ୱାଇଲ୍‌ଡ ଲୋଟସ୍‌ ଫ୍ୟାସନ୍ସର ପୋଷାକ କାରଖାନା ଶିଳାନ୍ୟାସ: ୭୦ କୋଟି ଟଙ୍କା ନିବେଶ ହେବ, ୧୮୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ

ଭୁବନେଶ୍ବର : ଓଡ଼ିଶାର ଏମ୍‌ଜିଏମ୍‌ ଗ୍ରୁପ୍ ଅଧୀନ ୱାଇଲ୍‌ଡ ଲୋଟସ୍‌ ଫ୍ୟାସନ୍ସ ପ୍ରାଇଭେଟ୍‌ ଲିମିଟେଡ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଛତାବର ଶିଳ୍ପାଞ୍ଚଳରେ ଏକ ପୋଷାକ ଉତ୍ପାଦନ ୟୁନିଟ୍‌ ସ୍ଥାପନ ହେବ। ୧୦୦ ପ୍ରତିଶତ ରପ୍ତାନି ଭିତ୍ତିକ ଏହି କାରଖାନାର ଶିଳାନ୍ୟାସ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ କରିଛନ୍ତି। ୩ ଏକର ପରିମିତ ସ୍ଥାନରେ ହେବାକୁ ଥିବା ଏହି କାରଖାନାରେ ୭୦ କୋଟି ଟଙ୍କା ନିବେଶ ହେବ। କାରଖାନା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏଠାରେ ୧୮୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେମାନଙ୍କ ମଧ୍ୟରୁ ୧୬୦୦ ଜଣ ମହିଳା ରହିବେ। କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ କମ୍ପାନି ନିଯୁକ୍ତି ପୂର୍ବରୁ ଏବଂ ପରେ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏଠାରେ ମୋଟ ୯୫୦ଟି ସିଲେଇ ମେସିନ୍ ରହିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୱାଇଲ୍‌ଡ ଲୋଟସ ଫ୍ୟାସନ୍ସ ଲିମିଟେଡ ରେଡିମେଡ୍ ପୋଷାକ ଭାରତୀୟ ଗ୍ରାହକ ଏବଂ ରିଲାଏନ୍ସ ଟ୍ରେଣ୍ଡସ, ସପର୍ସ ଷ୍ଟପ୍‌ ଭଳି ବ୍ରାଣ୍ଡ୍‌କୁ ଯୋଗାଇ ଦେବ। କିନ୍ତୁ ବର୍ଷକ ଭିତରେ ଏଠାରୁ ରପ୍ତାନି ଆରମ୍ଭ ହେବ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ଗୁଡ଼ିକୁ ପୋଷାକ ଯୋଗାଇ ଦିଆଯିବ ବୋଲି ଏମ୍‌ଜିଏମ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ପଙ୍କଜ ମହାନ୍ତି ଏହି ଅବସରରେ କହିଛନ୍ତି।

୭ ସହରରେ ସ୍କିଲିଂ ଓ ଜୀବିକା କେନ୍ଦ୍ର
ଭୁବନେଶ୍ବର : ସହରାଞ୍ଚଳରେ ଗରିବ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ସହ ନିରନ୍ତର ଜୀବିକା ନିର୍ବାହ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ଆଜି ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପୁଣେ ସ୍ଥିତ ଲାଇଟ୍‌ ହାଉସ୍‌ କମ୍ୟୁନିଟି ଫାଉଣ୍ଡେସନ (ଏଲ୍‌ସିଏଫ୍‌) ସହିତ ଏକ ରାଜିନାମା ସ୍ବାକ୍ଷର କରିଛି। ଜାଗା ମିସନର ତୃତୀୟ ପର୍ଯ୍ୟାୟରେ ହୋଇଥିବା ଏହି ରାଜିନାମାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ପୂର୍ବରୁ ଜାଗା ମିସନ୍‌ର ଦୁଇଟି ପର୍ଯ୍ୟାୟରେ ସହରାଞ୍ଚଳ ଗରିବଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ ଓ ମୌଳିକ ଭିତ୍ତିଭୂମି ଯୋଗାଇ ଦିଆଯାଇଥିଲା। ଏହି ମିସନ୍‌ରେ ଏବେ ସହରାଞ୍ଚଳ ଯୁବକଯୁବତୀମାନଙ୍କ ପାଇଁ ନିରନ୍ତର ଜୀବିକା ନିର୍ବାହ ସୁଯୋଗ ସୃଷ୍ଟି ହୋଇଛି।

ଆଜି ସ୍ୱାକ୍ଷରିତ ହୋଇଥିବା ରାଜିନାମା ମୁତାବକ, ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ଢେଙ୍କାନାଳ, ପାରାଦ୍ବୀପ ଓ ଜଟଣୀରେ ସ୍କିଲିଂ ଓ ଜୀବିକା କେନ୍ଦ୍ର ପ୍ରତିଷ୍ଠା କରାଯିବ। ପରେ ପର୍ଯ୍ୟାୟକ୍ରମେ ସମସ୍ତ ୧୧୪ ୟୁଏଲ୍‌ବିରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରଗୁଡ଼ିକ ସହରର ଗରିବ ଯୁବକଯୁବତୀମାନଙ୍କୁ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ପ୍ରଦାନ କରିବ। ବୈଷୟିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ସହ ନିଯୁକ୍ତି ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିବ। କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ଓ ପରିଚାଳନା ପାଇଁ ମଧ୍ୟ ଏହି କେନ୍ଦ୍ର ସହାୟତା ପ୍ରଦାନ କରିବ।

ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସହରାଞ୍ଚଳରେ କୌଣସି ଗରିବ ଯୁବକଯୁବତୀ ବେକାର ରହିବେ ନାହିଁ। ତାଙ୍କ ପାଖରେ ଥିବା ଦକ୍ଷତାକୁ ଚିହ୍ନଟ କରି ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଶିକ୍ଷଣ ପରେ ଦକ୍ଷତା ଆଧାରରେ ବିଭିନ୍ନ ସଂସ୍ଥା ସେମାନଙ୍କୁ ନିଯୁକ୍ତି ଦେବେ। ଏହା ସହ ଲଘୁ ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମନିର୍ଭର ହେବା ପାଇଁ ଏହି କେନ୍ଦ୍ର ସୁଯୋଗ ସୃଷ୍ଟି କରିବ। ଏହା ସହରାଞ୍ଚଳ ଗରିବମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି ମାଥିଭାଥନାନ ସ୍ବାଗତ ଭାଷଣ ଦେଇଥିବା ବେଳେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମ୍‌ଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଲ୍‌ସିଏଫ୍‌ ଅଧ୍ୟକ୍ଷ ଡ. ଗଣେଶ ନଟରାଜନ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର