୮ ଜିଲ୍ଲାରେ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ପାଇଁ ଭିତ୍ତିପ୍ରସ୍ତର

ତୃତୀୟ ଲହର ସମ୍ପର୍କରେ ଭିନ୍ନମତ ସତ୍ତ୍ବେ ପ୍ରସ୍ତୁତ ରହିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ
ପ୍ରସ୍ତୁତି, ସତର୍କତା ଓ ସହଯୋଗ କୋଭିଡ୍‌ ଲଢ଼େଇର ମୂଳମନ୍ତ୍ର

ଭୁବନେଶ୍ବର : ରାଜ୍ୟରେ ଆଉ ୮ଟି ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍ ଓ ପିଏସ୍‌ଏ ପ୍ଲାଣ୍ଟ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ରାୟଗଡ଼ା ଓ ମାଲକାନଗିରି। ପୂର୍ବରୁ ୧୫ଟି ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପାଇଁ କାମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଏହାବାଦ୍ ବ୍ରହ୍ମପୁର ସିଟି ହସ୍‌ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଞ୍ଜନଗରରେ ଡାଏଲିସିସ୍ ୟୁନିଟ, କୁକୁଡ଼ାଖଣ୍ଡି ବ୍ଲକ୍‌ରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଦିଗପହଣ୍ଡି ବ୍ଲକ୍‌ରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କୋଭିଡ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଦ୍ବିତୀୟ ଲହର ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ କେତେକ ଉପକୂଳବର୍ତ୍ତୀ ଜିଲ୍ଲାର ପରିସ୍ଥିତିରେ ସ୍ଥିରତା ରହୁନାହିଁ। ସେହିପରି ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ତା’ସହିତ କିଛି ରାଜ୍ୟରେ ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ମଧ୍ୟ ଦେଖାଦେଲାଣି। ତେଣୁ କୌଣସି ପରିସ୍ଥିତିରେ ଆମର ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା କରାଯାଇପାରିବନାହିଁ। ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର। ସରକାରଙ୍କ ପ୍ରସ୍ତୁତି, ଜନସାଧାରଣଙ୍କ ସତର୍କତା ଓ ସହଯୋଗ ଜରିଆରେ ହିଁ ଆମେ ଏ ଲଢ଼େଇ ଜିତିପାରିବା।

କୋଭିଡ ନିୟମ ପାଳନ ସହିତ ଟିକାକରଣ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇସାରିଲାଣି। ଜୀବନ ସହିତ ଜୀବିକା ଉପରେ ସବୁବେଳେ ଗୁରୁତ୍ବ ଦିଆଯାଉଛି। ରାଜ୍ୟ ସରକାର ନିକଟରେ ଗରିବ ଲୋକ ଓ ଚାଷୀ ମାନଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବ୍ରହ୍ମପୁରରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ଆଲୋକପାତ କରିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ବିଜ୍ଞାନ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଅଶୋକ ପଣ୍ଡା, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟରେ କୋଭିଡ ଯୁଦ୍ଧରେ ଓଡିଶାର ଉତ୍ତମ ପ୍ରଦର୍ଶନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି. କେ. ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପି. କେ. ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର