ବାଲେଶ୍ୱର ଏମ୍ସ ସାଟେଲାଇଟ୍ ସେଣ୍ଟର ଓପିଡିର ଶିଳାନ୍ୟାସ
‘ଆୟୁଷ୍ମାନ ଯୋଜନାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଠିକ୍ ନୁହେଁ’
ବାଲେଶ୍ୱର : ଏମ୍ସ ଦୁଇ ଦିନରେ ତିଆରି ହୁଏନି। ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଦିଲ୍ଲୀରେ ୧୯୬୦ରେ ଏମ୍ସ ତିଆରି ଆରମ୍ଭ ହୋଇ ୮୦ ଦଶକରେ ଶେଷ ହୋଇଥିଲା। ତେଣୁ ଗୁଣବତ୍ତାର କଥା ଯେଉଁଠି ଥାଏ ସେଠି ତରବରିଆ ଭାବେ କିଛି କରାଯାଏନି। ଆଜି ବାଲେଶ୍ୱରରେ ୩୦୦ ଶଯ୍ୟା ବିଶିଷ୍ଟ ସୁପରି ସ୍ପେସାଲିଟି ହସ୍ପିଟାଲର ଓପିଡି ବ୍ଲକ୍ ଓ ଷ୍ଟାଫ କ୍ୱାର୍ଟର୍ସ ପାଇଁ ଶିଳାନ୍ୟାସ ହେଲା। ପର୍ଯ୍ୟାୟକ୍ରମେ ଏହାର ଅନ୍ୟ ବିଲ୍ଡିଂର ନିର୍ମାଣ କରାଯାଇ ବିଭିନ୍ନ ସୁବିଧା ଉପଲବ୍ଧ କରାଯିବ। ଦିଲ୍ଲୀର ଏମ୍ସର ଯେଭଳି ସୁନାମ ରହିଛି, ବାଲେଶ୍ୱରରେ ମଧ୍ୟ ସେଭଳି ସ୍ୱନାମଧନ୍ୟ ଶାଖା ତିଆରି ହେବ। ଆଜି ବାଲେଶ୍ୱରର ବାମପଦାରେ ଅନୁଷ୍ଠିତ ବହୁପ୍ରତୀକ୍ଷିତ ଏମ୍ସ ସାଟେଲାଇଟ୍ ସେଣ୍ଟରର ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଲେ ଯେ ‘ଆୟୁଷ୍ମାନ ଭାରତ’ କେନ୍ଦ୍ର ସରକାରଙ୍କର ଏକ ଐତିହାସିକ ପଦକ୍ଷେପ। ଏହି ଯୋଜନା ସବୁ ବର୍ଗ ପାଇଁ। ଏଥିପାଇଁ ଆଧାର ଲିଙ୍କ୍ ବାଧ୍ୟତାମୂଳକ ଚର୍ଚ୍ଚା ହେବା ଠିକ୍ ନୁହେଁ। ଯେଉଁ ପରିବାର ଏଥିରେ ସାମିଲ ହେବେ ସେମାନେ ଦେଶର ଯେଉଁଠି ବି ଚିକିତ୍ସା ହେବେ ସେଠାରେ ବିନା ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ମାତ୍ର ଏହାକୁ ଚ୍ୟାଲେଞ୍ଜ କରିବା ସହିତ ବିଭିନ୍ନ ଦ୍ୱନ୍ଦ୍ୱ ସୃଷ୍ଟି କରି ଓଡ଼ିଶା ସରକାର ରାଜ୍ୟରେ ଏକ ବିକଳ୍ପ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ କରିଛନ୍ତି। ଯେଉଁ ସୁବିଧା ବାହାର ରାଜ୍ୟରେ ଚିକିତ୍ସିତ ହେଲେ ମିଳିବ ନାହିଁ। ତେଣୁ ଅଯଥାରେ ଏହାକୁ ନେଇ ଓଡ଼ିଶା ସରକାର ରାଜନୀତି କରି ଓଡ଼ିଶା ବାହାରେ ରହି କାମ କରୁଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ସେମାନଙ୍କ ହକ୍ରୁ ବଞ୍ଚିତ କରୁଛନ୍ତି।
ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ବାଲେଶ୍ୱରରେ ଏମ୍ସର ଏହି ଉପକେନ୍ଦ୍ର ସ୍ୱାସ୍ଥ୍ୟସେବାର ନୂଆ ଆନ୍ଦୋଳନ ସୃଷ୍ଟି କରିବ। ‘ଆୟୁଷ୍ମାନ ଭାରତ’ରେ ଓଡ଼ିଶା ସରକାର ସାମିଲ ନହେବାକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଥିଲେ। ଏହି ସଭାରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ବାଲେଶ୍ୱର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଓ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ଭୁବନେଶ୍ୱର ଏମ୍ସର ନିର୍ଦେଶିକା ପ୍ରଫେସର ଡା. ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଚାନ୍ଦିପୁର ଆଇଟିଆରର ନିର୍ଦେଶକ ଡ. ବିନୟ କୁମାର ଦାସ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୁନୀଲ କୁମାର ଶର୍ମା, ପୂର୍ବତନ ଯୁଗ୍ମ ସଚିବ ସନ୍ଦୀପ ନାୟକ ଓ ଏମ୍ସର ଡେପୁଟି ଡାଇରେକ୍ଟର ଡ. ପି କେ ରାୟ ମଞ୍ଚାସୀନ ଥିଲେ।
ମୁଁ ମୋଦିଙ୍କ ହନୁମାନ, ମୋ ଲାଙ୍ଗୁଡ଼ରେ ନିଆଁ ଲଗାଅନି
ବାଲେଶ୍ୱର ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର। ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟ ସରକାର ଅଯଥା ରାଜନୀତି କରୁଥିବା କହି କଡ଼ା ଭାଷାରେ ସମାଲୋଚନା କରିଥିଲେ। ଏତିକିବେଳେ ସଭା ଭିତରୁ କେହି ଜଣେ ମନ୍ତ୍ରୀଙ୍କୁ ଥଟ୍ଟା କରି କହିଲେ, ଏତେ କଥା କହୁଛ, ପେଟ୍ରୋଲ ଉପରେ କୁହ। ଏଥିରେ କ୍ଷୁବ୍ଧ ହୋଇ ଧର୍ମେନ୍ଦ୍ର କହିଥିଲେ, ମୁଁ ନରେନ୍ଦ୍ର ମୋଦୀଙ୍କ ହନୁମାନ। ମୋ ଲାଙ୍ଗୁଡ଼ରେ ନିଆଁ ଲଗାଅନି। ନହେଲେ ଫଳ ଭୋଗିବ।
ଉତ୍ସବରେ ଧର୍ମେନ୍ଦ୍ର ଓ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଶ୍ରୀ ଜେନା ଭାଷଣବେଳେ କେନ୍ଦ୍ର ସରକାର ବାଲେଶ୍ୱର ତଥା ଓଡ଼ିଶାବାସୀଙ୍କ ପ୍ରତି ଅବହେଳା କରିଛନ୍ତି ବୋଲି ସମାଲୋଚନା କରିଥିଲେ। ଆଜିର ସଭାରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ବାଲେଶ୍ୱରର ଅନ୍ୟ ନିର୍ବାଚିତ ବିଧାୟକମାନଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇ ନଥିବା ଅଭିଯୋଗ କରିଥିଲେ। ଏହାର ଜବାବରେ ଧର୍ମେନ୍ଦ୍ର କହିଥିଲେ ଯେ ଆଜି ଭୁବନେଶ୍ୱରରେ ଏମ୍ସର ସମାବର୍ତ୍ତନ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କରାଯାଇଥିଲା। ଉପରାଷ୍ଟ୍ରପତି ସେ ସଭାରେ ମୁଖ୍ୟଅତିଥି ଥିବା ବେଳେ ମୁଖ୍ୟମନ୍ତ୍ରୀ କିନ୍ତୁ ଯାଇପାରିଲେ ନାହିଁ। ସେହିପରି କିଛିଦିନ ତଳେ ବାଲେଶ୍ୱରରେ ଆଇଓସିଏଲର ପାଇପ୍ ଲାଇନ ପ୍ରକଳ୍ପ ଉଦ୍ଘାଟନ ବେଳେ ସାଂସଦ ଜେନାଙ୍କୁ ସେ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଥିବା ବେଳେ ସେ ନ ଯିବାର କାରଣ କ’ଣ ଥିଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ।