୍ବ୍ୟତୀତ ଓଡ଼ିଶା ବନ ଉନ୍ନୟନ ନିଗମ ଲିଃର ଜେନରାଲ୍ ମ୍ୟାନେଜର୍ ଭାବେ ସେ ଏଠାରେ ରହି କାର୍ଯ୍ୟ କରିଥିଲେ।
ତଦନ୍ତ ଲାଗି ପହଞ୍ଚିଲା କ୍ରାଇମ୍ବ୍ରାଞ୍ଚ
ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଘଟଣା ଓ ଆକାଶ ପାଠକଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍ର ଖୋଳତାଡ଼ ଲାଗି ଆଜି ରାତିରେ ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମ୍ବ୍ରାଞ୍ଚ ସ୍ବତନ୍ତ୍ର ଟିମ୍। ଏହି ଟିମ୍ ପ୍ରଥମେ ଦକ୍ଷିଣାଞ୍ଚଳ ରେଞ୍ଜ୍ ଡିଆଇଜିଙ୍କ ଅଫିସ୍ରେ କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଗୋପନ ବୈଠକ ବି କରିଛି। କ୍ରାଇମ୍ବ୍ରାଞ୍ଚର ଜଣେ ଇନ୍ସ୍ପେକ୍ଟର୍ଙ୍କ ନେତୃତ୍ବରେ ଏହି ଟିମ୍ ଆସିଥିବା ଜଣାପଡ଼ିଛି। ତଦନ୍ତ ପ୍ରଥମ ଭାଗରେ ଗୋପାଳପୁର ଟାଟା ଥଇଥାନ କଲୋନିର ୨ଜଣଙ୍କୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି।ଗୋପାଳପୁର ନିର୍ବାଚନମଣ୍ଡଳୀର ୬୮ଜଣ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ କୋଟିକୋଟି ଟଙ୍କା ଚଳୁ କରା ଯାଇଥିବା ଅଭିଯୋଗ ହୋଇଥିଲା। କଳାଧନର କୁବେର ଆଇଏଫ୍ଏସ୍ ଅଭୟକାନ୍ତ ପାଠକ୍ଙ୍କ ପୁଅ ଆକାଶ ନିଜକୁ ଟାଟା ମୋଟର୍ସର ଏମ୍ଡି ବୋଲି ପରିଚୟ ଦେଇ ଟଙ୍କା ଠକେଇ କରିଥିବା ସମ୍ପର୍କରେ ଭିଜିଲାନ୍ସ ହାତରେ ପ୍ରମାଣ ଲାଗିଛି। ତେବେ ଏହି ଘଟଣାରେ ପାଠକ୍ଙ୍କ ସହିତ ବନ୍ଧୁ ବାନ୍ଧିବାକୁ ଯାଉଥିବା ଗୋପାଳପୁର ବିଧାୟକ ପ୍ରଦୀପଙ୍କ ଭୂମିକାକୁ ନେଇ ମଧ୍ୟ ନାନା ସନ୍ଦେହ ପ୍ରକାଶ ପାଇଛି। ତେଣୁ ତାଙ୍କର କିଛି ଅନୁଗତଙ୍କୁ ବ୍ରହ୍ମପୁର ପୁଲିସ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆଜି ସକାଳେ ଜେରା କରି ଛାଡ଼ି ଦେଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୁଣିଥରେ ଡାକରା ହେବ ବୋଲି ଜଣାପଡ଼ିଛି। କ୍ରାଇମ୍ବ୍ରାଞ୍ଚ ଟିମ୍ ଆସନ୍ତାକାଲି ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିବ।