ବଲାଙ୍ଗୀର: କୋଚିଂ ସେଣ୍ଟରରେ ତିଆରି ହେଉଥିଲା ଜାଲ୍ ସାର୍ଟିଫିକେଟ। ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ଗାତା ଚଳାଇଥିଲେ କଳାକାରନାମା। ଏମାନଙ୍କ ନେଟୱର୍କରେ ବହୁ ଲୋକଙ୍କ ସଂପୃକ୍ତି ରହିଛି। ବଲାଙ୍ଗୀର ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାରୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲିଙ୍କ୍ ଅଛି। ଏପରିକି ରାଜ୍ୟ ବାହାରକୁ ବି ଲିଙ୍କ୍ ରଖି ବର୍ଷ ବର୍ଷ ହେଲା ନକଲି ସାର୍ଟିଫିକେଟ କାରବାର ଚାଲିଥିଲା। ମନୋଜ ନିଜ ନେଟୱର୍କରେ ଥିବା ବହୁ ବ୍ୟକ୍ତିଙ୍କ ନାଁ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ତିନି ଦିନିଆ ରିମାଣ୍ଡରେ ମାଷ୍ଟରମାଇଣ୍ଡ ମନୋଜ ଓ ସହଯୋଗୀ ଆଲୋକଙ୍କ ପାଖରୁ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ ଟିମ୍। ଶନିବାର ମନୋଜ, ଆଲୋକ ସମେତ ଦୁଇ ଆବେଦନକାରୀ ତ୍ରିବିହାରୀ ପଣ୍ଡା, ପରେଶ ବୁଡ଼େକଙ୍କ ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ସେମାନଙ୍କୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଇ ପୁଣି ବିଚାରବିଭାଗୀୟ ଜେଲ୍ ହାଜତକୁ ପଠାଇଛି। ଏ ଭିତରେ ରକ୍ତଚାପ ବଢ଼ିବା କାରଣରୁ ଗତକାଲି ରାତିରେ ଆଲୋକ ଉଦ୍ଗାତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ସ୍ୱାସ୍ଥ୍ୟାବସ୍ଥା ସ୍ବାଭାବିକ ହେବା ପରେ ତାଙ୍କୁ ପୁଣି ଜେଲକୁ ପଠାଯାଇଛି।
କ୍ରାଇମବ୍ରାଞ୍ଚ ଡିଏସ୍ପି ଦେବବ୍ରତ ଚକ୍ର ଗୁରୁତ୍ୱପୂର୍ଣ୍ଣ ବୟାନ ଗଣମାଧ୍ୟମକୁ ଦେଇଛନ୍ତି। ଡିଏସ୍ପି ଶ୍ରୀ ଚକ୍ର କହିଛନ୍ତି, ଏହା ଏକ ବଡ଼ ମାମଲା। ବର୍ଷ ବର୍ଷ ହେଲା ଏ କାରବାର ଚାଲିଥିଲା। ବହୁ ତଥ୍ୟ ଆମକୁ ରିମାଣ୍ଡ ସମୟରେ ମିଳିଛି। ତଥ୍ୟ ଆଧାରରେ ଆଗକୁ କାମ କରିବୁ। ଆଗକୁ ଗିରଫଦାରୀ ବଢ଼ିବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀରରୁ ବାହାରିଥିବା ଜାଲ ସାର୍ଟିଫିକେଟ ମାମଲା ଏବେ ରାଜ୍ୟ ସାରା ଛାଇ ଗଲାଣି। ନବମ ଦିନରେ କ୍ରାଇମବ୍ରାଞ୍ଚ ତଦନ୍ତ ପହଞ୍ଚିଲାଣି। କିନ୍ତୁ ବଲାଙ୍ଗୀର ପୁଲିସ କରିଥିବା ତଦନ୍ତ ଠାରୁ ପାଦଟିଏ ବି କ୍ରାଇମବ୍ରାଞ୍ଚ ଟିମ୍ ଆଗେଇ ଥିବା ଅନୁଭବ କରିହେଉନାହିଁ। ଖୋଦ୍ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ଆସି ତଦନ୍ତ କରିଥିଲେ। ହେଲେ ତଦନ୍ତ ଆଗକୁ ବଢ଼ୁଥିବା ଜଣା ପଡୁନାହିଁ। ଏହି ନଅଦିନ ତଦନ୍ତ ଭିତରେ କ୍ରାଇମବ୍ରାଞ୍ଚ ଡିଏସ୍ପି କେତେବେଳେ କହୁଛନ୍ତି ଗିରଫଦାରୀ ବଢ଼ିବ। ଆଉ କେତେବେଳେ କହୁଛନ୍ତି ତଦନ୍ତ ଠିକ୍ଠାକ୍ ଚାଲିଛି।