ରାଜ୍ୟରେ ୫୫୬୭ କୋଟିର ପୁଞ୍ଜିନିବେଶ, ୯ ହଜାର ନିଯୁକ୍ତି ସୁଯୋଗ

୨୩ ପ୍ରକଳ୍ପର ଶିଳାନ୍ୟାସ, ୨ ପ୍ରକଳ୍ପର ଉଦ୍‌ଘାଟନ

ନବମ ପର୍ଯ୍ୟାୟ ଉଦ୍‌ଘାଟନ, ଶିଳାନ୍ୟାସ ପର୍ବ
୨୦ ବର୍ଷରେ ଶିଳ୍ପାୟନ ବଢ଼ିଚାଲିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ୨୩ଟି ଶିଳ୍ପସଂସ୍ଥାର ଆଜି ଶିଳାନ୍ୟାସ ହୋଇଛି। ଏଥିରେ ୪୮୫୮.୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ସେହିପରି ୭୦୯ କୋଟି ଟଙ୍କାର ପୁଞ୍ଜିନିବେଶରେ ନିର୍ମିତ ୩ଟି ଶିଳ୍ପ ଉଦ୍‌ଘାଟିତ ହୋଇଛି। ୨୬ଟି ଯାକ ପ୍ରକଳ୍ପରେ ୯୧୬୮ ଲୋକଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ଖାରବେଳ ଭବନରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ୨୦ ବର୍ଷରେ ଆମ ରାଜ୍ୟରେ ଶିଳ୍ପାୟନ ବଢ଼ିଚାଲିଛି। ଏହି ସମୟ ମଧ୍ୟରେ ୩.୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶରେ ୧୩୦ଟି ବୃହତ ଶିଳ୍ପ ପ୍ରତିଷ୍ଠା ହୋଇପାରିଛି। ୨.୨୫ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଛି। ଆମ ରାଜ୍ୟ ଲଗାତର ଭାବେ ଦେଶର ପ୍ରମୁଖ ପୁଞ୍ଜିନିବେଶ ସ୍ଥାନର ମାନ୍ୟତା ପାଇ ଆସୁଛି। ଇପିକଲ୍‌ର ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ନିକଟରେ ‘ନ୍ୟାସ୍‌ନାଲ୍‌ ଇ-ଗଭର୍ନାନ୍ସ ଆୱାର୍ଡ’ ହାସଲ କରିଛି। ସିଆର୍‌ଏମ୍‌ ସୁବିଧା ଏଥିରେ ଅନ୍ତର୍ଭୁକ୍ତ କରିବା ପରେ ଓଡ଼ିଶାରେ ‘ଇଜି ଅଫ୍ ଡୁଇଂ ବିଜ୍‌‌ନେସ୍‌’ରେ ଆହୁରି ଉନ୍ନତି ଆସିବ। ଓଡ଼ିଶା ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପରିଚିତ, ଯାହା କି ଚଳଚ୍ଚିତ୍ର ଶିଳ୍ପକୁ ବଡ଼ ସୁଯୋଗ ଦେଇପାରିବ। ଓଏଫ୍‌ଡିସି ଏହିସବୁ ଜାଗାକୁ ‌ପ୍ରଚାର, ପ୍ରସାର କରିବା ଉଚିତ।

୨୦୨୦ ନଭେମ୍ବର-ଡିସେମ୍ବରରେ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ହୋଇଥିଲା। ଠିକ୍ ତାହାର ବର୍ଷକ ପରେ ଅର୍ଥାତ ୨୦୧୯ ନଭେମ୍ବର ୩୦ରେ ଶିଳାନ୍ୟାସ ଓ ଉଦ୍‌ଘାଟନର ଅଷ୍ଟମ ପର୍ଯ୍ୟାୟ ଆୟୋଜନ କରାଯାଇଥିଲା। ପରବର୍ତ୍ତୀ ମେକ୍ ଇନ୍ ଓଡ଼ିଶା ପାଇଁ ଆଉ ୨୬୭ ଦିନ ସମୟ ଅଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂପୃକ୍ତ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ଶିଳ୍ପ ମହାକୁମ୍ଭରେ ଯୋଗ ଦେବାକୁ ସାରା ବିଶ୍ବର ପୁଞ୍ଜିନିବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ।

ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ସରକାର ଅନେକ ପଦକ୍ଷେପ ସଫଳତାର ସହ ନେଇଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ। ଆଜି ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ହେଲା ବୌଦ୍ଧର ହରଭଙ୍ଗାରେ ଆଦିତ୍ୟ ବିର୍ଲାର ସୌରଶକ୍ତି ପ୍ଲାଣ୍ଟ୍‌, ଯାଜପୁରର କଳିଙ୍ଗନଗରରେ ଜିନ୍ଦଲ୍‌ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ର କୋଲ୍‌ଡ୍‌ ରୋଲିଂ ମିଲ୍‌ର ସମ୍ପ୍ରସାରଣ ଓ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏକେଏମ୍‌ ଆଗ୍ରୋର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ।

ସମ୍ବନ୍ଧିତ ଖବର