ବାରଙ୍ଗରେ ଦକ୍ଷତା ତାଲିମ ପ୍ରତିଷ୍ଠାନର ଶିଳାନ୍ୟାସ

ଓଡ଼ିଆ ପିଲାମାନେ ସମ୍ମାନର ସହ ବଞ୍ଚିବାର ରାସ୍ତା ଫିଟିବ : ଧର୍ମେନ୍ଦ୍ର, ଯୋଗ ଦେଲେନି ଉଷା ଦେବୀ ଓ ଭର୍ତ୍ତୃହରି

ବାରଙ୍ଗ : ବାରଙ୍ଗ ଦାଢ଼ାପାଟଣା ମୌଜାର ଚୂଡ଼ଙ୍ଗ ମୁଣ୍ଡିଆରେ ପ୍ରତିଷ୍ଠା ହେବ ନ୍ୟାସ୍‌ନାଲ୍‌ ସ୍କିଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌(ଏନ୍‌ଏସ୍‌ଟିଆଇ)। ୫ ଏକର ପରିମିତ ଜାଗାରେ ନିର୍ମାଣ ହେବାକୁ ଥିବା ଏହି ପ୍ରତିଷ୍ଠାନର କେନ୍ଦ୍ର ଦକ୍ଷତା ବିକାଶ ତଥା ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାର ପିଲାମାନଙ୍କୁ ପ୍ରଶିକ୍ଷିତ କରାଇ ରୋଜଗାରକ୍ଷମ କରାଇ ତାଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ରାସ୍ତା ତିଆରି କରାଇବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ଖଣିଜ ସମ୍ପଦ, ଜଳସମ୍ପଦ, ଉର୍ବର ମାଟିରେ ଓଡ଼ିଶା ଭରପୂର ରହିଛି। ଓଡ଼ିଶାର ପରିଶ୍ରମୀ ଓ ବୁଦ୍ଧିମାନ ଯୁବକ କିପରି ନିଜ ଅଧିକାରର ସହ ବଞ୍ଚିବେ, ତାହାର ସୂତ୍ର ଏନ୍‌ଏସ୍‌ଟିଆଇରୁ ବାହାରିବ। କାହା ଦାନ, ଦକ୍ଷିଣାରେ ନୁହେଁ, ନିଜର ଦକ୍ଷତା ଓ ରୋଜଗାର ଆଧାରରେ ଓଡ଼ିଆ ପିଲାମାନେ ସମ୍ମାନର ସହ ବଞ୍ଚିବେ। ଓଡ଼ିଆ ପିଲାଙ୍କୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଏହି ଅନୁଷ୍ଠାନ ସହାୟକ ହେବ। ଏକବିଂଶ ଶତାବ୍ଦୀକୁ ସାମ୍ନାରେ ରଖି ଭାରତ ସରକାରଙ୍କ ପକ୍ଷରୁ ଏପରି ଏକ ଅତ୍ୟାଧୁନିକ ପ୍ରତିଷ୍ଠାନ ଓଡ଼ିଶାରେ ଆରମ୍ଭ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଶିଳାନ୍ୟାସ ଅବସରରେ ମଞ୍ଚେଶ୍ୱରସ୍ଥିତ ଜାତୀୟ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ପରିସରରେ ଅସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ଲାଗିି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଉତ୍ସବରେ ସ୍ୱାଗତ ଭାଷଣ ଦେଇଥିଲେ ଏମ୍‌ଏସ୍‌ଡି ସଚିବ କେ ପି କ୍ରିଷ୍ଣନନ୍‌। ଧନ୍ୟବାଦ ଅର୍ପଣ କରିଥିଲେ ଏମଏସ୍‌ଡି ତାଲିମ ବିଭାଗର ନିର୍ଦ୍ଦେଶକ ରାଜେଶ ଅଗ୍ରୱାଲା।

ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ଉଷା ଦେବୀ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେବେ ବୋଲି ନିମନ୍ତ୍ରଣ ପତ୍ର ଛପାଯାଇଥିଲା। ବିଜ୍ଞାପନରେ ମଧ୍ୟ ଉଭୟଙ୍କ ନାମ ଥିଲା। କିନ୍ତୁ ସେମାନେ ଯୋଗ ଦେଇ ନ ଥିଲେ। ସେମାନଙ୍କ ଅନୁପସ୍ଥିତି ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି।

ସମ୍ବନ୍ଧିତ ଖବର