ବିଜେଡିର ନୂଆ କାର୍ଯ୍ୟାଳୟର ଶିଳାନ୍ୟାସ

ଭୁବନେଶ୍ବର : ରଥଯାତ୍ରା ଅବସରରେ ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟର ଶୁଭ ଦିଆଯାଇଛି। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ‘ଜୟ ଜଗନ୍ନାଥ’ କହି ଏହି ନୂଆ ଚାରି ମହଲା ବିଶିଷ୍ଟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଗାମୀ ଦିନରେ ରାଜ୍ୟର ୩୦ଟି ଜିଲ୍ଲା ସଦରମହକୁମାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥାପନ କରି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯୋଗାଯୋଗ ବ୍ୟବସ୍ଥାରେ ମୁଖ୍ୟାଳୟ ସହ ସଂଯୋଗ କରିବାକୁ ନିଷ୍ପତ୍ତି ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କୋଠାର ନିର୍ମାଣ ପାଇଁ ବିଜେଡିର ଯୁବ ଓ ଛାତ୍ର ଶ୍ରମ ଦାନ କରି ନିଜ ଘରର କାମ ଭାବି ଏଥିରେ ସାମିଲ୍‌ ହେବେ। ଏହି କାର୍ଯ୍ୟାଳୟରେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଭିନ୍ନ ଶାଖା କାର୍ଯ୍ୟକ୍ଷମ ହେବା ସହ ରକ୍ତଦାନ ଓ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଚାଲୁ ରହିବ। ଏହା କେବଳ ଦଳୀୟ କାର୍ଯ୍ୟାଳୟ ହେବ ନାହିଁ, ବରଂ ଏହା ଓଡ଼ିଶାର ଲୋକଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ହେବ ବୋଲି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ୨୪ ବର୍ଷ ହେଲା ବିଜେଡି ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ବାସର ପ୍ରତୀକ ହୋଇଛି। ମହିଳା, ଯୁବ, ଛାତ୍ର, ଚାଷୀ, ଶ୍ରମିକ, ଗରିବ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସମର୍ଥନ ପାଇ ଆଜି ଦଳରେ କୋଟିଏରୁ ଅଧିକ ସଦସ୍ୟ ସାମିଲ୍‌ ହୋଇଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ଭବନ ନିର୍ମାଣ କରାଯିବ। ଓଡ଼ିଶାର ସ୍ଥାପତ୍ୟ ଓ କଳାକୁ ମଧ୍ୟ ପ୍ରାଧାନ୍ୟ ମିଳିବ। ଏଠାରେ ଏକ ଅତ୍ୟାଧୁନିକ ଅଡିଟୋରିୟମ ହେବ। ଆଜିର ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାସ ମିଶ୍ର, ଉଷା ଦେବୀ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଅଶୋକ ପଣ୍ଡା, ପ୍ରସନ୍ନ ପାଟ୍ଟଶାଣୀ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ସାମଲ, ପ୍ରଣବ ବଳବନ୍ତରାୟ, ପ୍ରମିଳା ମଲ୍ଲିକ, ଦିବ୍ୟ ଶଙ୍କର ମିଶ୍ର, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଏବେ ୟୁନିଟ-୬ସ୍ଥିତ ଭିଆଇଆର୍‌-୩ କ୍ବାର୍ଟର୍ସରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଚାଲିଥିବା ବେଳେ ନୂଆ କାର୍ଯ୍ୟାଳୟ ପାଇଁ ଠିକ୍ ଏହାର ପଛ ପାର୍ଶ୍ବରେ ଥିବା କ୍ବାର୍ଟର୍ସ ଭି୨/୧ ଏବଂ ଭି୨/୨ର ଜମିକୁ ବିଜେଡି କିଣିନେଇଛି। ଏହାକୁ ଭଙ୍ଗାଯାଇ ନୂଆ କାର୍ଯ୍ୟାଳୟ ନିର୍ମାଣ କରାଯିବ। ଦଳର ବିଭିନ୍ନ ସେଲ୍‌ର କାର୍ଯ୍ୟାଳୟ ଏଠାରେ ରହିବ। ପୂରା କୋଠା ୱାଇଫାଇ ହେବ। ଏକାଧିକ ସମ୍ମିଳନୀ କକ୍ଷ, ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ରୁମ୍, ବିଜେଡି ଆଇଟି ସେଲ୍‌, ଷ୍ଟୁଡିଓ, କ୍ୟାଣ୍ଟିନ୍, ଲାଇବ୍ରେରି ଏବଂ ଅନ୍ୟାନ୍ୟ ସୁବିଧା ରହିବ। ଆସନ୍ତା ବର୍ଷକ ମଧ୍ୟରେ ଏହି କୋଠାର ନିର୍ମାଣ ସରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର