କଟକ : ରାଜ୍ୟର ନ୍ୟାୟିକ ଇତିହାସ ଓ ଐତିହ୍ୟକୁ ସଂରକ୍ଷଣ କରିବାରେ ଓଡିଶା ହାଇକୋର୍ଟ ଦେଶରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ହାଇକୋର୍ଟଙ୍କ ଜୁଡିସିଆଲ ଆର୍କାଇଭ୍‌ସ ପରିକଳ୍ପନା ଏକ ଅନନ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଓଡିଶା ହାଇକୋର୍ଟ ପକ୍ଷରୁ ସେଣ୍ଟର ଫର୍ ଜୁଡିସିଆଲ ଆର୍କାଇଭ୍‌ସ (ଅଭିଲେଖାଗାର) କୋଠା ଓ ହାଇକୋର୍ଟ କର୍ମଚାରୀଙ୍କ ରେସିଡେନ୍ସିଆଲ କମ୍ପ୍ଲେକ୍ସର ଶିଳାନ୍ୟାସ କରିବା ସହ ଅାୟୋଜିତ ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୁଡିସିଅାଲ ଅାର୍କାଇଭ୍‌ସ ପାଇଁ ନିଅାଯାଇଥିବା ପଦକ୍ଷେପ ସମଗ୍ର ଦେଶରେ ପ୍ରଥମ। ଏହି ଅାର୍କାଇଭ୍‌ସ ନିର୍ମାଣ ଦ୍ୱାରା କେବଳ ଐତିହ୍ୟ ବହନ କରୁଥିବା ଦସ୍ତାବିଜ ସଂଗ୍ରହ ହେବନି ବରଂ ଏହା ଅନେକ ସ୍ମୃତିକୁ ଅାଗାମୀ ପିଢି ପାଇଁ ସାଇତି ରଖାଯାଇ ପାରିବ। ଐତିହ୍ୟ ବହନ କରୁଥିବା ଏହି ଦସ୍ତାବିଜ ଗୁଡିକ ଅାମର ନ୍ୟାୟିକ ବ୍ୟବସ୍ଥା ପାଇଁ ସମ୍ପଦ ଅଟେ। ଗବେଷଣା କ୍ଷେତ୍ରରେ ଏହାର ଉପଯୋଗ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ କହିଥିଲେ ଯେ ଇତିହାସ କେବଳ ଏକ ଦସ୍ତାବିଜ ନୁହେଁ, ଏହା ଭବିଷ୍ୟତ ପାଇଁ ମାର୍ଗ ଦର୍ଶନ କରୁଥିବା ଆଲୋକ ସଦୃଶ। ରାଜ୍ୟ ସରକାର ନ୍ୟାୟିକ ଭିତ୍ତିଭୂମି ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଅାଗକୁ ମଧ୍ୟ ନ୍ୟାୟିକ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Advertisment

ଅଭିଲେଖାଗାର ପାଇଁ ୩୯ କୋଟି, ଆବାସିକ କଂପ୍ଲେକ୍ସ ପାଇଁ ୨୮୪ କୋଟି ଟଙ୍କା ବ୍ୟୟ ବରାଦ

ଏହି ଉତ୍ସବରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଉଦବୋଧନ ଦେଇ କହିଥିଲେ ଯେ ଡିଜିଟାଇଜେସନ ସହ ଅଦାଲତରେ ଭର୍ଚୁଆଲ ଶୁଣାଣି କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ବିଭିନ୍ନ ନୂତନ ପ୍ରକଳ୍ପ ପାଇଁ ଓଡିଶା ହାଇକୋର୍ଟ ପ୍ରଶଂସାର ପାତ୍ର ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବେଳେ କର୍ମଚାରୀଙ୍କ ପାଇଁ ଅାବାସିକ ଗୃହ ନିର୍ମାଣ ତାଙ୍କର ସ୍ବପ୍ନ ଥିଲା, ଯାହା ଅାଜି ପୂରଣ ହେବାକୁ ଯାଉଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ମୁରଲୀଧରଙ୍କ ନେତୃତ୍ବରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ଜଷ୍ଟିସ ସରନ ପ୍ରଶଂସା କରିଥିଲେ। ସରକାର ହାଇକୋର୍ଟଙ୍କ ବିଭିନ୍ନ ପ୍ରକଳ୍ପ ପାଇଁ ସହଯୋଗ ଯୋଗାଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଷ୍ଟିସ ସରନ ପ୍ରଶଂସା କରିଥିଲେ। ବିଶ୍ୱକପ ହକିର ସଫଳ ଅାୟୋଜନ ଏବଂ ରାଉରକେଲାରେ ନିର୍ମାଣ କରାଯାଇଥିବା ବୃହତ ହକି ଷ୍ଟାଡିୟମ ପାଇଁ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ।
ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ନିଜ ବକ୍ତବ୍ୟରେ କହିଥିଲେ ଯେ ଏହା ଓଡ଼ିଶା ହାଇକୋର୍ଟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଓଡିଶା ହାଇକୋର୍ଟ ଅନେକ ଅଭିନବ ଓ ନିଅାରା ପଦକ୍ଷେପ ଗ୍ରହଣ କରି ଦେଶର ଅନ୍ୟ ହାଇକୋର୍ଟ ପାଇଁ ଉଦାହରଣ ସୃଷ୍ଟି କରିଛି। ଜୁଡିସିଅାଲ ଅାରକାଇଭ୍‌ସ ପାଇଁ ଯେଉଁ ପ୍ରସ୍ତାବ ରହିଥିଲା ଏହାକୁ ରାଜ୍ୟ ସରକାର ତତକ୍ଷଣାତ ଗ୍ରହଣ କରିବା ସହିତ ଅାବଶ୍ୟକ ସହଯୋଗ ଯୋଗାଇ ଦେଇଥିଲେ। ସେହିପରି ଜୁଡିସିଅାଲ ଇନଫ୍ରାଷ୍ଟ୍ରକଚର ମ୍ୟାନେଜମେଣ୍ଟ ଏଜେନ୍ସି ଗଠନ ମଧ୍ୟ ସାରା ଦେଶରେ ପ୍ରଥମ ଥିଲା। ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ସହଯୋଗକୁ ମୁଖ୍ୟ ବିଚାରପତି ପ୍ରଶଂସା କରିଥିଲେ।

ଉତ୍ସବରେ ସ୍ବାଗତ ଭାଷଣ ଦେଇ ରେକର୍ଡରୁମ ଡିଜିଟାଇଜେସନ ସେଣ୍ଟର (ଆରଅରଡିସି)ର କମିଟି ଅଧ୍ୟକ୍ଷ ଜଷ୍ଟିସ ଦେବବ୍ରତ ଦାଶ କହିଥିଲେ ଯେ ଜୁଡିସିଅାଲ ଅାର୍କାଇଭରେ ବହୁ ପୁରୁଣା ରେକର୍ଡ ସ୍ଥାନ ପାଇବ। ୧୯୫୦ ପୂର୍ବର ପ୍ରାଚୀନ ୫୧ହଜାର ୩୩୮ଟି ନ୍ୟାୟିକ ରେକର୍ଡ ଆରଆରଡିସିରେ ସଂରକ୍ଷିତ କରି ରଖାଯାଇଛି। ଜିଲ୍ଲା ଅଦାଲତରୁ ୫୦ ହଜାର ରେକର୍ଡ ସଂଗ୍ରହ ପାଇଁ ଯୋଜନା ରହିଛି। ଶେଷରେ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ କମିଟି ସଦସ୍ୟ ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ଶଶିକାନ୍ତ ମିଶ୍ର, ଜଷ୍ଟିସ ବିରଜାପ୍ରସନ୍ନ ଶତପଥୀ ଓ ଜଷ୍ଟିସ ଏସ.କେ ମିଶ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର ଅନ୍ୟ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଆ‌ଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଡିଏସଜିଆଇ ପ୍ରସନ୍ନ କୁମାର ପାଢୀ, ୫-ଟି ସଚିବ ଭି.କେ.ପାଣ୍ଡିଆନ, ହାଇକୋର୍ଟ ବାର୍ କର୍ମକର୍ତ୍ତା, ପୁଲିସ ଡିଜି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସିଡିଏ ସେକ୍ଟର-୧ରେ ହାଇକୋର୍ଟ ଆରଆରଡିସି ନିକଟସ୍ଥ ୧ଏକର ୮୮୪ଡିସିମିଲ ଜମିରେ ଏହି ଜୁଡିସିଅାଲ ଅାର୍କାଇଭ୍‌ସ ନିର୍ମାଣ ହେବ। ଚାରି ମହଲା ବିଶିଷ୍ଟ ହେବାକୁ ଥବା ଏହି କୋଠା ପାଇଁ ୩୪ କୋଟି ୮୯ ଲକ୍ଷ ୫୫ ହଜାର ୭୪୩ ଟଙ୍କା ବ୍ୟୟ ଅଟକଳ ରହିଛି। ୧୫ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଯୋଜନା କରାଯାଇଛି। ସେହିପରି ସିଡିଏ ସେକ୍ଟର-୧୩ସ୍ଥିତ ୧୦ ଏକର ଜାଗାରେ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ହେବାକୁ ଥିବା ଆବାସିକ କଂପ୍ଲେକ୍ସ ଲାଗି ୨୮୪ କୋଟି ୨୯ ଲକ୍ଷ ୨ ହଜାର ଟଙ୍କା ବ୍ୟୟବରାଦ ହୋଇଛି। ଏଥିରେ ୨୦୦ଟି ଡି- ଟାଇପ ଫ୍ଲାଟ ଓ ୩୫୦ଟି ଇ-ଟାଇପ୍‌ ଫ୍ଲାଟ, ଏଭଳି ମୋଟ ୧୨ଟି ଟାୱାର ରହିବ। କମ୍ୟୁନିଟି ସେଣ୍ଟର, ପାର୍କ, ଲନ୍ ଅାଦି ମଧ୍ୟ ନିର୍ମାଣ ହେବ। ଦୁଇ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଯୋଜନା କରାଯାଇଛି।