କଳିଙ୍ଗ ଷ୍ଟୁଡିଓର ନବୀକରଣ ପାଇଁ ଭିତ୍ତିପ୍ରସ୍ତର : ସିନେମା ସହ କଳା, ସଂସ୍କୃତିକୁ ପ୍ରୋତ୍ସାହନ ମିଳିବ: ମୁଖ୍ୟମନ୍ତ୍ରୀ

୨୦୨୨ ଡିସେମ୍ବର ସୁଦ୍ଧା କାମ ସରିବ

ଭୁବନେଶ୍ବର : ନୂଆ ରୂପ ନେବ କଳିଙ୍ଗ ଷ୍ଟୁଡିଓ। ଏହାକୁ ‘‌ଷ୍ଟେଟ୍‌ ଅଫ୍‌ ଦି ଆର୍ଟ’ ସିନେମା ଷ୍ଟୁଡିଓ ଭାବେ ବିକଶିତ କରାଯିବ। ୨୦୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ଷ୍ଟୁଡିଓରେ ଅତ୍ୟାଧୁନିକ ସିନେମା ଷ୍ଟୁଡିଓର ସବୁ ସୁବିଧା ମିଳିବ। ୨୦୨୨ ଡିସେମ୍ବର ସୁଦ୍ଧା କ‌ାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ସିନେମା ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ଦୁଇ ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ। ପରୋକ୍ଷ ଭାବେ ଏହା ୧୦ ହଜାର ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବ ବୋଲି ସରକାର ଆକଳନ କରିଛନ୍ତି।

କଳିଙ୍ଗ ଷ୍ଟୁଡିଓର ଏହି ପ୍ରସ୍ତାବିତ ନବୀକରଣ କାର୍ଯ୍ୟର ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରି କହିଥି‌େଲ ଯେ ନବୀକରଣ କାର୍ଯ୍ୟ ଶେଷ ହେଲେ ସିନେମା ସହ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହନ ମିଳିବ। ରାଜ୍ୟର ମନୋରଞ୍ଜନ ଶିଳ୍ପ ନୂଆ ଦିଗ ‌ପାଇବ। ଚଳଚ୍ଚିତ୍ର, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ଲୋକଙ୍କ ପାଇଁ ଏହା ବ୍ୟାପକ ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ।

କଳିଙ୍ଗ ଷ୍ଟୁଡିଓର ମାଷ୍ଟର ପ୍ଲାନ୍ ଆନ୍ତର୍ଜାତିକ କନସଲ୍ଟିଂ ସଂସ୍ଥା ଗ୍ରାଣ୍ଟ ଥର୍ନଟନ୍ ଭାରତ ଏଲଏଲପି ପ୍ରସ୍ତୁତ କରିଛି। ପ୍ରକଳ୍ପର କାର୍ଯ୍ୟକାରୀ କରିବା ଦାୟିତ୍ବ ଇଡ୍‌କୋ ହାତରେ ନ୍ୟସ୍ତ କରାଯାଇଛି। ନୂଆ ଷ୍ଟଡିଓକୁ ତିନିଟି ଜୋନରେ ବିଭକ୍ତ କରାଯାଇ ଉନ୍ନତୀକରଣ କାର୍ଯ୍ୟ କରାଯାଉଛି। ଜୋନ୍‌-୧ରେ ଇନ୍‌ଡୋର ସୁଟିଂ ଫ୍ଲୋର୍‌, ସୁଟିଂ ମୁଖଶାଳା, ଫିଲ୍ମ-ଟେକ୍ ଜୋନ୍, ବ୍ୟବସାୟିକ ସ୍ଥାନ, ଖୋଲା ଅଗଣା ଆଦି ରହିବ। ଜୋନ୍‌-୨ରେ ଆଉଟ୍‌-ଡୋର୍‌ ସୁଟିଂ ସୁବିଧା, ବିଷୟ ଭିତ୍ତିକ ସୁଟିଂ ସ୍ଥାନ, କିଡ୍‌ସ୍‌ ଜୋନ୍‌, ଦୁର୍ଗ ଦୃଶ୍ୟ, ବରଫ ଜୋନ୍‌ ଓ ସାହାସିକତା ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ସ୍ଥାନ ରହିବ। ଜୋନ୍‌-୩ରେ ଫୁଡ୍‌ କୋର୍ଟ, କଳାକାରଙ୍କ ନିମନ୍ତେ ରହିବା ଓ ଖାଇବା ସୁବିଧା, ସାମାଜିକ କାର୍ଯ୍ୟକ୍ରମ କେନ୍ଦ୍ର ରହିବ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ରହିଛି ଓଡ଼ିଶାର ଐତିହ୍ୟକୁ ସଂରକ୍ଷିତ ରଖିବା ଓ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଉତ୍‌ଥାନ ପାଇଁ ସହଯୋଗ କରିବା। ଏହା ସହିତ ମନୋରଞ୍ଜନ କ୍ଷେତ୍ରରେ ତଥା ଲୋକଙ୍କୁ ସୃଜନଶୀଳ ସେବା ଯୋଗାଇବାରେ ସହାୟକ ହେବ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓଏଫ୍‌ଡିସିର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଡ୍‌କୋ ସିଏମ୍‌ଡି ସଞ୍ଜୟ ସିଂହ ଓ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଏନ୍‌.ବି. ଜାୱଲେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର