ଚନ୍ଦ୍ରଶେଖରପୁର: ଆଜି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ବିଜୟ କୁମାର ସାହୁଙ୍କ ସ୍ମୃତିରେ ‘ଫାଉଣ୍ଡର ମେମୋରିଆଲ୍ ଟକ୍‌’ ଆୟୋଜିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଲେଖକ ତଥା ପୌରାଣିକ ବିଶେଷଜ୍ଞ ଦେବଦତ୍ତ ପଟ୍ଟନାୟକ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ବିଜ୍ଞାନ ସମ୍ମତ ଓ ବିଶ୍ବାସ ସମ୍ମତ ସତ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସଫଳତାର ମନ୍ତ୍ର ଦେବା ଛଳରେ ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଖୁସି ମନରେ କରାଯାଉଥିବା କାର୍ଯ୍ୟ ସର୍ବଦା ଭଲ ଫଳ ଦେଇଥାଏ। ସାଇ ଇଣ୍ଟର୍‌ନ୍ୟାସନାଲ୍‌ ବିଦ୍ୟାଳୟର ଚେୟାରପର୍ସନ ଶିଳ୍ପୀ ସାହୁ କହିଥିଲେ ଯେ ସ୍ବର୍ଗତ ବିଜୟ କୁମାର ସାହୁଙ୍କ ସ୍ମୃତିରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ମେମୋରିଆଲ୍ ଟକ୍ ଛାତ୍ରଛାତ୍ରୀଙ୍କୁ ଦିଗ୍‌ଦର୍ଶନ ଦେବ।

Advertisment

ଅନୁଷ୍ଠାନର ସଦସ୍ୟ ବିକ୍ରମ ଆଦିତ୍ୟ ସାହୁ ମଧ୍ୟ ଅନୁରୂପ ମତ ଦେଇଥିଲେ। ଏହି ଅବସରରେ ସଂଗୀତ ଶିକ୍ଷକ ହିମାଂଶୁ ଶେଖର ସ୍ୱାଇଁ ଏକ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ବର୍ଗତ ସାହୁଙ୍କ ସ୍ମୃତିରେ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ୍‌ ସ୍କୁଲର ହେଡ୍‌ମାଷ୍ଟର ଅମିତାଭ୍ ଅଗ୍ନିହୋତ୍ରୀ ପ୍ରମୁଖଙ୍କ ଉପସ୍ଥିତିରେ ଫାଉଣ୍ଡର୍ସ କପ୍ ବକ୍ତୃତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।