ସୁବର୍ଣ୍ଣରେଖା ବନ୍ଦର ଭାଗ୍ୟ ଫିଟିଲା

୫ ହଜାର କୋଟି ବ୍ୟୟରେ ନିର୍ମିତ ହେବ, ୧୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ବାଲେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବରବାସୀଙ୍କୁ ଭେଟି ଦେଇଛନ୍ତି ବହୁ ଆକାଂକ୍ଷିତ ସୁବର୍ଣ୍ଣରେଖା ବନ୍ଦର। ୫ ହଜାର କୋଟି ଟଙ୍କା ବ୍ୟୟରେ ଟାଟା ଷ୍ଟିଲ ସହଯୋଗରେ ଏହି ବନ୍ଦର ସ୍ଥାପନ ହେଲେ ୧୨ ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଘୋଷଣା କରିଛନ୍ତି।

ଭୋଗରାଇର ତାଳସାରୀ ଓ ବାଲେଶ୍ବର ପୁଲିସ ଲାଇନ ପଡ଼ିଆରେ ଅନୁଷ୍ଠିତ ସମାବେଶ ସ୍ଥଳରେ ସେ ୬୨୪୫ କୋଟି ଟଙ୍କାର ମୋଟ ୧୦୯ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେଥିମଧ୍ୟରୁ ୩୮୭ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଥିବା ବେଳେ ୫୮୫୮ କୋଟି ଟଙ୍କାର ୬୪ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି। କେବଳ ବାଲେଶ୍ବରରେ ମୁଖ୍ୟମନ୍ତ୍ରୀ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ ୩୩ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରି ସମସ୍ତଙ୍କୁ ଖୁସି କରି ଦେଇଛନ୍ତି। ବାଲେଶ୍ବରର ପ୍ରବେଶ ପଥରେ ନିର୍ମିତ ବହୁ ପ୍ରତୀକ୍ଷିତ ତାମୁଳିଆ ରେଳ ଓଭରବ୍ରିଜ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସହ ୧୯୦ କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖାର ପନ୍ତେଇ ଘାଟରେ ହାଇଲେଭଲ ପୋଲ ଏବଂ ୩୫୦ କୋଟି ବ୍ୟୟରେ ବାଲେଶ୍ବର ସହରରେ ରିଂ ରୋଡ଼ ଓ ୩୬.୬ କୋଟି ବ୍ୟୟରେ ଫର୍ଚ୍ୟୁନ ଟାୱାର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଅପରାହ୍ଣ ଠିକ୍ ୩ଟାରେ ମୁଖ୍ୟମନ୍ତ୍ରୀ ବାଲେଶ୍ବର ପୁଲିସ ଲାଇନ୍ ପଡ଼ିଆରେ ଓହ୍ଲାଇବା ପରେ ବିଜୁ ଯୁବ ବାହିନୀର ବିଶାଳ ଯୁବ ସମାବେଶରେ ଯୋଗ ଦେଇଥିଲେ। ଏହି ଅବସରରେ ନିଜର ସଂକ୍ଷିପ୍ତ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣ‌େରଖାରେ ଏକ ବଡ଼ ବନ୍ଦର ନିର୍ମାଣ ହେଉଛି ବୋଲି ଉଲ୍ଲେଖ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାଲିଆପାଳର ଚୌମୁଖଠାରେ ୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସୁବର୍ଣ୍ଣରେଖା ବନ୍ଦରରେ ଟାଟା ଷ୍ଟିଲ ୨ରୁ ୩ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ। ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ବର୍ଥରେ ୨୫ରୁ ୫୫ ମିଲିୟନ ଟନ୍ ବାର୍ଷିକ ପଣ୍ୟ କାରବାର କ୍ଷମତା ବିଶିଷ୍ଟ ଏହି ବନ୍ଦର ସ୍ଥାପନ ହେଲେ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଂଗ ପାଇଁ ଏହା ବିଶେଷ ଉପଯୋଗୀ ହେବ ଏବଂ ବାଲେଶ୍ବର ରାଜ୍ୟର ବାଣିଜ୍ୟ ରାଜଧାନୀରେ ପରିଣତ ହୋଇପାରିବ। ଏହି ବନ୍ଦର ପାଇଁ ଇତିମଧ୍ୟରେ ୬୯୨ ଏକର ଜମି ଅଧିଗ୍ରହଣ ହୋଇ ହସ୍ତାନ୍ତର ଶେଷ ହୋଇ ଯାଇଥିବାରୁ ଟାଟା ଷ୍ଟିଲ୍ ଖୁବଶୀଘ୍ର ଏହି ବନ୍ଦର କାମ ଆରମ୍ଭ କରିବ ବୋଲି ସୂଚନା ମିଳିଛି। ତେବେ ବନ୍ଦର କାମ ଯେଭଳି ଶୀଘ୍ର ଆରମ୍ଭ ହୋଇପାରିବ ସେଥିପାଇଁ ଆକ୍‌ସେସ୍ ରେଡ଼ ନିର୍ମାଣ ନିମନ୍ତେ ୨୭ ଏକର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରିଛନ୍ତି। ସୁବର୍ଣ୍ଣ‌େରଖା ବନ୍ଦର ନିର୍ମାଣ କରିବା ପାଇଁ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ୍ ନାମରେ ଏକ କମ୍ପାନି ମଧ୍ୟ ଗଠନ କରାଯାଇଛି। ଟାଟା ଷ୍ଟିଲ୍ ଏହି ବନ୍ଦର ନିର୍ମାଣକୁ ଯଥେଷ୍ଟ ଗୁରୁତ୍ବ ଦେଉଥିବାରୁ ଆଜିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ, ଉପସଭାପତି ଚାଣକ୍ୟ ଚୌଧୁରୀ ପ୍ରମୁଖ ୬ଜଣ ବରିଷ୍ଠ ଅଧିକାରୀ ଏବଂ ବାଲେଶ୍ବର ସାଂସଦ ରବୀନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ଣରେ ବିଜୁ ଯୁବ ବାହିନୀର ଆଞ୍ଚଳିକ ଯୁବ ସମାବେଶ ପାଲଟି ଯାଇଥିଲା ଜନସମୁଦ୍ର। ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଆଦି ୫ଟି ଜିଲ୍ଲାରୁ ଯୋଗ ଦେଇଥିଲେ ୩୦ ହଜାରରୁ ଅଧିକ ଯୁବ ବାହିନୀ ସଦସ୍ୟ। ସେମାନଙ୍କ ବ୍ୟତୀତ ବିଜୁ ଜନତା ଦଳର ୧୦ ହଜାରରୁ ଅଧିକ କର୍ମୀ ମଧ୍ୟ ମଧ୍ୟ ଉପସ୍ଥିତ ଥିଲେ।

ଏଥିରେ, ଓଟିଡିସିର ଅଧ୍ୟକ୍ଷ ଦିଲୀପ ତିର୍କୀ , ରାଜ୍ୟ ଯୁବକଲ୍ୟାଣ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଓ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ଯୋଗଦେଇଥିଲେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ, ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମଧ୍ୟମ,କ୍ଷୁଦ୍ର ଓ ଅଣୁଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବାଲେଶ୍ବର ସାଂସଦ ଇଂ ରବୀନ୍ଦ୍ର ଜେନା, ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ, ୫ଟି ଜିଲ୍ଲାର ସମସ୍ତ ବିଧାୟକ, ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଜିଲ୍ଲାପାଳ ରାମେଶ ଚନ୍ଦ୍ର ରାଉତଙ୍କ ସମେତ ବହୁ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର